ଆଇଆଇସି-ହୋମଗାର୍ଡଙ୍କ ପ୍ରେମ ଓ ପ୍ରତାରଣାର କାହାଣୀରେ ନୂଆ ମୋଡ଼

ହୋମଗାର୍ଡ ଗଣମାଧ୍ୟମରେ କରିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜଗତସିଂହପୁର ଏସ୍‌ପି।

ଆଇଆଇସି-ହୋମଗାର୍ଡଙ୍କ ପ୍ରେମ ଓ ପ୍ରତାରଣାର କାହାଣୀରେ ନୂଆ ମୋଡ଼

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନାର ନିଲମ୍ବିତ ଆଇଆଇସି ତପନ ନାହାକ ଓ ଜଗତସିଂହପୁର ଥାନାରେ କାର୍ଯ୍ୟରତ ଜଣେ ମହିଳା ହୋମଗାର୍ଡଙ୍କ ପ୍ରେମ ଓ ପ୍ରତାରଣାର କାହାଣୀରେ ଆସିଛି ନୂଆ ମୋଡ଼। ଆଇଆଇସି ତପନ ନାହାକ ଗିରଫ ହୋଇ ଜେଲ୍‌ରେ ଥିବା ବେଳେ ତାଙ୍କ ବିରୋଧରେ ପ୍ରତାରଣା ଅଭିଯୋଗ ଆଣିଥିବା ହୋମଗାର୍ଡଙ୍କୁ ୨୫ ଲକ୍ଷ ଟଙ୍କା ନେଇ ମାମଲା ରଫାଦଫା କରିବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏମିତିକି ତାଙ୍କ ବାପାମା’ଙ୍କୁ ମଧ୍ୟ ଏଥିପାଇଁ ଧମକ ଦିଆଯାଉଛି। ଟଙ୍କା ନେଇ ମାମଲା ପ୍ରତ୍ୟାହାର ନ କଲେ ସେ ଚାକିରି ସହିତ ଜୀବନ ହରାଇବେ ବୋଲି କୁହାଯାଇଛି। ପୁଣି ଆଉ କେହି ନୁହେଁ, ଜଣେ କନଷ୍ଟେବଳଙ୍କ ଜରିଆରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଏସ୍‌ପି ଏହି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ହୋମଗାର୍ଡ ଜଣଙ୍କ। ଅନ୍ୟପକ୍ଷରେ ଜଗତସିଂହପୁର ଜିଲ୍ଲା ଏସ୍‌ପି ଗଣମାଧ୍ୟମରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ (ହୋମଗାର୍ଡ) ଏଇ ଯେଉଁ ସବୁ କଥା କହୁଛନ୍ତି, ସେଗୁଡ଼ିକ ମିଛ।

ହୋମଗାର୍ଡ ଜଣଙ୍କ ଆଜି ଗଣମାଧ୍ୟମକୁ କହିଛନ୍ତି, ମୋର ଓ ଆମର ପୂର୍ବତନ ଆଇଆଇସି ତପନ ନାହାକଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଆମ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଠିକ୍ ଥିଲା। କିନ୍ତୁ ପରେ ଡିଷ୍ଟର୍ବାନ୍ସ ଦେଖାଦେଇଥିଲା। ଗତ ଶନିବାର ଆମର ଜଣେ କନଷ୍ଟେବଳ ସବ୍ୟସାଚୀ ମହାନ୍ତି ହ୍ୱାଟସଆପ୍ କଲ୍ ମାଧ୍ୟମରେ ମୋତେ ଷ୍ଟାଡିୟମକୁ ଡାକିଥିଲେ। ମୁଁ ସେଠାକୁ ଯାଇଥିଲି। ଆଡିସନାଲ ଏସ୍‌ପି ତାଙ୍କୁ ପଠାଇଥିବା ସେ କହିଥିଲେ। ୨୫/୨୭ ଲକ୍ଷ ନେଇ କେସ୍ ଉଠାଇ ନେବାକୁ ସେ ମୋତେ କହିଥିଲେ। ଆଇଆଇସି ତପନ ନାହାକ ଏହି ଟଙ୍କା ଦେବେ ବୋଲି ସେ ମୋତେ କହିଥିଲେ। ମାମଲା ନ ଉଠାଇଲେ ମୋ ଅବସ୍ଥା ଖରାପ ହୋଇଯିବ ଓ ମୋତେ ଚାକିରିରୁ ଡିସ୍‌ମିସ୍ କରିଦିଆଯିବ ବୋଲି ସେ କହିଥିଲେ। ମୁଁ ଏଫଆଇଆରରେ ମଧ୍ୟ ସେମାନଙ୍କ ନାଁ ଲେଖିଛି। କିନ୍ତୁ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ଯେହେତୁ ଗଣମାଧ୍ୟମରେ କିଛି ନକହିବାକୁ ମୋତେ ଧମକ ମିଳିଥିଲା, ସେଥିପାଇଁ ମୁଁ ପୂର୍ବରୁ କିଛି କହି ନଥିଲି। ମୋ ବାପାମା’ଙ୍କ ସହିତ ମୋର କିଛି ସଂପର୍କ ନାହିଁ ବୋଲି କହିବା ସତ୍ତ୍ୱେ ଗତକାଲି ଦୁଇ ଜଣ ଅଜଣା ଲୋକ ମୋ ଘରକୁ ଯାଇ ବାପାମା’ଙ୍କୁ ଧମକ ଦେଇଥିଲେ। ମୁଁ ଆପୋଷ ବୁଝାମଣା କରି କେସ୍ ନଉଠାଇଲେ ମୋତେ ମାରି ଦେବା ସହିତ ମୋ ପରିବାର ଲୋଙ୍କୁ ମଧ୍ୟ ସଫା କରି ଦିଆଯିବ ବୋଲି ସେମାନେ ଧମକ ଦେଇଥିଲେ। ସେଥିପାଇଁ ମୁଁ ଆଜି ଗଣମାଧ୍ୟମ ସମ୍ମୁଖକୁ ଆସିଲି। ମୋ ଜୀବନ ପ୍ରତି ବିପଦ ରହିଛି। ମୋତେ ନ୍ୟାୟ ଦରକାର।

ଅନ୍ୟପକ୍ଷରେ ଜଗତସିଂହପୁର ଏସ୍‌ପି ଭବାନୀ ଶଙ୍କର ଉଦଗାତା କହିଛନ୍ତି, ସେ (ମହିଳା ହୋମଗାର୍ଡ) ପ୍ରେସରେ ଯେଉଁ କଥା କହୁଛନ୍ତି, ତାହା ସଂପୂର୍ଣ୍ଣ ମିଛ। ଆଡିସନାଲ ଏସ୍‌ପି ଅଫିସରେ ଅଛନ୍ତି। ତାଙ୍କୁ (ମହିଳା ହୋମଗାର୍ଡ) ଷ୍ଟାଡିୟମକୁ ଡକା ଯାଇଥିବା ନେଇ ସେ ଯାହା କହୁଛନ୍ତି, ତାହା ମିଛ। ଆଡିସନାଲ ଏସ୍‌ପି ସେମିତି କିଛି କହି ନାହାନ୍ତି। ଆଡିସନାଲ ଏସ୍‌ପିଙ୍କ କହିବାରୁ କେହି ତାଙ୍କୁ ଷ୍ଟାଡିୟମକୁ ଭେଟିବାକୁ ଯାଇଥିଲେ ବୋଲି କିଛି ପ୍ରମାଣ ଅଛି କି? କାହା ପ୍ରୋରଚନାରେ ସେ ଏଭଳି କହୁଛନ୍ତି। ତାଙ୍କ ବାପା ଗତକାଲି ସକାଳ ଠାରୁ ଏଠାରେ ଥାନା ଭିତରେ କଲୋନୀରେ ଅଛନ୍ତି। ତେଣୁ ତାଙ୍କୁ ଗାଁରେ କିଏ ଧମକ ଦେଲା। ତାଙ୍କ ବାପା କାଲି ମୋତେ ଭେଟିବା ପାଇଁ ବି ଚେଷ୍ଟା କରିଥିଲେ। କିନ୍ତୁ ମୁଁ ମନା କରି ଦେଇଥିଲି। ତାଙ୍କ (ମହିଳା ହୋମଗାର୍ଡ) କ୍ୱାର୍ଟର୍ସ ପାଖରେ ଗାର୍ଡଙ୍କୁ ମୁତୟନ କରାଯାଇଛି। ତାଙ୍କ କ୍ୱାର୍ଟର୍ସ ପାଖକୁ ଯେମିତି କେହି ଯାଇ ନ ପାରିବେ, ସେ ନେଇ ଆଇଆଇସି ନିଜେ ତଦାରଖ କରୁଛନ୍ତି। ତେଣୁ ସେ ଏସବୁ ଯାହା କହୁଛନ୍ତି, ସେଗୁଡ଼ିକ ମିଛ। ସେହି ଦିଗରୁ ମଧ୍ୟ ତଦନ୍ତ କରାଯାଉଛି।

ଏଫ୍‌ଆଇଆରରେ କ’ଣ ଲେଖା ହୋଇଛି

ଆଇଆଇସି ତପନ ନାହାକ ଜଗତସିଂହପୁର ଥାନାରେ ଅତିରିକ୍ତ ଆଇଆଇସି ଥିବା ବେଳେ ଏହି ହୋମଗାର୍ଡଙ୍କ ସଂସ୍ପର୍ଶରେ ଆସିଥିଲେ। ସେ କିଛି ନା କିଛି ବାହାନା କରି ଏହି ମହିଳା ହୋମଗାର୍ଡଙ୍କୁ ତାଙ୍କ ଅଫିସ୍ ରୁମ୍‌କୁ ଡାକୁଥିଲେ। ଏମିତିକି ତାଙ୍କ ସେକ୍ସନକୁ ଯାଇ ମଧ୍ୟ ତାଙ୍କୁ କାମ କରି ଦେବା ପାଇଁ କହୁଥିଲେ ତପନ ନାହାକ। ହୋମଗାର୍ଡଙ୍କ ସହିତ ସେ ବହୁତ ସମୟ ଧରି କଥା ହୁଅନ୍ତି। ଜଣେ ଆଇଆଇସି କହୁଛନ୍ତି ଭାବି ପ୍ରତିବାଦ ନ କରି ସବୁ କାମ କରି ଦିଅନ୍ତି ହୋମଗାର୍ଡ ଜଣଙ୍କ। ହୋମଗାର୍ଡଙ୍କ ସମସ୍ତ ଷ୍ଟାଟସ ଦେଖୁଥିଲେ ତପନ ନାହାକ। ଏମିତିକି ପତ୍ନୀଙ୍କ ଅପରେସନ ପାଇଁ ଛୁଟିରେ ଯାଇଥିବା ବେଳେ ବି ଫୋନ୍ କରି ହୋମଗାର୍ଡଙ୍କ ସହିତ କଥା ହୋଇଥିଲେ ସେ। ହ୍ୱାଟସଆପ୍‌ରେ ମେସେଜ ମଧ୍ୟ କରିଥିଲେ। ପ୍ରେମ ସଂପର୍କିତ ଭିଡିଓ ପଠାଇଥିଲେ। କିନ୍ତୁ ହୋମଗାର୍ଡ ଏହାକୁ ଏତେ ଗୁରୁତ୍ୱ ଦେଇ ନଥିଲେ।

ଗତ ବର୍ଷ ନଭେମ୍ବର ମାସ ୧୭ ତାରିଖରେ ହୋମଗାର୍ଡ ଜଣଙ୍କ ବାଲିଯାତ୍ରା ଦେଖିବାକୁ ପାରାଦ୍ୱୀପ ବାହାରିଥିଲେ। ସେହି ସମୟରେ ତପନ ନାହାକ ମଧ୍ୟ ତାଙ୍କ ସହିତ ପାରାଦୀପ ଯିବାକୁ ବାହାରିଥିଲେ। ତପନ ନାହାକଙ୍କ ଗାଡ଼ିରେ ସେମାନେ ପାରାଦୀପ ଯାଇଥିଲେ। ସେଠାରେ ବୁଲାବୁଲି କରି ଫେରିବା ବାଟରେ ତପନ ନାହାକ ଗାଡ଼ିକୁ କେନ୍ଦ୍ରାପଡ଼ା ଅଭିମୁଖେ ନେଇଯାଇଥିଲେ ଓ ବାଟ ଭୁଲି ଯାଇଥିଲେ ବୋଲି କହିଥିଲେ। କିନ୍ତୁ ରାତିରେ ଫେରିବା ପରେ ପତନ ନାହାକ ହୋମଗାର୍ଡଙ୍କୁ ହ୍ୱାଟସଆପ୍‌ରେ ମେସେଜ କରିଥିଲେ ଯେ ସେଦିନ ଲଙ୍ଗ୍ ଡ୍ରାଇଭ ତୁମର ଜୀବନ ସାରା ମନେ ରହିବ। କିନ୍ତୁ ହୋମଗାର୍ଡ ଏହି କଥାକୁ ଏତେ ଗୁରୁତ୍ୱ ଦେଇ ନଥିଲେ। ଗତ ବର୍ଷ ନଭେମ୍ବର ମାସ ୨୧ ତାରିଖରେ ହୋମଗାର୍ଡ ପୁଣି ପାରାଦ୍ୱୀପ ବାହାରିଥିଲେ। ଏହା ଜାଣି ତପନ ନାହାକ ମଧ୍ୟ ତାଙ୍କ ସହିତ ଯିବା ପାଇଁ ବାହାରିଥିଲେ। ସେଦିନ ପାରାଦ୍ୱୀପରେ ତପନ ନାହାକ ତାଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ସେ ବିବାହିତ ହୋଇଥିବାରୁ ହୋମଗାର୍ଡ ତାଙ୍କ ପ୍ରେମ ନିବେଦନ ଗ୍ରହଣ କରି ନଥିଲେ। ସେତେବେଳେ ତପନ ନାହାକ କହିଥିଲେ ଯେ ଖୁବ୍‌ଶୀଘ୍ର ତାଙ୍କର ପୁରୀ ବଦଳି ହୋଇଯିବ ଓ ତା’ ପରେ ସେ ତାଙ୍କ ପତ୍ନୀକୁ ଛାଡ଼ପତ୍ର ଦେଇ ତାଙ୍କୁ (ହୋମଗାର୍ଡଙ୍କୁ) ବାହା ହେବେ। ତାଙ୍କୁ ଛାଡ଼ି ସେ ରହି ପାରିବେନି ବୋଲି କହିଥିଲେ। ତପନ ନାହାକ ବହୁତ ବୁଝାଇବା ସତ୍ତ୍ୱେ ହୋମଗାର୍ଡ ତାଙ୍କ ପ୍ରସ୍ତାବ ଗ୍ରହଣ କରି ନଥିଲେ। ଏହା ପରଠାରୁ ଥାନାରେ ତପନ ନାହାକ ପାଗଳଙ୍କ ପରି ବ୍ୟବହାର କରିଥିଲେ। ଏମିତିକି ହୋମଗାର୍ଡଙ୍କୁ ନିଜ ଚାମ୍ବରକୁ ଡାକି ପ୍ରସ୍ତାବ ଗ୍ରହଣ କରିବାକୁ କହୁଥିଲେ ଓ ନିଜକୁ ନିଜେ ଚାପୁଡ଼ା ମାରୁଥିଲେ। ତପନ ନାହାକଙ୍କ ବିବାହର ମିଛ ପ୍ରଲୋଭନ ତଥା ମରିଯିବାକୁ ଦେଇଥିବା ଧମକରେ ହୋମଗାର୍ଡ ତରଳି ଯାଇ ତାଙ୍କ ପ୍ରସ୍ତାବରେ ହଁ ଭରିଥିଲେ। ତେବେ ତାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ହୋମଗାର୍ଡ ଜଣଙ୍କ ଦିନେ ପୁରୀ ପଳାଇଥିଲେ। ସେ ସେଠାରେ ଦୁଇ ଦିନ ରହିଥିବା ବେଳେ ତପନ ନାହାକ ତାଙ୍କୁ ଭିଡିଓ କଲ୍ କରିଥିଲେ। ଏମିତିକି ନିଜେ ପୁରୀ ଯାଇ ହୋମଗାର୍ଡଙ୍କୁ ଜଗତସିଂହପୁର ଆଣିଥିଲେ।

ଧୀରେ ଧୀରେ ସେମାନଙ୍କ କଥା ଥାନାରେ ଆଲୋଚନା ହେଲା। ତେଣୁ ହୋମଗାର୍ଡ ଏସ୍‌ଡିପିଓଙ୍କ ଭେଟି ଅନ୍ୟ ଥାନାକୁ ତାଙ୍କୁ ବଦଳି କରି ଦେବାକୁ ଅନୁରୋଧ କରିଥିଲେ। ତେବେ ଏସ୍‌ଡିପିଓ ତାଙ୍କୁ ଏସ୍‌ପିଙ୍କ ନିକଟକୁ ଯିବାକୁ କହିଥିଲେ। ସେମାନଙ୍କ ମଧ୍ୟରେ ଝଗଡ଼ା ହେଉଥିଲା ଓ ପୁଣି ବୁଝାମଣା ହେଉଥିଲା। ତା’ ମଧ୍ୟରେ ଥରେ ହୋମଗାର୍ଡଙ୍କ ଦେହ ଖରାପ ହେଲା। ସେ ଥାନାକୁ ନ ଯାଇ ରୁମ୍‌ରେ ଶୋଇଥିବା ବେଳେ ତପନ ନାହାକ ସେଠାରେ ପହଞ୍ଚି ଯାଇଥିଲେ ଓ ତାଙ୍କ ସହିତ ରାତି ସାରା ରହିଥିଲେ। ତା’ର କିଛି ଦିନ ପରେ ଥରେ ରାତିରେ ତପନ ନାହାକ ପୂର୍ବରୁ କୌଣସି ସୂଚନା ନଦେଇ ହୋମଗାର୍ଡଙ୍କ ରୁମ୍‌ରେ ପହଞ୍ଚିଥିଲେ ଓ ଜୋରଜବରଦସ୍ତି ତାଙ୍କ ସହିତ ଶାରୀରିକ ସଂପର୍କ ରଖିଥିଲେ। ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ତାଙ୍କୁ ବିବାହ କରିବେ ବୋଲି ତପନ ନାହାକ ଭଗବାନଙ୍କ ରାଣ ପକାଇ ଶପଥ ନେଇଥିଲେ। ଏହି ଘଟଣାର କିଛି ଦିନ ପରେ ହୋମଗାର୍ଡ ବିବାହ କଥା ଉଠାଇଥିଲେ। କିନ୍ତୁ ଏହା ଶୁଣି ତପନ ନାହାକ ତାଙ୍କୁ ଏଡ଼ାଇ ଦେଇଥିଲେ। ଏଣୁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ପରେ ପରେ ତପନ ନାହାକଙ୍କର କୁଜଙ୍ଗ ଥାନାକୁ ବଦଳି ହୋଇଯାଇଥିଲା। ସେ ସେଠାରେ ଆଇଆଇସି ଭାବେ ଯୋଗ ଦେଇଥିଲେ। ହୋମଗାର୍ଡ ଜଣଙ୍କ ପୁଣି ବିବାହ କଥା ଉଠାଇବାରୁ ଶ୍ରୀ ନାହାକ ତାଙ୍କୁ ଚଳିତ ବର୍ଷ ଜାନୁଆରୀ ୩୦ ତାରିଖ ପର୍ଯ୍ୟନ୍ତ ସମୟ ଦେବାକୁ କହିଥିଲେ। ସେହି ସମୟ ଗଡ଼ି ଯିବା ପରେ ହୋମଗାର୍ଡଙ୍କ ଫୋନ୍ ଉଠାଇ ନଥିଲେ ଆଇଆଇସି ତପନ ନାହାକ। ବହୁବାର ଫୋନ୍ କରିବା ପରେ ସେ ଉଠାଇଥିଲେ ଓ ହୋମଗାର୍ଡଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ତା’ ସହିତ ପୁଣି ସମୟ ମାଗିଥିଲେ। ଏଇ କିଛି ଦିନ ତଳେ ହୋମଗାର୍ଡ ଜଣଙ୍କ ତାଙ୍କୁ ପୁଣି ଫୋନ୍ କରିବାକୁ ଶ୍ରୀ ନାହାକ ଏସ୍‌ପି ଓ ଅତିରିକ୍ତ ଏସ୍‌ପିଙ୍କୁ କହି ତାଙ୍କୁ ଚାକିରିରୁ ବାହାର କରି ଦେବେ ବୋଲି କହିଥିଲେ। ତପନ ନାହାକ ଭଲ ପାଇବାର ମିଛ ଅଭିନୟ କରି ଓ ବିବାହର ପ୍ରତିଶ୍ରୁତି ଦେଇ ତାଙ୍କୁ ଠକି ଦେଇଛନ୍ତି ବୋଲି ହୋମଗାର୍ଡ ତାଙ୍କ ଏଫଆଇଆରରେ ଲେଖିଛନ୍ତି। ଏହା ସହିତ ଜଗତସିଂହପୁରର ଅତିରିକ୍ତ ଏସ୍‌ପି ଜଣେ ଡିଆଇବି କନଷ୍ଟେବଳଙ୍କ ଜରିଆରେ ତାଙ୍କୁ ମାମଲା ରଫାଦଫା କରିବାକୁ ପ୍ରସ୍ତାବ ପଠାଇଥିଲେ ବୋଲି ସେ ଏଫ୍‌ଆଇଆରରେ ଉଲ୍ଲେଖ କରିଛନ୍ତି। ଟଙ୍କା ନେଇ ମାମଲା ରଫାଦଫା ନ କଲେ ତାଙ୍କୁ ହତ୍ୟା କରି ଦିଆଯିବ ବୋଲି ମଧ୍ୟ ସେ ଲେଖିଛନ୍ତି।