ପାଟ୍ଟଶାଣୀଙ୍କ ସାଂଘାତିକ ଅଭିଯୋଗ: ବିଜୁବାବୁଙ୍କୁ ‘ଭାରତ ରତ୍ନ’ ମିଳିବାକୁ ବିରୋଧ କରୁଥିଲେ ପାଣ୍ଡିଆନ

ଏକ ସାକ୍ଷାତକାର ଦେଇ ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ, ବିଜୁବାବୁଙ୍କୁ ‘ଭାରତ ରତ୍ନ’ ମିଳୁ ବୋଲି ସେ ସଂସଦରେ ଦାବି ଉପସ୍ଥାପନ କରିଥିଲେ । ଯାହାକୁ ପାଣ୍ଡିଆନ ବିରୋଧ କରିଥିଲେ । ଆଉ ଫୋନ୍ କରି କାହିଁକି ଏଭଳି ଦାବି କରୁଛ ବୋଲି ପ୍ରଶ୍ନ କରିଥିଲେ ।

ପାଟ୍ଟଶାଣୀଙ୍କ ସାଂଘାତିକ ଅଭିଯୋଗ: ବିଜୁବାବୁଙ୍କୁ ‘ଭାରତ ରତ୍ନ’ ମିଳିବାକୁ ବିରୋଧ କରୁଥିଲେ ପାଣ୍ଡିଆନ

ବିଜେଡିର ୨୪ବର୍ଷ ଶାସନର ପତନର କାରଣ ସାଜିଥିବା ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ପୁଣିଏକ ସାଂଘାତିକ ଅଭିଯୋଗ । ବିଜୁ ପରିବାର ସଦସ୍ୟମାନଙ୍କୁ ନାପସନ୍ଦ କରୁଥିଲେ ପାଣ୍ଡିଆନ । ଏପରିକି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଓ ତାଙ୍କ କନ୍ୟା ଗୀତା ମେହେଟ୍ଟାଙ୍କୁ ଜାତୀୟସ୍ତରରେ ସମ୍ମାନ ମିଳୁ ବୋଲି ପାଣ୍ଡିଆନ ଚାହୁଁନଥିଲେ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ । ବିଜୁବାବୁଙ୍କୁ ‘ଭାରତରତ୍ନ’  ମିଳିବା ଦାବିକୁ ମଧ୍ୟ ପାଣ୍ଡିଆନ ବିରୋଧ କରୁଥିଲେ ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି ।

ଏକ ସାକ୍ଷାତକାର ଦେଇ ଶ୍ରୀ ପାଟ୍ଟଶାଣୀ କହିଛନ୍ତି ଯେ, ବିଜୁବାବୁଙ୍କୁ ‘ଭାରତ ରତ୍ନ’ ମିଳୁ ବୋଲି ସେ ସଂସଦରେ ଦାବି ଉପସ୍ଥାପନ କରିଥିଲେ । ଯାହାକୁ ପାଣ୍ଡିଆନ ବିରୋଧ କରିଥିଲେ । ଆଉ ଫୋନ୍ କରି କାହିଁକି ଏଭଳି ଦାବି କରୁଛ ବୋଲି ପ୍ରଶ୍ନ କରିଥିଲେ । ଭବିଷ୍ୟତରେ ଏଭଳି ଦାବି ନକରିବାକୁ ମଧ୍ୟ ପାଣ୍ଡିଆନ ତାଗିଦ୍ କରିଥିଲେ । କେବଳ ସେତିକି ନୁହେଁ ବିଜୁବାବୁଙ୍କ କନ୍ୟା ଗୀତା ମେହେଟ୍ଟାଙ୍କୁ ରାଜ୍ୟସଭା ପଠାଯାଉ ବୋଲି ଦାବି କରିଥିଲି । ତାହା ମଧ୍ୟ ପାଣ୍ଡିଆନଙ୍କୁ ପସନ୍ଦ ହୋଇନଥିଲା । କାହିଁକି ଏସବୁ କଥା କହୁଛନ୍ତି ବୋଲି ପଚାରିବା ସହ ମୋତେ ଚୁପ୍ ରହିବାକୁ ବାଧ୍ୟ କରାଯାଇଥିଲା ବୋଲି ଶ୍ରୀ ପାଟ୍ଟଶାଣୀ କହିଛନ୍ତି । ଆଉ ‘ଭଗବାନ’ଙ୍କ ନାଁ ନେଇ ଏସବୁ ସତ ବୋଲି  ମଧ୍ୟ କହିଥିଲେ । ଏହାସହିତ ପାଣ୍ଡିଆନଙ୍କ ଔଦ୍ଧତ୍ୟ ଓ ଗର୍ବ ପାଇଁ ବିଜେଡିକୁ ଏଭଳି ଫଳ ଭୋଗିବାକୁ ପଡ଼ିଲା ବୋଲି ପାଟ୍ଟଶାଣୀ କହିଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ ଦଳ ବିଜୁବାବୁଙ୍କ ନାଁ ଓ ଆଦର୍ଶରେ ଗଢ଼ା ହୋଇଥିଲା ସେହି ଦଳର ନେତାମାନେ ଯଦି ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ପାଇଁ ଦାବି କଲେ ତାକୁ ପାଣ୍ଡିଆନ ବିରୋଧ କରିବା ପଛରେ କ’ଣ ରହସ୍ୟ ରହିଛି । ଏପରିକି ବିଜୁବାବୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ବିରୋଧ କରି ପାଣ୍ଡିଆନ ବିଜେଡିରେ କାହାର ଉଦ୍ଦେଶ୍ୟକୁ ଚରିତାର୍ଥ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି । ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ପାଣ୍ଡିଆନଙ୍କ ଭୂମିକା ସନ୍ଦେହଘେରକୁ ଆସିଥିଲା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କବଳିତ କରି ପାଣ୍ଡିଆନ ନିଜର ମାତ୍ରାଧିକ ମାମଲାତି ଓ ତ୍ରୁଟିପୂର୍ଣ୍ଣ ରଣନୀତି କରିବା ଯୋଗୁ ଦଳକୁ ୨୪ବର୍ଷ ପରେ କ୍ଷମତାରୁ ବିଦା ହେବାକୁ ପଡ଼ିଥିଲା । ଏବେ ଶ୍ରୀ ପାଟ୍ଟଶାଣୀଙ୍କ ଏଭଳି ବୟାନ ପରେ ପାଣ୍ଡିଆନ ବିଜେଡିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବା ପାଇଁ କାର୍ଯ୍ୟ କରୁଥିବା ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଲାଣି ।

ବିଜେଡି ସୂତ୍ର ଅନୁସାରେ, ୨୦୧୨ ମସିହାରେ ପ୍ୟାରୀ ମହାପାତ୍ର ବିଦା ହେବାପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟତର ହୋଇ ପାଣ୍ଡିଆନ ଅତ୍ୟନ୍ତ ଚତୁରତାର ସହ ବିଜୁ ପରିବାର ସଦସ୍ୟ ଓ ଅନୁଗତମାନଙ୍କୁ ବିଜେଡିରୁ ବିଦା କରିଛନ୍ତି । ନବୀନଙ୍କଠୁ ଦୂରେଇ ଦେଇଛନ୍ତି । ଏପରିକି ୨୦୧୪ ମସିହାରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ବିଜେଡି ବିଭିନ୍ନ ପ୍ରସଙ୍ଗରେ ସହଯୋଗର ହାତ ବଢ଼ାଇଥିଲା । କିନ୍ତୁ ଦଳ କେବେବି କେନ୍ଦ୍ର ସରକାରଙ୍କ ପାଖରେ ବିଜୁବାବୁଙ୍କୁ ଭାରତରତ୍ନ ଦେବା ପାଇଁ ଆନୁଷ୍ଠାନିକ ଦାବି କରିନଥିଲା । ଯଦିଓ ପାଣ୍ଡିଆନଙ୍କ ଇଙ୍ଗିତରେ ବିଜେଡିର ରଣନୀତି ପ୍ରସ୍ତୁତ ହେଉଥିଲା । ଏପରିକି ୨୦୧୫ ଡିସେମ୍ବର ୧୬ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ‘ବିଜୁବାବୁଙ୍କ ଭାରତରତ୍ନ ଦେବା’କୁ ପାରିତ ହୋଇଥିଲା । କିନ୍ତୁ ସେତେବେଳେ ବିଜେଡି ଶାସକ ଦଳରେ ଥାଇ ମଧ୍ୟ ଦୁଇ ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପିକୁ ଏଥିରେ ସାମିଲ କଲାନି । ଉପରଠାଉଣିଆ ବିଜୁବାବୁଙ୍କୁ ଭାରତରତ୍ନ ସଂକଳ୍ପ ପାରିତ କଲା ସିନା ତାହା କେନ୍ଦ୍ର ସରକାରଙ୍କ ନିକଟକୁ ଆଜିପର୍ଯ୍ୟନ୍ତ ପଠାଯାଇନଥିବା ଜଣାପଡ଼ିଛି । ଏହାପରେ ପାଣ୍ଡିଆନଙ୍କ ନେତୃତ୍ୱାଧୀନ ବିଜେଡି ସବୁଦିନ ପାଇଁ ଏହି ଦାବିକୁ ଶୀତଳଭଣ୍ଡାରକୁ ପକାଇ ଦେଇଥିଲା । ଅବଶ୍ୟ ନବୀନ ୨୦୧୭ ଏପ୍ରିଲ ମାସରେ ତାଙ୍କ ପିତାଙ୍କୁ ଭାରତରତ୍ନ ଦିଆଯାଉ ବୋଲି ଦାବି ଦୋହରାଇଥିଲେ । କିନ୍ତୁ ଶାସକ ଦଳ ଭାବେ ବିଜେଡି ସେତେବେଳେ ଏହି ଦାବି ହାସଲ ପାଇଁ ଯେଭଳି ପ୍ରୟାସ କରିବା କଥା ତାହା କରିନଥିଲା । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଚାନକ ଏହି ପ୍ରସଙ୍ଗ ଉଠାଇ ବିଜୁ ପଟ୍ଟନାୟକଙ୍କୁ ଭାରତରତ୍ନ ଦେବାକୁ ବିଜେଡି ନେତାମାନେ ଦାବି କରିଥିଲେ । କିନ୍ତୁ ତାହା ଭୋଟକୁ ଆଖିରେ ରଖି ବିଜେଡି କରୁଛି ବୋଲି ସାଧାରଣରେ ଧାରଣା ହୋଇଥିଲା ।

ମାତ୍ର ଏବେ ଶ୍ରୀ ପାଟ୍ଟଶାଣୀ ମୁହଁ ଖୋଲି ‘ବିଜୁ ପରିବାର’ ପ୍ରତି ପାଣ୍ଡିଆନଙ୍କ ପରୋକ୍ଷରେ ଘୃଣାଭାବ କିଭଳି ରହିଛି ତାହା ଉଜାଗର କରିବା ପରେ ବିଜେଡିରେ ‘ଗୃହଭେଦୀ ବିଭୀଷଣ’ ହୋଇ ପାଣ୍ଡିଆନ ହିଁ ଦଳକୁ ଧ୍ୱଂସ କରିବାର ମାର୍ଗ ପ୍ରଶସ୍ତ କରୁଥିବା ଚର୍ଚ୍ଚା ଜୋର ଧରିଛି ।