ଅହମଦାବାଦ ବିମାନ ଦୁର୍ଘଟଣା – ଉଦ୍ଧାର କାର୍ଯ୍ୟ ଶେଷ, ଡିଏନଏ ପରୀକ୍ଷା ପରେ ହେବ ମୃତଦେହ ହସ୍ତାନ୍ତର

ଡେସ୍କ: ଅହମଦାବାଦ ବିମାନ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଦୁର୍ଘଟଣାରେ ଆହତ ଅନେକ ବ୍ୟକ୍ତି ଗୁଜୁରାଟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶ୍ରୀ ଶାହା ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଯେ, ଗୁରୁବାର ଅପରାହ୍ନରେ ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। […]

ଅହମଦାବାଦ ବିମାନ ଦୁର୍ଘଟଣା – ଉଦ୍ଧାର କାର୍ଯ୍ୟ ଶେଷ, ଡିଏନଏ ପରୀକ୍ଷା ପରେ ହେବ ମୃତଦେହ ହସ୍ତାନ୍ତର

ଡେସ୍କ: ଅହମଦାବାଦ ବିମାନ ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଦୁର୍ଘଟଣାରେ ଆହତ ଅନେକ ବ୍ୟକ୍ତି ଗୁଜୁରାଟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶ୍ରୀ ଶାହା ସେମାନଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଗଣମାଧ୍ୟମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି ଯେ, ଗୁରୁବାର ଅପରାହ୍ନରେ ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ଏୟାର ଇଣ୍ଡିଆର ଫ୍ଲାଇଟ ଏଆଇ-୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଛି ଏବଂ ଏଥିରେ ଅନେକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।


ସେ କହିଛନ୍ତି, ଏହି ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଛି ଏବଂ ସମବେଦନା ପ୍ରକାଶ କରୁଛି। ଭାରତ ସରକାର, ଗୁଜୁରାଟ ସରକାର, ପ୍ରଧାନମନ୍ତ୍ରୀ ଓ ଗୁଜୁରାଟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରୁଛନ୍ତି। ଦୁର୍ଘଟଣା ଘଟିବାର ୧୦ ମିନିଟ ମଧ୍ୟରେ ଭାରତ ସରକାରଙ୍କ ପାଖରେ ସୂଚନା ପହଞ୍ଚିଥିଲା ଏବଂ ମନ୍ତ୍ରୀ ଶ୍ରୀ ଶାହା ଗୁଜୁରାଟ ମୁଖ୍ୟମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ସ୍ବରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, ନିୟନ୍ତ୍ରଣ କକ୍ଷ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଓ ବିଭାଗୀୟ ମନ୍ତ୍ରୀଙ୍କ ସହ ଦୁର୍ଘଟଣା ସମ୍ପର୍କରେ କଥା ହୋଇଥିଲେ।


ଉଭୟ ଭାରତ ସରକାର ଓ ଗୁଜୁରାଟ ସରକାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ବିମାନରେ ଦେଶ ଓ ବିଦେଶର ୨୩୦ ଜଣ ଯାତ୍ରୀ ଓ ୧୨ ଜଣ ବିମାନ ପରିଚାଳକ ଦଳ ସଦସ୍ୟ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯାତ୍ରୀ ଜୀବିତ ଅଛନ୍ତି ଓ ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରୀ ମଧ୍ୟ ସାକ୍ଷାତ କରିଛନ୍ତି। ଡିଏନଏ ପରୀକ୍ଷା ପରେ ସମସ୍ତ ଯାତ୍ରୀଙ୍କ ପରିଚୟ ମିଳିବା ପରେ ମୃତକଙ୍କ ସଂଖ୍ୟା ଜଣାପଡିବ ବୋଲି ସେ କହିଛନ୍ତି। ବିମାନରେ ୧ ଲକ୍ଷ ୨୫ ହଜାର ଲିଟର ଇନ୍ଧନ ଥିଲା ଓ ବିମାନ ଭିତରେ ତାପମାତ୍ରା ଏତେ ବୃଦ୍ଧି ପାଇଥିଲା ଯେ କୌଣସି ଯାତ୍ରୀଙ୍କୁ ବଞ୍ଚାଇବା ସମ୍ଭମ ନ ଥିଲା।


ଶ୍ରୀ ଶାହା କହିଛନ୍ତି, ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଶେଷ ହୋଇଛି ଏବଂ ସେଠାରେ ପହଂଚୁ ଥିବା ଯାତ୍ରୀଙ୍କ ସମ୍ପର୍କୀୟଙ୍କ ଠାରୁ ଡିଏନଏ ସଂଗ୍ରହ କାର୍ଯ୍ୟ ଚାଲିଛି। ବିଦେଶର ଯାତ୍ରୀମାନଙ୍କ ସମ୍ପର୍କୀୟଙ୍କୁ ଇତିମଧ୍ୟରେ ସୂଚନା ଦିଆଯାଇ ସାରିଛି। ସେମାନେ ପହଂଚିବା ପରେ ଡିଏନଏ ସଂଗ୍ରହ କାର୍ଯ୍ୟ କରାଯିବ। ସମସ୍ତ ଡିଏନଏ ପରୀକ୍ଷା ଗୁଜରାଟରେ ହେବ ବୋଲି ଶ୍ରୀ ଶାହା କହିଛନ୍ତି। ରିପୋର୍ଟ ଆସିବା ପରେ ସମ୍ପର୍କୀୟ ମାନଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ।


ଶ୍ରୀ ଶାହା କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଦୁର୍ଘଟଣାର ଯାଞ୍ଚ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ତଦନ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ବିଭାଗୀୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।