ଆଉ ନିର୍ବାଚନ ଲଢ଼ିବେ ନାହିଁ ନିରଞ୍ଜନ, ଅନ୍ୟ ବରିଷ୍ଠ ନେତାଙ୍କୁ ଦେଲେ ଇସାରା
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି ।
ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଆଉ ନିର୍ବାଚନ ଲଢ଼ିବେ ନାହିଁ । ଦଳରେ ଯୁବପୀଢ଼ୀଙ୍କୁ ବାଟ ଛାଡ଼ିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ନିରଞ୍ଜନ ଘୋଷଣା କରିଛନ୍ତି । ପୂର୍ବରୁ ବରିଷ୍ଠ ନେତା ନରସିଂହ ମିଶ୍ର ମଧ୍ୟ ଏଭଳି ଘୋଷଣା କରି ନିର୍ବାଚନ ଲଢ଼ି ନଥିଲେ। ନିରଞ୍ଜନ ଏଭଳି ଘୋଷଣା ମାଧ୍ୟମରେ ଦଳରେ ଥିବା ତାଙ୍କ ସମସାମୟିକ ନେତାମାନଙ୍କୁ ମଧ୍ୟ ରିଟାର୍ଡ ହେବାକୁ ଇସାରା ଦେଇଛନ୍ତି ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନିରଞ୍ଜନ କହିଛନ୍ତି ଯେ, ବୟସାଧିକ୍ୟ ଯୋଗୁ ସେ ଭବିଷ୍ୟତରେ କୌଣସି ପ୍ରକାରର ନିର୍ବାଚନ ଲଢ଼ିବେ ନାହିଁ । ଯୁବ ନେତୃତ୍ୱଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି । ଯେଉଁମାନେ ନୂଆ ଚିନ୍ତା ଓ ଶକ୍ତିରେ ରାଜନୀତିରେ ପ୍ରବେଶ କରିବେ । ତେବେ ସେ ଦଳକୁ ନିଜର ମାର୍ଗଦର୍ଶନ ଜାରି ରଖିବେ ବୋଲି ସଙ୍କେତ ଦେଇଛନ୍ତି ।
ପୂର୍ବତନ ପିସିସି ସଭାପତି ନିରଞ୍ଜନଙ୍କ ବୟାନ ଏଭଳି ସମୟରେ ଆସିଛି ଯେତେବେଳେ କି ଦଳରେ ପୁରୁଖା ନେତାମାନଙ୍କୁ ଏକଜୁଟ କରିବାରେ ବର୍ତ୍ତମାନର ପିସିସି ସଭାପତି ଭକ୍ତଚରଣ ଦାସ ଲାଗି ପଡ଼ିଛନ୍ତି । ଦଳର ପୁରୁଖା ଓ ଯୁବ ନେତାମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ରାଜ୍ୟରେ କଂଗ୍ରେସକୁ କ୍ରିୟାଶୀଳ କରିବା ପାଇଁ ଭକ୍ତ ପଦକ୍ଷେପ ନେଉଥିବାବେଳେ ନିରଞ୍ଜନ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇ ଅନ୍ୟ ବରିଷ୍ଠ ନେତାମାନଙ୍କୁ ତାଙ୍କ ମାର୍ଗ ଅନୁସରଣ କରିବାକୁ ସନ୍ଦେଶ ଦେଇଛନ୍ତି । ଯୁବ ନେତୃୃତ୍ୱଙ୍କୁ ଆଗକୁ ଆଣି ସଂଗଠନକୁ ଲୋକାଭିମୁଖୀ କରିବା ପାଇଁ ସେ ନିର୍ବାଚନୀ ଲଢ଼େଇରେ ସାମିଲ ହେବେନି ବୋଲି କହିଛନ୍ତି ।
ସୂଚନାଯୋଗ୍ୟ, ଆସନ୍ତା ୨୭ତାରିଖରେ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ରାଜଧାନୀ ଭୁବନେଶ୍ୱରରେ ନିଜର ଶକ୍ତି ପ୍ରଦର୍ଶନ କରିବ। ମହିଳା ନିର୍ଯାତନା ଓ ଆଇନଶୃଙ୍ଖଳା ପ୍ରସଙ୍ଗରେ ବିଧାନସଭା ସମ୍ମୁଖରେ କଂଗ୍ରେସ ଏହି ବିଶାଳ ସମାବେଶ କରିବ ବୋଲି ଜଣାପଡ଼ିଛି ।