ଅମିତ ଶାହଙ୍କ ବଡ଼ ବୟାନ: ଯେଉଁମାନେ ଇଂରାଜୀ କହୁଛନ୍ତି, ସେମାନେ ଖୁବଶୀଘ୍ର ଲଜ୍ଜାବୋଧ କରିବେ

ପୂର୍ବତନ ଆଇଏଏସ୍‌ ଅଫିସର ଆଶୁତୋଷ ଅଗ୍ନିହୋତ୍ରୀ ଲେଖିଥିବା ‘ମେଁ ବୁନ୍ଦ ସ୍ୱୟଂ, ଖୁଦ ସାଗର ହୁଁ’ ବହିର ଉନ୍ମୋଚନ କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗ ଦେଇଥିଲେ।

ଅମିତ ଶାହଙ୍କ ବଡ଼ ବୟାନ: ଯେଉଁମାନେ ଇଂରାଜୀ କହୁଛନ୍ତି, ସେମାନେ ଖୁବଶୀଘ୍ର ଲଜ୍ଜାବୋଧ କରିବେ

ଭାରତର ଭାଷା ଭିତ୍ତିକ ଐତିହ୍ୟକୁ ପୁନଃ ହାସଲ କରିବା ପାଇଁ ଜାତୀୟ ସ୍ତରରେ ପ୍ରୟାସ କରିବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦେଶର ପରିଚୟ ପାଇଁ ସ୍ଥାନୀୟ ଭାଷାର ଗୁରୁତ୍ୱ ଅଧିକ ରହିଛି। ବିଦେଶୀ ଭାଷା ଉପରେ ରୋକ ଲଗାଇବା ଦରକାର ବୋଲି ମଧ୍ୟ ସେ କହିଛନ୍ତି।

ପୂର୍ବତନ ଆଇଏଏସ୍‌ ଅଫିସର ଆଶୁତୋଷ ଅଗ୍ନିହୋତ୍ରୀ ଲେଖିଥିବା ‘ମେଁ ବୁନ୍ଦ ସ୍ୱୟଂ, ଖୁଦ ସାଗର ହୁଁ’ ବହିର ଉନ୍ମୋଚନ କାର୍ଯ୍ୟକ୍ରମରେ ଅମିତ ଶାହ ଯୋଗ ଦେଇଥିଲେ। ଏହି ସମୟରେ ଶାହ କହିଛନ୍ତି ଯେ “ଭାରତ ଉପନେବଶବାଦର ପ୍ରଭାବରୁ ମୁକୁଳିବା ଦରକାର ଓ ନିଜସ୍ୱ ଭାଷାକୁ ଗର୍ବର ସହ କହିବା ଦରକାର। ଏହି ଦେଶରେ ଯେଉଁମାନେ ଇଂରାଜୀରେ କଥା ହେଉଛନ୍ତି, ସେମାନେ ଖୁବଶୀଘ୍ର ଲଜ୍ଜାବୋଧ କରିବେ।

ଏଭଳି ଏକ ସମାଜ ଗଠନ ହେବାକୁ ଆଉ ବେଶୀ ସମୟ ନାହିଁ। ଯେଉଁମାନେ ପ୍ରତିବଦ୍ଧ ସେମାନେ ହିଁ କେବଳ ପରିବର୍ତ୍ତନ ଆଣିପାରିବେ। ମୋର ବିଶ୍ୱାସ ଯେ ଆମର ଦେଶର ଭାଷାଗୁଡ଼ିକ ଆମ ସଂସ୍କୃତିର ଅଳଙ୍କାର। ଆମ ଭାଷା ବିନା ଆମେ ସଚ୍ଚା ଭାରିତୀୟ ହୋଇ ପାରିବା ନାହିଁ।”

ଶ୍ରୀ ଶାହଙ୍କ କହିବା କଥା ବିଦେଶୀ ଭାଷା କେବେ ହେଲେ ବି ଭାରତୀୟ ସଂସ୍କୃତି ଓ ଇତିହାସକୁ ଦଖଲ କରିପାରିବ ନାହିଁ। ସେ କହିଛନ୍ତି, “ଆମ ଦେଶକୁ, ଆମ ସଂସ୍କୃତିକୁ, ଆମ ଇତିହାସକୁ ଓ ଆମ ଧାର୍ମିକ ବିଶ୍ୱାସକୁ ବୁଝିବା ପାଇଁ କୌଣସି ବିଦେଶୀ ଭାଷା ଯଥେଷ୍ଟ ନୁହେଁ।

ପୂର୍ଣ୍ଣ ଭାରତର କଳ୍ପନା ଅଧା ଅଧୂରୀ ବିଦେଶୀ ଭାଷାଗୁଡ଼ିକ ଦ୍ୱାରା କରାଯାଇ ପାରିବ ନାହିଁ। ମୁଁ ଏହା ମଧ୍ୟ ଜାଣିଛି ଯେ ଏହି ଲଢ଼େଇ ବେଶ କଷ୍ଟକର। କିନ୍ତୁ ମୋର ବିଶ୍ୱାସ ଭାରତୀୟ ସମାଜ ଏହା ଉପରେ ନିଶ୍ଚିତ ବିଜୟ ହାସଲ କରିବ। ପୁଣିଥରେ ଆମେ ଆତ୍ମ ସମ୍ମାନର ସହ ଆମ ଦେଶକୁ ନିଜ ଭାଷାରେ ଚଳାଇବୁ। ବିଶ୍ୱର ନେତୃତ୍ୱ ମଧ୍ୟ ନେବୁ।”