ଅସରାଏ ବର୍ଷାରେ ବିଦ୍ୟାଳୟରେ ଖେଳୁଛି ପାଣି
ଡେରାବିଶ,୨୦।୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ନବ ନିର୍ମିତ ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି। କେନ୍ଦ୍ରାପଡା ପୂର୍ତ୍ତ ବିଭାଗର ବେପରୁଆ ନୀତି ଯୋଗୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଘୋର ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ଜଣାଯାଇଛି। ଅସରାଏ ବର୍ଷାରେ ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ପାଣି ପଶି ଲହଡି ଭାଙ୍ଗୁଛି। ପ୍ରଶାସନିକ ଏଭଳି ସ୍ଥାଣୁତା ଓ ବିଭାଗୀୟ […] The post ଅସରାଏ ବର୍ଷାରେ ବିଦ୍ୟାଳୟରେ ଖେଳୁଛି ପାଣି appeared first on Dharitri Odia News.
ଡେରାବିଶ,୨୦।୩ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ଅଧୀନ କୁରୁଜଙ୍ଗାସ୍ଥିତ ଆଦର୍ଶ ବିଦ୍ୟାଳୟ ପାଇଁ ନବ ନିର୍ମିତ ଗୃହ ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡି ରହିଛି। କେନ୍ଦ୍ରାପଡା ପୂର୍ତ୍ତ ବିଭାଗର ବେପରୁଆ ନୀତି ଯୋଗୁ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କଠାରୁ ଆରମ୍ଭ କରି ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ଘୋର ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ଜଣାଯାଇଛି। ଅସରାଏ ବର୍ଷାରେ ବିଦ୍ୟାଳୟ କାର୍ଯ୍ୟାଳୟ ଭିତରେ ପାଣି ପଶି ଲହଡି ଭାଙ୍ଗୁଛି। ପ୍ରଶାସନିକ ଏଭଳି ସ୍ଥାଣୁତା ଓ ବିଭାଗୀୟ ଦାୟିତ୍ୱ ହୀନତା ନେଇ ଛାତ୍ରୀଛାତ୍ର ଓ ଅବିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
୨୦୨୨ରୁ ଏହି ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ତତ୍ତ୍ୱାଧାନରେ ୭ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ହେଉଛି। ଅବଧି ଶେଷ ହେବାର ବର୍ଷାଧିକ ପରେ ମଧ୍ୟ କାର୍ଯ୍ୟ ହୋଇପାରୁନାହିଁ। ଶ୍ରେଣୀ ଗୃହ ପାଇଁ ୪ଟି ଓ କାର୍ଯ୍ୟାଳୟ ସହ କମନ୍ରୁମ୍ ପାଇଁ ଗୋଟିଏ ଗୃହକୁ ମିଶାଇ ସମୁଦାୟ ୯ଟି ରୁମ୍ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି। ମାତ୍ର ଏହି ନବ ନିର୍ମିତ ଗୃହର ସିଡି ଘର କାର୍ଯ୍ୟ ଠିକା ସଂସ୍ଥା ପକ୍ଷରୁ କରା ନ ଯାଇ ଖୋଲା ଛାଡି ଦିଆଯାଇଛି। ସୋମବାର ରାତିରୁ ବର୍ଷା ଲାଗି ରହିଥିବାରୁ ଖୋଲା ରହିଥିବା ଶିଡି ଘର ବାଟ ଦେଇ ବର୍ଷା ପାଣି ଆସି ବିଦ୍ୟାଳୟ କାର୍ଯ୍ୟାଳୟ କୋଠରୀରେ ପଶିଥିବା ଦେଖାଯାଇଛି। ଏହି ବର୍ଷା ପାଣିକୁ ଅଟକାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ବାଲି ବନ୍ଧ ପକାଇ ତା ଉପରେ ଇଟା ଥୋଇ ଥିବା ଦେଖିବାକୁ ମିଳିଛି। ଆଗାମୀ ୨ଦିନ ଯାଏ ବର୍ଷା ଲାଗି ରହିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଛାତ୍ରୀଛାତ୍ରମାନେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେହିପରି ଏହି ବର୍ଷା ଯୋଗୁ ଅଧାପାନ୍ତରିଆ ଅବସ୍ଥାରେ ଥିବା ବିଦ୍ୟାଳୟ ପରିସର ଏବେ କର୍ଦ୍ଧମାକ୍ତ ହୋଇ ଉଠିଛି। ଫଳରେ ବିଦ୍ୟାଳୟକୁ ଆସୁଥିବା ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ ଏବଂ କର୍ମଚାରୀମାନେ କାଦୁଅରେ ଘାଣ୍ଟି ହୋଇ ଅସୁବିଧାର ସମ୍ମୁଖିନ ହେବାରେ ଲାଗିଛନ୍ତି। ଅବ୍ୟବସ୍ଥା ମଧ୍ୟରେ ଚାଲୁଥିବା ଏହି ବିଦ୍ୟାଳୟରେ ଆମ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ଲାଗିଛି ବୋଲି ଛାତ୍ର ଅବିଭାବକ ଯଶୋବନ୍ତ ପ୍ରଧାନ କହିଛନ୍ତି। ବାରମ୍ବାର ଏହି ବିଦ୍ୟାଳୟର ବିଭିନ୍ନ ଅବ୍ୟବସ୍ଥା ସମ୍ପର୍କରେ ଜିଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଉଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନ ଯିବା ଅବିଭାବକମାନଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏ ସମ୍ପର୍କରେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଜ୍ୟୋତିରଞ୍ଜନ ପତିଙ୍କୁ ପଚାରିବାରେ ସିଡି ଘରର ଛାତ ତୁରନ୍ତ ପକାଇବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୌଣସି କୋଠରୀ ମଧ୍ୟକୁ ବର୍ଷା ପାଣି ଯେମିତି ନ ପଶେ ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।
The post ଅସରାଏ ବର୍ଷାରେ ବିଦ୍ୟାଳୟରେ ଖେଳୁଛି ପାଣି appeared first on Dharitri Odia News.