ନିଆଁ ଲାଗି ମହିଳା ଗୁରୁତର
ବିଦ୍ୟୁତଲତାଙ୍କ ଦେହରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇପାରିନି। ଏହି ଘଟଣା ବେଳେ ଘରେ ତାଙ୍କ ସ୍ୱାମୀ, ଝିଅ ଓ ନାତି ଥିଲେ।
ଦେହରେ ନିଆଁ ଲାଗି ଯିବାରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ରହିଛି। ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଏଡିଏମ ଛକ ନିକଟରେ ଘଟିଛି ଏହି ଘଟଣା।
ନିଆଁରେ ପୋଡ଼ି ହୋଇଥିବା ମହିଳାଙ୍କ ନାଁ ବିଦ୍ୟୁତଲତା ଜେନା। ତାଙ୍କ ଶରୀରର ୭୦% ପୋଡ଼ି ଯାଇଛି। ତାଙ୍କୁ ପ୍ରଥମେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।
ବିଦ୍ୟୁତଲତାଙ୍କ ଦେହରେ କେମିତି ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇପାରିନି। ଏହି ଘଟଣା ବେଳେ ଘରେ ତାଙ୍କ ସ୍ୱାମୀ, ଝିଅ ଓ ନାତି ଥିଲେ।
ବିଦ୍ୟୁତଲତାଙ୍କ ସ୍ୱାମୀ ରବୀନ୍ଦ୍ର ଜେନାଙ୍କ କହିବା ଅନୁଯାୟୀ, ସେ ଖାଇ ସାରି ଶୋଇଥିଲେ। ତାଙ୍କ ପାଖରେ ତାଙ୍କ ନାତି ଶୋଇଥିଲେ। ତାଙ୍କ ସାନ ଝିଅ ଖାଉଥିଲେ। ସେହି ସମୟରେ ବିଦ୍ୟୁତ୍ଲତା ଠାକୁର ଘରୁ କିରାସିନି ନେଇ ଆସିଥିଲେ। ଏହା ଦେଖି ସେ କିରାସିନି କ’ଣ କରିବେ ବୋଲି ତାଙ୍କ ଝିଅ ପଚାରିଥିଲେ। ଏହା ଜବାବରେ ବିଦ୍ୟୁତ୍ଲତା କହିଥିଲେ ଯେ ଠେକୁଆମାନେ ଯେଉଁ ଜାଗାରେ ଅଛନ୍ତି, ସେଠାରୁ ଦୁର୍ଗନ୍ଧ ଆସୁଥିବାରୁ ସେ ସେହି ସ୍ଥାନକୁ କିରାସିନିରେ ପୋଛିବେ। ଏହା କହି ସେ ଠେକୁଆମାନେ ଥିବା ସ୍ଥାନକୁ ଚାଲିଯାଇଥିଲେ। ତା’ପରେ ତାଙ୍କ ଦେହରେ ନିଆଁ ଲାଗିଥିବା ତାଙ୍କ ଝିଅ ଦେଖିଥିଲେ। ଝିଅ ସଙ୍ଗେ ସଙ୍ଗେ ତାଙ୍କ ବାପା ରବୀନ୍ଦ୍ର ଜେନାଙ୍କୁ ଡାକ ପକାଇଥିଲେ।
ବିଦ୍ୟୁତ୍ଲତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ସ୍ୱାମୀ ରବୀନ୍ଦ୍ର ମଧ୍ୟ ପୋଡ଼ି ହୋଇଛନ୍ତି। ତାଙ୍କର ଦୁଇ ହାତ ଅଳ୍ପ ଜଳିଯାଇଛି।
ଭୁଲବଶତଃ ବିଦ୍ୟୁତ୍ଲତାଙ୍କ ଦେହରେ ନିଆଁ ଲାଗିଗଲା ନା ସେ ନିଜେ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇଥିଲେ ନା ଆଉ କିଛି ଘଟିଥିଲା, ତାହା ଜଣାପଡ଼ିନାହିଁ।