ଆଉ ଜଣେ ପାକିସ୍ତାନ ଅଧିକାରୀ ବହିଷ୍କୃତ, ୨୪ ଘଣ୍ଟାରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ପାକିସ୍ତାନର ଅଧିକାରୀ ଜଣଙ୍କ ଅଫିସିଆଲ ଷ୍ଟାଟସ ବାହାରକୁ ଯାଇ କାମ କରୁଥିଲେ। ଏକଥା ଜଣାପଡ଼ିବା ପରେ ଭାରତ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଆଉ ଜଣେ ପାକିସ୍ତାନ ଅଧିକାରୀ ବହିଷ୍କୃତ, ୨୪ ଘଣ୍ଟାରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଚରମସୀମାରେ ପହଞ୍ଚିଥିବା ବେଳେ ନୂଆଦିଲ୍ଲୀ ପକ୍ଷରୁ ଆଉ ଏକ ବଡ଼ ପଦକ୍ଷେପ ନିଆଯାଇଛି। ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ହାଇକମିଶନର ଆଉ ଜଣେ ଅଧିକାରୀଙ୍କୁ ଆଜି ଭାରତ ସରକାର ବହିଷ୍କାର କରିଛନ୍ତି। ଏଥିସହ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନର ଅଧିକାରୀ ଜଣଙ୍କ ଅଫିସିଆଲ ଷ୍ଟାଟସ ବାହାରକୁ ଯାଇ କାମ କରୁଥିଲେ। ଏକଥା ଜଣାପଡ଼ିବା ପରେ ଭାରତ ସରକାର ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନରେ କାର୍ଯ୍ୟ କରୁଥିବା ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ସରକାର ବହିଷ୍କାର କରିଛନ୍ତି। ସେ ନିଜର କାର୍ଯ୍ୟକଳାପକୁ ଅଫିସିଆଲ ଷ୍ଟାଟସ ମଧ୍ୟରେ ରଖୁ ନଥିଲେ। ଉକ୍ତ ଅଧିକାରୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାକିସ୍ତାନ ହାଇ କମିଶନର ଚାର୍ଜ ଡି ଆଫେୟାରଙ୍କୁ ଏ ସମ୍ପର୍କରେ ସମନ କରାଯାଇଥିଲା। ତାଙ୍କୁ ବିଧିବଦ୍ଧ ଭାବେ ଏହା ଅବଗତ କରି ଦିଆଯାଇଛି। ପାକିସ୍ତାନ ଅଧିକାରୀ କିମ୍ବା କୂଟନୀତିଜ୍ଞମାନେ ଯେମିତି ଭାରତରେ ସେମାନଙ୍କ ପଦର ଅପବ୍ୟବହାର ନ କରିବେ, ତା’କୁ ସେ ନିଶ୍ଚିତ କରନ୍ତୁ ବୋଲି କୁହାଯାଇଛି।”

ଚଳିତ ମାସରେ ଭାରତ ସରକାର ଦ୍ୱିତୀୟ ଥର ପାଇଁ କୌଣସି ପାକିସ୍ତାନୀ ଅଧିକାରୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ମେ’ ୧୩ରେ ଅଫସିଆଲ ଷ୍ଟାଟସ ବାହାରେ କାମ କରୁଥିବା ଆଉ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଭାରତ ସରକାର ବହିଷ୍କାର କରିଥିଲେ।