ଅସଲି ବ୍ରାଣ୍ଡ ବୋତଲରେ ନକଲି ଅପମିଶ୍ରିତ ତେଲ....
ବ୍ରହ୍ମପୁର ବଡ଼ ବଜାରରେ ନକଲି ତେଲ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ । ନାମୀଦାମୀ ନଡ଼ିଆ ତେଲ ଡବାର ଲୋଗୋ ବ୍ୟବହାର କରି ଠକେଇ ।
ଅସଲି ବ୍ରାଣ୍ଡ ଭଳି ଦିଶୁଥିବା ବୋତଲରେ ନକଲି ଅପମିଶ୍ରିତ ତେଲ। ବାହାରକୁ ଦେଖିଲେ ଲାଗୁଛି ଏକ ବ୍ରାଣ୍ଡେଡ୍ କମ୍ପାନୀର ନଡ଼ିଆ ତେଲ ଡବା। କିନ୍ତୁ ନାମ ଲେଖା ହୋଇଛି ଶିବାନୀ। ଏକ ବ୍ରାଣ୍ଡେଡ୍ କମ୍ପାନୀର ତେଲ ଆଣି ଅପମିଶ୍ରଣ କରି ତିଆରି କରାଯାଉଥିଲା ନକଲି ତେଲ।
ଏକ ଛୋଟ ଘର ଭିତରେ ଏଭଳି ଏକ ତେଲ ପ୍ରସ୍ତୁତକାରୀ କାରଖାନାର ଖୁଲାସା କରିଥିଲା ସଂପୃକ୍ତ କମ୍ପାନୀର ଲିଗାଲ୍ ଟିମ୍। ବ୍ରହ୍ମପୁର ଶାସ୍ତ୍ରୀନଗର ଫୋର୍ଥ୍ ଲେନରେ ଚାଲୁଥିଲା ଏହ କାରଖାନା। ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ଧରି ଏଭଳି ବେଆଇନ କାରବାର ଜାରି ରହିଥିଲା ଏଠାରେ।
ଶେଷରେ କମ୍ପାନୀ ଜାଣି ପାରି ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲା। ଅଭିଯୋଗ ପରେ ପୋଲିସ ଏହି ନକଲି ନଡ଼ିଆ ତେଲ କାରଖାନା ଉପରେ ଚଢ଼ାଉ କରିଛି। ବ୍ରାଣ୍ଡ, ଟ୍ରେଡ୍ ମାର୍କ, ଅକ୍ଷର ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିବା ସହ ରଞ୍ଜନ ପାତ୍ର ଏବଂ ତାଙ୍କ ପୁଅକୁ ପୋଲିସ ଧରି ଖୋଳତାଡ଼ କରୁଛି।
ସେପଟେ ଷ୍ଟିଲସିଟିରେ ରାଉରକେଲା ସହରରେ ନକଲି ଇଞ୍ଜିନ୍ ଅଏଲ୍ ଜବତ। ଗୋଟିଏ କି ୨ଟି ନୁହେଁ, ଶହ ଶହ ନକଲି ଇଞ୍ଜିନ ଅଏଲ୍ ଭର୍ତ୍ତି ଡବା ଜବତ କରିଛି ପୋଲିସ। ପ୍ଲାଣ୍ଟ ସାଇଟ୍ ଥାନା ଅନ୍ତର୍ଗତ ନାଲା ରୋଡର ରାଜା ଷ୍ଟ୍ରିଟ୍ ଅଞ୍ଚଳରୁ ଏସବୁକୁ ଜବତ କରାଯାଇଛି। ଏକ ବ୍ରାଣ୍ଡେଡ୍ କମ୍ପାନୀର ଲୋଗୋ ସହ ଲେବଲ୍ ମାରି ଏହି ଇଞ୍ଜିନ ଅଏଲ୍ ବିକ୍ରି କରାଯାଉଥିଲା। ଏନେଇ ସଂପୃକ୍ତ କମ୍ପାନୀ ପକ୍ଷରୁ ଅଭିଯୋଗ ପରେ ପୋଲିସ ଚଢ଼ାଉ କରିବା ସହ ଏସବୁକୁ ଜବତ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ବୋଲି କହିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ .ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଛି ପୋଲିସ।