ଅଯୋଧ୍ୟାରେ ପହଞ୍ଚିଲା ୫୦୦ କେଜିର ଢୋଲ, ରହିଛି ସୁନା ରୁପାର ପରସ୍ତ

ମାତା ସୀତାଙ୍କ ଜନ୍ମସ୍ଥାନ ନେପାଳ ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ରୂପା ଜୋତା, ଅଳଙ୍କାର ଏବଂ ପୋଷାକ ସହିତ ୩୦୦୦ ରୁ ଅଧିକ ଉପହାର ଆସି ପହଞ୍ଚିଛି ।

ଅଯୋଧ୍ୟାରେ ପହଞ୍ଚିଲା ୫୦୦ କେଜିର ଢୋଲ, ରହିଛି ସୁନା ରୁପାର ପରସ୍ତ

ଅଯୋଧ୍ୟାରେ ରାମଲାଲାଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରିବାର ସମୟ ପାଖେଇ ଆସୁଛି । ଦେଶ ତଥା ବିଶ୍ୱର କୋଣ ଅନୁକୋଣରୁ ଭକ୍ତମାନେ ସେମାନଙ୍କର ପ୍ରିୟ ରାମଲାଲାଙ୍କ ପାଇଁ ଉପହାର ପଠାଉଛନ୍ତି । ଆଉ ଏହାରି ଭିତରେ ଗୁଜୁରାଟର ଜଣେ ଭକ୍ତ  ୫୦୦ କିଲୋଗ୍ରାମର ଏକ ନଗାଡ଼ା ବା ଢ଼ୋଲ ବାଜା ପଠାଇଛନ୍ତି । ସେହିଭଳି କନୌଜରୁ ଗୋଲାପ ଜଳ, କେଭଡା, ପଞ୍ଚଜଲ ସହିତ ଅନେକ ପ୍ରକାରର ସୁଗନ୍ଧିତ ଅତର ମଧ୍ୟ ଆସି ପହଞ୍ଚିଛି । ଗୁରୁବାର ଜଣେ ଭକ୍ତ ରାମଲାଲାଙ୍କୁ ଛପନ୍ ଭୋଗ ପ୍ରଦାନ କରିଥିଲେ । ଏହି ପ୍ରସାଦ ଆଳତୀ ବେଳେ ଲାଗି କରାଯାଇଥିଲା ।

ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ସେଲିବ୍ରିଟି, ଶିଳ୍ପପତି ଏବଂ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିବେ । ଏହିଭଳି ପ୍ରାୟ ୬୦୦୦ରୁ ଅଧିକ ଲୋକ ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ । ମନ୍ଦିର ଟ୍ରଷ୍ଟକୁ ଦେଶର ବିଭିନ୍ନ ସ୍ଥାନରୁ ତଥା ବିଦେଶରୁ ମଧ୍ୟ ଉପହାର ଆସି ପହଞ୍ଚୁଛି । ସେହିଭଳି ମାତା ସୀତାଙ୍କ ଜନ୍ମସ୍ଥାନ ନେପାଳ ଜନକପୁରରୁ ପ୍ରଭୁ ଶ୍ରୀରାମଙ୍କ ପାଇଁ ରୂପା ଜୋତା, ଅଳଙ୍କାର ଏବଂ ପୋଷାକ ସହିତ ୩୦୦୦ ରୁ ଅଧିକ ଉପହାର ଆସି ପହଞ୍ଚିଛି ।

ଅଧିକ ପଢ଼ନ୍ତୁ: ଘରେ ବସି ଫ୍ରି’ରେ ମିଳିବ ରାମଲାଲାଙ୍କ ପ୍ରସାଦ, ଏମିତି କରନ୍ତୁ ଅର୍ଡର...

ସେହିଭଳି ଗୁଜୁରାଟରୁ ୧୦୮ ଫୁଟ ଲମ୍ବା ଧୂପକାଠି ଆସିଛି । ସେହି ଧୂପକାଠି ପ୍ରସ୍ତୁତ କରିବା ପାଇଁ ସଂସ୍ଥାକୁ ଛଅ ମାସ ସମୟ ଲାଗିଥିଲା । ଏହାର ଓଜନ ୩୬୧୦ କିଲୋଗ୍ରାମ ରହିଛି । ଏହାର ଚଉଡ଼ା ପ୍ରାୟ ସାଢ଼େ ୩ ଫୁଟ୍ ରହିଛି । ଲକ୍ଷ୍ନୌର ଜଣେ ପରିବା ଦୋକାନୀ ଏକ ନିଆରା ଘଣ୍ଟା ଡିଜାଇନ୍ କରି ଅଯୋଧ୍ୟାକୁ ପଠାଇଛନ୍ତି । ଏହି ଘଣ୍ଟା ଏକାସାଙ୍ଗରେ ଆଠଟି ଦେଶର ସମୟ କହିଥାଏ । ସେହିଭଳି ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନ ସେବା ସଂସ୍ଥାନ ଅଯୋଧ୍ୟାକୁ ୨୦୦ କିଲୋଗ୍ରାମ ଲଡ଼ୁ ପଠାଇବାକୁ ପ୍ରସ୍ତୁତ ହେଉଛି । ତିରୁପତିସ୍ଥିତ ଶ୍ରୀ ଭେଙ୍କଟେଶ୍ୱର ମନ୍ଦିର ପକ୍ଷରୁ ମଧ୍ୟ କୁହାଯାଇଛି ଯେ, ଭକ୍ତମାନଙ୍କୁ ବଣ୍ଟନ ପାଇଁ ଏକ ଲକ୍ଷ ଲଡୁ ପଠାଇବେ ।

‘ସୁନା ରୂପା ଚଦରରେ ତିଆରି ହୋଇଛି ନଗାଡ଼ା’

ତେବେ ଗୁଜୁରାଟରୁ ଆସିଥିବା ୫୦୦ କିଲୋଗ୍ରାମ ଓଜନର ଏକ 'ନାଗାଡା' ବା ‘ଢ଼ୋଲ ବାଜା’ ଏକ ସ୍ୱତନ୍ତ୍ର ରଥରେ ଅଯୋଧ୍ୟାରେ ପହଞ୍ଚିଛି। ଗୁରୁବାର, ରାମ ଜନ୍ମଭୂମି ତୀର୍ଥକ୍ଷେତର ଟ୍ରଷ୍ଟ କହିଛି ଯେ ଗୁଜୁରାଟର କର୍ଣ୍ଣାବତୀର ଦରିଆପୁର ବିସ୍ତାରର ଡଗବର ସମ୍ପ୍ରଦାୟ ଏହି 'ଢ଼ୋଲ' ପ୍ରସ୍ତୁତ କରିଛନ୍ତି। ପ୍ରାଣ ପ୍ରତିଷ୍ଠା ଦିନ ଡଗବର ସମ୍ପ୍ରଦାୟର ଚାରି ଜଣ ଲୋକ ମନ୍ଦିର ଭିତରେ ଏହି ଢ଼ୋଲ ବଜାଇବେ । ଏହି ଢ଼ୋଲରେ ସୁନା ଓ ରୂପା ପରସ୍ତ ରହିଛି । ଏହାକୁ ପ୍ରସ୍ତୁତ କରିବାରେ ଲୁହା ଏବଂ ତମ୍ବା ବ୍ୟବହାର କରାଯାଇଛି । ହଜାର ହଜାର ବର୍ଷ ଧରି ଏହା ଚାଲିବ ବୋଲି ଆଶା କରାଯାଉଛି ।

ଅଧିକ ପଢ଼ନ୍ତୁ: ଅଯୋଧ୍ୟାରେ ନେପାଳୀ ବାବାଙ୍କ ମହାଯଜ୍ଞ; ସାମିଲ ହେବେ ୨୧ ହଜାର ପଣ୍ତିତ