ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି

୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍‌ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।

ଅସନ୍ତୋଷ ଝାଡ଼ିଥିବା ବିଧାୟକଙ୍କୁ ନୂଆ ଆସନରେ ଟିକେଟ ଦେଲା ବିଜେପି

ଦିଲ୍ଲୀ ବିଧାନସଭା ନିର୍ବାଚନରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ଆଜି ଦିଲ୍ଲୀ ପାଇଁ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ଏହି ତାଲିକାରେ ବର୍ତ୍ତମାନର ବିଧାୟକ ମୋହନ ସିଂହ ବିଷ୍ଟଙ୍କୁ ମୁସ୍ତାଫାବାଦ ଆସନରୁ ପ୍ରାର୍ଥୀ କରାଯାଇଛି। ୨୦୨୦ରେ ମୋହନ ସିଂହ କରୱାଲା ଆସନରୁ ବିଜୟୀ ହୋଇଥିଲେ। ଏଥର କିନ୍ତୁ ବିଜେପି କରୱାଲ ଆସନରେ ଆପ୍‌ରୁ ଆସିଥିବା ବିବାଦୀୟ ନେତା କପିଲ ମିଶ୍ରାଙ୍କୁ ଟିକେଟ ଦେଇଛି।

ଶନିବାର ବିଜେପି କପିଲ ମିଶ୍ରାଙ୍କୁ କରୱାଲ ଆସନରେ ପ୍ରାର୍ଥୀ କରିବାରୁ ମୋହନ ସିଂହ ଖୋଲାଖୋଲି ଭାବେ ଅସନ୍ତୋଷ ଝାଡ଼ିଥିଲେ। କପିଲ ମିଶ୍ରାଙ୍କୁ କରୱାଲ ଆସନରୁ ପ୍ରାର୍ଥୀ କରିବା ବିଜେପିର ବଡ଼ ଭୁଲ ବୋଲି ସେ କହିଥିଲେ।

ସେ ଖୋଲାଖୋଲି ଭାବେ ବିଦ୍ରୋହ କରିବାରୁ ତାଙ୍କୁ ଆଜି ତରବରିଆ ଭାବେ ମୁସ୍ତାଫାବାଦ ଆସନରୁ ପ୍ରାର୍ଥୀ କରାଯାଇଛି। ତେବେ ମୋହନ ସିଂହ ଏହି ଆସନରୁ ଲଢ଼ିବେ କି ନାହିଁ, ତା’ହା ସ୍ପଷ୍ଟ ହୋଇନି।

କାରଣ ରବିବାର ସନ୍ଧ୍ୟାରେ ମୋହନ ସିଂହ କହିଥିଲେ ଯେ ସେ ଦିଲ୍ଲୀର ଅନ୍ୟ କୌଣସି ଆସନରୁ ପ୍ରାର୍ଥୀ ହେବାକୁ ଚାହୁଁନାହାନ୍ତି। ସେ ଜାନୁଆରୀ ୧୭ ପୂର୍ବରୁ କରୱାଲ ଆସନରୁ ହିଁ ପ୍ରାର୍ଥିପତ୍ର ଦାଖଲ କରିବେ। ତାଙ୍କର ଏପରି ବୟାନ ପରେ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରି ମୋହନ ସିଂହ ବିଷ୍ଟଙ୍କୁ ମୁସ୍ତାଫାବାଦରୁ ଟିକେଟ ଦେଇଛି।

ଗୋଟିଏ ସୂତ୍ରରେ କୁହାଯାଇଛି ଯେ ମୋହନ ସିଂହ ଅସନ୍ତୋଷ ପ୍ରକାଶ କରିବା ପରେ ବିଜେପି ମୁଖିଆ ଜେପି ନଡ୍ଡା ତାଙ୍କ ସହ କଥା ହୋଇଥିଲେ। ଏହି ସମୟରେ ସେ ଶାନ୍ତ ପଡ଼ିବା ସହ ଦଳର ନିଷ୍ପତ୍ତିକୁ ମାନବେ ବୋଲି କହିଥିଲେ। କିନ୍ତୁ ଏଥିରେ କେତେ ସତ୍ୟତା ରହିଛି, ତା’ହା ଜଣାପଡ଼ିନି।