ଅବହେଳିତ ଥାଲାସେମିଆ ଶିଶୁ ରୋଗୀ
ଯାଜପୁର,୩୦ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ୱାର୍ଡରେ ରକ୍ତଜନିତ ରୋଗ ଥାଲାସେମିଆ, ସିକିଲ୍ ସେ୍ଲ ଓ ହିମୋଫେଲିଆ ରୋଗୀମାନେ ଉପଯୁକ୍ତ ଚିିକିତ୍ସା ନ ପାଇ ନିରାଶ ହେଉଛନ୍ତି। ଏହି ମର୍ମରେ ଯାଜପୁର ଜିଲା ଥାଲାସେମିଆ ସିକିଲସେଲ୍ ଏନିମିଆ ୱେଲ୍ଫେୟାର ସୋସାଇଟିର ସମ୍ପାଦକ ପରମାନନ୍ଦ ନାୟକ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଶିଶୁମାନଙ୍କ ଅସ୍ଥିମଜ୍ଜାରେ ଲୋହିତ ରକ୍ତ କଣିକା ସୃଷ୍ଟି ହେଉ ନ ଥିବାରୁ ଜୀବନ ବଞ୍ଚାଇବାକୁ ନିୟମିତ […] The post ଅବହେଳିତ ଥାଲାସେମିଆ ଶିଶୁ ରୋଗୀ appeared first on Dharitri Odia News.
ଯାଜପୁର,୩୦ା୧(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ୱାର୍ଡରେ ରକ୍ତଜନିତ ରୋଗ ଥାଲାସେମିଆ, ସିକିଲ୍ ସେ୍ଲ ଓ ହିମୋଫେଲିଆ ରୋଗୀମାନେ ଉପଯୁକ୍ତ ଚିିକିତ୍ସା ନ ପାଇ ନିରାଶ ହେଉଛନ୍ତି। ଏହି ମର୍ମରେ ଯାଜପୁର ଜିଲା ଥାଲାସେମିଆ ସିକିଲସେଲ୍ ଏନିମିଆ ୱେଲ୍ଫେୟାର ସୋସାଇଟିର ସମ୍ପାଦକ ପରମାନନ୍ଦ ନାୟକ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଶିଶୁମାନଙ୍କ ଅସ୍ଥିମଜ୍ଜାରେ ଲୋହିତ ରକ୍ତ କଣିକା ସୃଷ୍ଟି ହେଉ ନ ଥିବାରୁ ଜୀବନ ବଞ୍ଚାଇବାକୁ ନିୟମିତ ରକ୍ତ ଗ୍ରହଣ କରିଆସୁଛନ୍ତି। ଶତକଡ଼ା ୭୫ ଭାଗ ଶିଶୁ ଗରିବ ଶ୍ରେଣୀର। ସେମାନଙ୍କୁ ଗୋଟିଏ ରକ୍ତ ନେବା ପାଇଁ ରେଡ୍କ୍ରସ ରକ୍ତଭଣ୍ଡାରକୁ ୨ ଶହ ଟଙ୍କା ଦେୟ ଓ ମେଡିକାଲ ଯିବା ଆସିବା ଖର୍ଚ୍ଚ ବହନ କରିବା ସମ୍ଭବପର ହେଉ ନ ଥିଲା। ଫଳରେ ସେମାନଙ୍କର ଜୀବନ ବଞ୍ଚାଇବା ଅସମ୍ଭବ ହେଉଥିଲା। ଏପରି ସଂକଟାପନ୍ନ ଶିଶୁମାନଙ୍କ ଜୀବନ ବଞ୍ଚାଇବା ପାଇଁ ଯାଜପୁର ଜିଲାର କେତେଜଣ ଅବସରପ୍ରାପ୍ତ ବରିଷ୍ଠ ଶିଶୁ ବିଶେଷଜ୍ଞ, ଭେଷଜ ବିଶେଷଜ୍ଞ, କର୍ଣ୍ଣ, ନାସା, ଗଳା, ଚକ୍ଷୁ ବିଶେଷଜ୍ଞ, ବରିଷ୍ଠ ସାମ୍ବାଦିକ, ସାମାଜିକ କର୍ମୀ ଏବଂ ସରକାରୀ ପଦାଧିକାରୀ ଯଥା ଅତିରିକ୍ତ ଜିଲା ମାଜିଷ୍ଟ୍ରେଟ୍, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ରେଡ୍କ୍ରସ୍ ରକ୍ତଭଣ୍ଡାର ଅଧିକାରୀ ପ୍ରମୁଖ ୧୫ ଜଣ ସଦସ୍ୟଙ୍କ ଉଦ୍ୟମରେ ୨୦୦୬ରେ ଥାଲାସେମିଆ ସିକିଲସେଲ୍ ଏନିମିଆ ୱେଲ୍ଫେୟାର ସୋସାଇଟି ଗଠନ କରାଯାଇଥିଲା। ଗରିବ ଶ୍ରେଣୀର ରୋଗୀମାନଙ୍କର ରକ୍ତଗ୍ରହଣ କରିବା ଖର୍ଚ୍ଚ, ରୋଗୀ ଚିହ୍ନଟ, ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ମାଗଣା ରକ୍ତ ପରୀକ୍ଷା, ରକ୍ତ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ବାବଦରେ ସମସ୍ତ ଖର୍ଚ୍ଚ ୨୦୦୬ଠାରୁ ସୋସାଇଟିର ସଦସ୍ୟଙ୍କ ଅନୁଦାନରେ ପରିଚାଳିତ ହୋଇଆସୁଛି। ପ୍ରତିବର୍ଷ ବିଶ୍ୱ ଥାଲାସେମିଆ ଦିବସ, ସ୍ବାଧୀନତା ଦିବସ, ଉତ୍କଳ ଦିବସରେ ସ୍ବତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥାଏ। ୨୦୧୭ ଜୁନ୍ ୧୫ ଭାରତ ସରକାରଙ୍କ ଗେଜେଟ୍ ନୋଟିଫିକେଶନ ଅନୁଯାୟୀ ଥାଲାସେମିଆ, ସିକିଲ ସେଲ୍ ଓ ହିମୋଫେଲିଆ ରୋଗୀମାନଙ୍କୁ ପ୍ରମାଣପତ୍ର ଦେବାକୁ ଜିଲା ମେଡିକାଲ ବୋର୍ଡରେ ଶିଶୁ ବିଭାଗ କିମ୍ବା ମେଡିସିନ ବିଭାଗ ଡାକ୍ତରଙ୍କୁ ଜଣେ ସଦସ୍ୟଭାବେ ନିୟୋଜିତ କରାଯାଇଛି। କିନ୍ତୁ ଯାଜପୁର ଜିଲା ସ୍ବାସ୍ଥ୍ୟ ବିଭାଗରେ ଏହାର ଓଲଟା ହେଉଛି। ଶିଶୁ ବିଭାଗ ଡାକ୍ତରଙ୍କୁ ମେଡିକାଲ ବୋର୍ଡରେ ନିୟୋଜିତ କରିବା ପରିବର୍ତ୍ତେ ମେଡିସିନ ବିଭାଗର ଡାକ୍ତର ନିୟୋଜିତ ଅଛନ୍ତି। ୧୭ ବର୍ଷ ହେବ ସମସ୍ତ ରକ୍ତ ଜନିତ ଶିଶୁ ରୋଗୀମାନେ ଜିଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗ ଆଉଟ୍ଡୋର ଓ ଇନ୍ଡୋର ସ୍ବତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଛନ୍ତି। ରକ୍ତହୀନତା ଶିଶୁମାନଙ୍କୁ ନିୟମିତ ଚିକିତ୍ସା କରୁଥିବା ଶିଶୁ ଡାକ୍ତର ଅଭିଜ୍ଞ। କିନ୍ତୁ ମେଡିକାଲ ବୋର୍ଡରେ ମେଡିସିନ ବିଶେଷଜ୍ଞ ଡାକ୍ତରଙ୍କୁ ନିୟୋଜିତ କରାଯିବା ଫଳରେ ଶିଶୁ ରୋଗୀଙ୍କୁ ଠିକ୍ ପ୍ରମାଣପତ୍ର ମିଳୁନାହିଁ। ବିଭିନ୍ନ ଆଳ ଦେଖାଇ ନିରୀହ ଶିଶୁମାନଙ୍କୁ ଫେରାଇ ଦିଆଯାଉଛି। କେତେଜଣ ଶିଶୁ ରୋଗୀଙ୍କୁ ଅସ୍ଥାୟୀ ପ୍ରମାଣପତ୍ର ଦିଆଯାଉଛି। ଯାଜପୁର ପୌରାଞ୍ଚଳର ଦାଣ୍ଡସୁନ୍ଦରପୁର ଗ୍ରାମର ସୌମ୍ୟଜିତ ସାହୁଙ୍କୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ସେ ୩ ବର୍ଷ ହେବ ଥାଲାସେମିଆ ରୋଗରେ ଆକ୍ରାନ୍ତ ହୋଇ କଟକ ଶିଶୁଭବନ, କଟକ ମେଡିକାଲ ରକ୍ତ ବିଭାଗ ଓ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଚିକିତ୍ସାଧୀନ ଥାଇ ୩୮ଟି ରକ୍ତ ଗ୍ରହଣ କରିସାରିଛନ୍ତି। ଏହାସତ୍ତ୍ୱେ ସେ ପ୍ରମାଣପତ୍ର ପାଇଁ ବାରମ୍ବାର ମେଡିକାଲ ବୋର୍ଡରୁ ନିରାଶ ହୋଇ ଫେରିଯାଉଛନ୍ତି। ପୂର୍ବରୁ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ପ୍ରମାଣପତ୍ର ଦେବାକୁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ଇତିମଧ୍ୟରେ ୩ଟି ମେଡିକାଲ ବୋର୍ଡ ବୈଠକ ଅନୁଷ୍ଠିତ ହୋଇସାରିଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏହି ମର୍ମରେ ଥାଲାସେମିଆ ସୋସାଇଟିର ସମ୍ପାଦକ ୩ା୧୧ା୨୦୨୨ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଶାସନ ସଚିିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ କୌଣସି ସୁଫଳ ନ ମିଳିବାରୁ ୫ା୯ା୨୦୨୩ରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଥିଲେ। ତଥାପି କୌଣସି ସୁଫଳ ନ ମିଳିବାରୁ ଶେଷରେ ୫-ଟି ଅଧ୍ୟକ୍ଷଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡିଏମ୍ଓ) ଶିବାଶିଷ ମହାରଣାଙ୍କୁ ପଚାରିବାରୁ ସେ କହିଛନ୍ତି, ସେଭଳି ଅଭିଯୋଗ ଏଯାଏ ପାଇ ନାହାନ୍ତି। ଶିଶୁ ରୋଗୀମାନଙ୍କୁ ସମସ୍ତ କ୍ଷେତ୍ରରେ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉଛି। ଥାଲାସେମିଆ ରୋଗୀମାନେ ମଧ୍ୟ ସହଜରେ ରକ୍ତ ପାଉଛନ୍ତି। ଏଥିରେ କୌଣସି ପ୍ରକାର ଅବହେଳା କରାଯାଉନାହିଁ।
The post ଅବହେଳିତ ଥାଲାସେମିଆ ଶିଶୁ ରୋଗୀ appeared first on Dharitri Odia News.