ଅରୁଣ ବୋଥ୍ରାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୪ା୩(ସତ୍ୟଜିତ୍‌ ରାଉତ): ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ୨ଟି ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି। ଶନିବାର ମୁମ୍ବାଇସ୍ଥିତ ଏକ କୋର୍ଟରେ ସିବିଆଇ ପକ୍ଷରୁ ଉଭୟ ମାମଲାର କ୍ଲୋଜର ରିପୋର୍ଟ ଦାଖଲ କରାଯାଇଥିଲା। ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ ବୋଲି ଉକ୍ତ ରିପୋର୍ଟରେ କୁହାଯିବା ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ […] The post ଅରୁଣ ବୋଥ୍ରାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା appeared first on Dharitri Odia News.

ଅରୁଣ ବୋଥ୍ରାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୪ା୩(ସତ୍ୟଜିତ୍‌ ରାଉତ): ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ୨ଟି ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବନ୍ଦ କରିବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି ହୋଇଛି। ଶନିବାର ମୁମ୍ବାଇସ୍ଥିତ ଏକ କୋର୍ଟରେ ସିବିଆଇ ପକ୍ଷରୁ ଉଭୟ ମାମଲାର କ୍ଲୋଜର ରିପୋର୍ଟ ଦାଖଲ କରାଯାଇଥିଲା। ଆତ୍ମହତ୍ୟା ପାଇଁ ସୁଶାନ୍ତଙ୍କ ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ ବୋଲି ଉକ୍ତ ରିପୋର୍ଟରେ କୁହାଯିବା ସହ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାରକୁ କ୍ଲିନ୍‌ଚିଟ୍‌ ଦିଆଯାଇଥିଲା। ତେବେ ଏହି ଘଟଣାରେ ଓଡ଼ିଶାର ପୂର୍ବତନ କ୍ରାଇମବ୍ରାଞ୍ଚ ଏଡିଜି ତଥା ବର୍ତ୍ତମାନର ରେଲୱେ ଏବଂ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରା ରବିବାର ‘ଏକ୍ସ’ରେ କରିଥିବା ଏକ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ବେଶ୍‌ ଚର୍ଚ୍ଚା ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ସଂକ୍ରାନ୍ତ ଏକ ଜାତୀୟ ଗଣମାଧ୍ୟମର ନ୍ୟୁଜ୍‌ ପୋଷ୍ଟ୍‌କୁ ଏଡିଜି ବୋଥ୍ରା ରିପୋଷ୍ଟ୍‌ କରି ଉଲ୍ଲେଖ କରିଛନ୍ତି ଯେ, ୪ବର୍ଷ ତଳେ ଅନେକ ଟିଭି ଆଙ୍କର ଘଟଣାକୁ ଉସୁକାଇବା ପରେ ଅଗଣିତ ଲୋକ ସୋସିଆଲ ମିଡିଆ ଜରିଆରେ ମୁମ୍ବାଇ ପୋଲିସ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିବା ସହ ନିନ୍ଦିତ କରିଥିଲେ। ତେବେ ପୋଲିସ ବୃତ୍ତିଗତ ଭାବେ ନିଜ ତଦନ୍ତ କରିଥିଲା ବୋଲି ଏବେ ସ୍ପଷ୍ଟ ହୋଇଛି। ଅପରାଧ ତଦନ୍ତ ବିଷୟରେ କୌଣସି ଧାରଣା ନ ଥିବା ଲୋକମାନେ ମିଛ ଏବଂ ଅପମାନଜନକ ଟିପ୍ପଣୀ ଦେଇ ପ୍ରଚାର ସୃଷ୍ଟି କରିପାରିବେ। କିନ୍ତୁ ଶେଷରେ କେବଳ ପ୍ରମାଣ ଏବଂ କୋର୍ଟ ରାୟ ଗୁରୁତ୍ୱ ବହନ କରେ ବୋଲି ବୋଥ୍ରା କହିଛନ୍ତି। ଏଠାରେ ସୂଚନଯୋଗ୍ୟ ଯେ, ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପ୍ରଥମେ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ହେଲେ ତଦନ୍ତ ପ୍ରକ୍ରିୟାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠିବା ପରେ କ୍ରାଇମବ୍ରାଞ୍ଚ ପୁଣିଥରେ ଏବେ ସାନି ତଦନ୍ତ ଆରମ୍ଭ କରିଛି। ତେବେ ନବ ଦାସ ହତ୍ୟା ମାମଲାରେ ବୋଥ୍ରା ପୋଲିସ ଓ ନିଜକୁ କ୍ଲିନ୍‌ ଚିଟ୍‌ ଦେବାକୁ ଏହି ପୋଷ୍ଟ୍‌ କରିଥିବା ନେଇ କୁହାଯାଉଥିବା ବେଳେ ବିଭିନ୍ନ ଲୋକ କମେଣ୍ଟ ଓ ରିପୋଷ୍ଟ କରିଛନ୍ତି। ଏପରିକି ଉକ୍ତ ପୋଷ୍ଟରେ ଏକାଧିକ ୟୁଜର କୋଟ୍‌ ଓ ରିପ୍ଲାଏ ଦ୍ୱାରା ବୋଥ୍ରାଙ୍କୁ ଇଙ୍ଗିତ କରି ସମାଲୋଚନା କରିଛନ୍ତି। ଜଣେ ୟୁଜର ଉକ୍ତ ପୋଷ୍ଟକୁ କୋଟ୍‌ କରି ଲେଖିଛନ୍ତି, ‘ଗତକାଲି, ମୁଁ ପୋଖରୀ କୂଳରେ ଗାମୁଛା ଛାଡିଦେଇ ଆସିଲି, ଆଜି ମିଳୁନାହିଁ। କିନ୍ତୁ….। ସେହିପରି ଆଜି କ’ଣ ପାଇଁ ଏହି ପୋଷ୍ଚ ବୋଲି ଆଉଜଣେ ୟୁଜର କୋଟ୍‌ କରି ବୋଥ୍ରାଙ୍କୁ ପ୍ରଶ୍ନ କରିଛନ୍ତି। ଅନ୍ୟଜଣେ ୟୁଜର୍‌ ରିପ୍ଲାଏ ଦେଇ କହିଛନ୍ତି, ସାର୍‌, ଅପରାଧ ତଦନ୍ତ ବିଷୟରେ ଲୋକଙ୍କର ଶୂନ୍ୟ ଧାରଣା ଥାଇପାରେ। ହେଲେ ଏହା ବି ସେତିକି ସତ୍ୟ ଯେ, ଏଭଳି ମାମଲାରେ କେବେ ବି ସତ୍ୟ ପଦାକୁ ଆସେ ନାହିଁ। ଆଉଜଣେ ରିପ୍ଲାଏ ହିନ୍ଦୀରେ ଲେଖିଛନ୍ତି, କହିଁ ପେ ନିଗାହେଁ, କହି ପେ ନିଶାନା। ସେହିପରି ଆଉଜଣେ ୟୁଜର ଲେଖିଛନ୍ତି, ସିବିଆଇ ଦ୍ୱାରା ଦାଖଲ କରାଯାଇଥିବା କ୍ଲୋଜର ରିପୋର୍ଟ ଅନେକ ସମୟରେ ନିରର୍ଥକ ହୋଇଥାଏ। ସିବିଆଇ ତଦନ୍ତ କରୁଥିବା ଅନେକ ମାମଲାରେ ବିଫଳ ହେବାର ନଜିର ରହିଛି। ଦୁର୍ନୀତିଗ୍ରସ୍ତ ଅଫିସର କିଛି ସମାଧାନ କରାପାରିବେ ନାହିଁ। ତେଣୁ ସେମାନେ ଏହାକୁ ବନ୍ଦ କରିଦିଅନ୍ତି ବୋଲି ଜଣେ ୟୁଜର ମେସେଜ୍‌ରେ ଉଲ୍ଲେଖ କରିଛନ୍ତି।

The post ଅରୁଣ ବୋଥ୍ରାଙ୍କ ପୋଷ୍ଟକୁ ନେଇ ଚର୍ଚ୍ଚା appeared first on Dharitri Odia News.