'ଆଇନର ଆଶ୍ରୟ ନେବୁ..'; ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଚେତାବନୀ

ଇଭିଏମ୍ ତ୍ରୁଟି ଅଭିଯୋଗ ପ୍ରସଙ୍ଗରେ ନିର୍ବାଚନ ଆୟୋଗ ଦେଇଥିବା ଉତ୍ତରରେ ଆୟୋଗ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବା ଅଭିଯୋଗ କରିଛି କଂଗ୍ରେସ। ଏହା ସହିତ ଦଳକୁ ଅପମାନିତ କରିବାକୁ ଚେଷ୍ଟା କରୁଥିବାରୁ ଆଇନର ଆଶ୍ରୟ ନେବାକୁ ଚେତାବନୀ ଦେଇଛି କଂଗ୍ରେସ।

'ଆଇନର ଆଶ୍ରୟ ନେବୁ..'; ନିର୍ବାଚନ ଆୟୋଗଙ୍କୁ କଂଗ୍ରେସର ଚେତାବନୀ

ହରିୟାଣା ବିଧାନସଭା ନିର୍ବାଚନ ସହ ଜଡିତ କଂଗ୍ରେସର ଅଭିଯୋଗ ଉପରେ ନିର୍ବାଚନ ଆୟୋଗଙ୍କ ଉତ୍ତର ଦଳକୁ ଅସନ୍ତୁଷ୍ଟ କରିଛି। ଏକ ତିନି ପୃଷ୍ଠାର ପତ୍ର ଲେଖି ଏହାର ଜବାବ ରଖିଛି କଂଗ୍ରେସ। ଏହି ପ୍ରସଙ୍ଗରେ ନିର୍ବାଚନ ଆୟୋଗ ନିଜକୁ କ୍ଲିନଚିଟ୍ ଦେଇଥିଲେ। ଏହା ସହିତ କଂଗ୍ରେସକୁ ତୀବ୍ର ସମାଲୋଚନା କରିବା ସହିତ ଭିତ୍ତିହୀନ ଅଭିଯୋଗ ଠାରୁ ଦୂରେଇ ରହିବାକୁ ଚେତାବାନୀ ଦେଇଥିଲେ। ଯଦି ନିର୍ବାଚନ ଆୟୋଗ ଦଳ ପ୍ରତି ଏଭଳି ଭାଷା ବ୍ୟବହାର ଜାରି ରଖନ୍ତି, ତେବେ ଆଇନଗତ ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି କଂଗ୍ରେସ।

ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ନିଜ ଏକ୍ସ ହ୍ୟାଣ୍ଡେଲରେ ନିର୍ବାଚନ ଆୟୋଗଙ୍କୁ ଲେଖାଯାଇଥିବା ଏହି ଚିଠି ପୋଷ୍ଟ କରିଛନ୍ତି। ଏଥିରେ ଲେଖାଯାଇଛି, 'ଆମର ଅଭିଯୋଗ ଉପରେ ଆପଣଙ୍କ (ନିର୍ବାଚନ ଆୟୋଗଙ୍କ) ପ୍ରତିକ୍ରିୟାକୁ ଆମେ ଯତ୍ନର ସହ ଅଧ୍ୟୟନ କରିଲୁ। ଆମେ ଆଶ୍ଚର୍ଯ୍ୟ ନୁହେଁ ଯେ ନିର୍ବାଚନ ଆୟୋଗ ନିଜକୁ ଏହି ମାମଲାରେ କ୍ଲିନଚିଟ୍ ପ୍ରଦାନ କରିଛନ୍ତି। ଆମେ ସାଧାରଣ ଭାବେ ଏହି ପ୍ରସଙ୍ଗକୁ ଛାଡି ଦେଇଥାଆନ୍ତୁ। କିନ୍ତୁ ଆୟୋଗଙ୍କ ପ୍ରତିକ୍ରିୟାର ସ୍ୱର ଏବଂ ଭାବନା, କଂଗ୍ରେସ ଦଳ ପ୍ରତି ବ୍ୟବହୃତ ଭାଷା, ଦଳ ବିରୋଧରେ ଆଣିଥିବା ଅଭିଯୋଗ କାରଣରୁ ଆମେ ପ୍ରତିକ୍ରିୟା ଦେବାକୁ ବାଧ୍ୟ ହେଲୁ।'

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ ଲେଖାଯାଇଥିବା ଏହି ଉତ୍ତର ପତ୍ରରେ କଂଗ୍ରେସ ଲେଖିଛି, ଯଦି ଆୟୋଗ ଏକ ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳର ଅଭିଯୋଗ ଶୁଣନ୍ତି କିମ୍ବା ଏହି ଦଳ ଉଠାଇଥିବା ଅଭିଯୋଗର ସତ୍ୟାସତ୍ୟ ଯାଞ୍ଚ କରନ୍ତି, ତେବେ ଏହା କୌଣସି ଭୁଲ ନୁହେଁ। ହେଲେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (EVM)ର ବ୍ୟାଟେରୀ ସହ ଜଡିତ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବା ପରିବର୍ତ୍ତେ ଆୟୋଗ ଦ୍ୱନ୍ଦ୍ୱ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ଅଭିଯୋଗର ସ୍ପଷ୍ଟ ଉତ୍ତର ଦିଆନଯାଇ ଅଭିଯୋଗକାରୀଙ୍କୁ ଅସମ୍ମାନ କରିବା ଉପରେ ଗୁରୁତ୍ୱ ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଛି। 

କଂଗ୍ରେସ ପଠାଇଥିବା ଏହି ଚିଠିରେ ଜୟରାମ ରମେଶଙ୍କ ସମେତ ଦଳର ସଂଗଠନ ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡା, ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍ ଓ ଅଭିଷେକ ମନୁ ସିଂଭିଙ୍କ ଭଳି ଅନ୍ୟ କେତେକ ବରିଷ୍ଠ ନେତାଙ୍କ ଦସ୍ତଖତ ରହିଛି।

ହରିୟାଣା ବିଧାନସଭା ନିର୍ବାଚନରେ ​​ଅନିୟମିତତା ନେଇ କଂଗ୍ରେସ କରିଥିବା ଅଭିଯୋଗକୁ ନିର୍ବାଚନ ଆୟୋଗ ପ୍ରତ୍ୟାଖ୍ୟାନ କରିଥିଲେ। ଆୟୋଗ କହିଥିଲେ ଯେ ଦଳ ବାରମ୍ବାର ନିର୍ବାଚନ ଫଳାଫଳର ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି କରୁଛି। ଦଳ ଯେତେବେଳେ ନିର୍ବାଚନ ପ୍ରକ୍ରିୟାରୁ ଆଶାଜନକ ରେଜଲ୍ଟ ପାଉନାହିଁ, ସେତେବେଳେ ଭିତ୍ତିହୀନ ଅଭିଯୋଗ ଆଣୁଛି। ହରିୟାଣା ବିଧାନସଭା ନିର୍ବାଚନ ଓ ଗଣତି ପ୍ରକ୍ରିୟା ସଂପୂର୍ଣ୍ଣ ଦାଗହୀନ ରହିଥିଲା ବୋଲି ନିର୍ବାଚନ କମିଶନ କହିଥିଲେ। ଏପରି ଅଭିଯୋଗ ଅଶାନ୍ତି, ଅଯଥା ବିବାଦ ଓ ସାମାଜିକ ବ୍ୟବସ୍ଥାରେ ବିଭ୍ରାଟ କରିପାରେ ବୋଲି କମିଶନ ଆଶଙ୍କା କରିବା ସହ ଏଭଳି ତଥ୍ୟହୀନ ଓ ସମ୍ବେଦନଶୀଳ ଅଭିଯୋଗ ଠାରୁ ଦୂରେଇ ରହିବାକୁ ବିରୋଧୀ ଦଳକୁ ପରାମର୍ଶ ଦେଇଥିଲେ। ଯାହାର ଆଜି ଜବାବ ରଖିଛି କଂଗ୍ରେସ।