ଅସଲି CBI ଅଫିସରଙ୍କୁ ଲୁଟିଲେ ନକଲି କ୍ରାଇମ୍‌ ବ୍ରାଞ୍ଚ, ନେଇଗଲେ ୨ ଲକ୍ଷ

୪୯ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ଫୋନ୍‌ କଲ୍‌ରେ ନକଲି କ୍ରାଇମ୍‌ ବ୍ରାଞ୍ଚ ଅଫିସର୍‌ ଜଣଙ୍କ ଅଧିକାରୀଙ୍କୁ ଡରାଇବା ସହ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ।

ଅସଲି CBI ଅଫିସରଙ୍କୁ ଲୁଟିଲେ ନକଲି କ୍ରାଇମ୍‌ ବ୍ରାଞ୍ଚ, ନେଇଗଲେ ୨ ଲକ୍ଷ

ନକଲି କ୍ରାଇମ୍‌ ବ୍ରାଞ୍ଚ ଜାଲରେ ପଡିଲେ ଅସଲି ସିବିଆଇ ଅଫିସର୍‌। ଫେକ୍‌ କଲ୍‌ କରି ତାଙ୍କ ଠାରୁ ଲୁଟି ନେଲେ ୨ ଲକ୍ଷ ଟଙ୍କା। ମୁମ୍ବାଇର ଜଣେ ସିବିଆଇ ଅଫିସର ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି। ତାଙ୍କ ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ଚଳୁ ହୋଇଥିବା ସେ ଅଭିଯୋଗ ଆଣିଛନ୍ତି।

ଏପ୍ରିଲ୍‌ ୨୬ ତାରିଖରେ ମୁମ୍ବାଇର ଜଣେ ୫୯ ବର୍ଷୀୟ ସିବିଆଇ ଅଫିସରଙ୍କ ନିକଟକୁ ଏକ ଅଜଣା ନମ୍ବରରୁ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜର ପରିଚୟ ଆଶିଷ ଶର୍ମ‌ା ବୋଲି ଦେଇଥିଲେ। ସେ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ ବ୍ରାଞ୍ଚରୁ କହୁଛନ୍ତି ଓ ସିବିଆଇ ଅଫିସ୍‌ରଙ୍କ ନାମରେ ଏକ ପାର୍ସଲ ପାଇଛନ୍ତି ବୋଲି କହିଥିଲେ। ଉକ୍ତ ପାର୍ସଲକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଜବତ କରାଯାଇଥିବା ସେ ସୂଚନା ଦେଇଥିଲା।

ଜବତ ପାର୍ସଲରେ ସିବିଆଇ ଅଫିସର୍‌ଙ୍କ ଆଧାର ନମ୍ବର ବି ଉଲ୍ଲେଖ ଥିବା ସେ କହିଥିଲେ। ସେହି ପାର୍ସଲ ଭିତରେ ୮ଟି ପାସ୍‌ପୋର୍ଟ, ୫ଟି କ୍ରେଡିଟ୍‌ କାର୍ଡ ଓ ୧୭୦ ଗ୍ରାମ୍‌ ଡ୍ରଗ୍ସ ମିଳିଛି ବୋଲି ଜଣାଇଥିଲେ। ୪୯ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ଏହି ଫୋନ୍‌ କଲ୍‌ରେ ଠକ ଜଣଙ୍କ ଅଧିକାରୀଙ୍କୁ ଡରାଇବା ସହ ଗିରଫ କରିବାକୁ ଧମକ ମଧ୍ୟ ଦେଇଥିଲେ।

ଏହାପରେ ଏପ୍ରିଲ ୨୮ ତାରିଖରେ ଆଉ ଜଣେ ବ୍ୟକ୍ତିଙ୍କ କଲ୍‌ ଉକ୍ତ ସିବିଆଇ ଅଫିସର୍‌ଙ୍କ ପାଖକୁ ଆସିଥିଲା। ଦିଲ୍ଲୀ ପୁଲିସ ଓ ଆର୍‌ବିଆଇ ଭେରିଫିକେସନ୍‌ ପ୍ରୋସେସ୍ ପାଇଁ କଥା ହେଉଥିବା ଜଣାଇଥିଲେ। ଏହାପରେ ସିବିଆଇ ଅଫିସରଙ୍କୁ ୨ ଲକ୍ଷ ଟଙ୍କା ଫିସ୍‌ ଭରିବାକୁ କହିଥିଲେ। ଠକଙ୍କ କଥା ଶୁଣି ସିବିଆଇ ଅଫିସର୍‌ ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରି ଦେଇଥିଲେ। ପ୍ରସୋସ୍‌ ସରିବା ପରେ ଏହି ଟଙ୍କା ତାଙ୍କୁ ଫେରସ୍ତ କରିଦିଆଯିବ ବୋଲି ଠକ ଜଣକ କହିଥିଲା। ହେଲେ ସିବିଆଇ ଅଫିସର ଜଣକ କିନ୍ତୁ ତାଙ୍କ ଟଙ୍କା ଆଉ ଫେରି ପାଇ ନଥିଲେ।

ପରେ ସିବିଆଇ ଅଫିସର ଜଣକ ସାଇବର ଠକେଇର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ସେ ମୁମ୍ବାଇ ସାଇବର ପୁଲିସରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି।