ଆଉ ମିଳୁନି ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲ୍ଲୀ ବାଇଗଣ
ମାଲକାନଗିରି (ଅଶୋକ ମିଶ୍ର):ବିଗତ ଶତାବ୍ଦୀ ଓ ଦଶକ ଗୁଡିକରେ ରାଜ୍ୟରେ ଖୁବ ପ୍ରସିଦ୍ଧି ଲାଭ କରିଥିଲା ଏଠାକାର ବାଇଗଣ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗୀର, ସମ୍ୱଲପୁରରେ ବି ଗୋବିନ୍ଦପାଲ୍ଲୀ ବାଇଗଣ ନାମରେ ପ୍ରସିଦ୍ଧ ଥିବା ସହିତ ସ୍ଥାନୀୟ ଚାଷୀଙ୍କ ପାଇଁ ବି ଭଲ ରୋଜଗାର ଦେଉଥିଲା। ତେବେ ଗତ ଦୁଇ ଦଶକରେ ଆଧୁନିକ ଚାଷ ନାମରେ ଏଠି ହେଉଥିବା ବାଇଗଣ, ଭେଣ୍ଡି, ଟମାଟୋ ଓ ଲଙ୍କା ଆଉ ବଜାରରେ ଦେଖିବାକୁ ମିଳୁନି। ରାଜ୍ୟରେ ସୁନାମ ଅର୍ଜନ କରିଥିବା […]

ମାଲକାନଗିରି (ଅଶୋକ ମିଶ୍ର):ବିଗତ ଶତାବ୍ଦୀ ଓ ଦଶକ ଗୁଡିକରେ ରାଜ୍ୟରେ ଖୁବ ପ୍ରସିଦ୍ଧି ଲାଭ କରିଥିଲା ଏଠାକାର ବାଇଗଣ। ଭୁବନେଶ୍ୱର, କଟକ, ବ୍ରହ୍ମପୁର, ବଲାଙ୍ଗୀର, ସମ୍ୱଲପୁରରେ ବି ଗୋବିନ୍ଦପାଲ୍ଲୀ ବାଇଗଣ ନାମରେ ପ୍ରସିଦ୍ଧ ଥିବା ସହିତ ସ୍ଥାନୀୟ ଚାଷୀଙ୍କ ପାଇଁ ବି ଭଲ ରୋଜଗାର ଦେଉଥିଲା। ତେବେ ଗତ ଦୁଇ ଦଶକରେ ଆଧୁନିକ ଚାଷ ନାମରେ ଏଠି ହେଉଥିବା ବାଇଗଣ, ଭେଣ୍ଡି, ଟମାଟୋ ଓ ଲଙ୍କା ଆଉ ବଜାରରେ ଦେଖିବାକୁ ମିଳୁନି।
ରାଜ୍ୟରେ ସୁନାମ ଅର୍ଜନ କରିଥିବା ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଅଞ୍ଚଳର ବିଭିନ୍ନ ପ୍ରଜାତିର ବାଇଗଣ ବର୍ତ୍ତମାନ ଆଉ ମିଳୁନି। ପ୍ରୋତ୍ସାହନ ଅଭାବରୁ ପ୍ରଜାତିର ସୁସ୍ୱାଦୁ ବାଇଗଣ ଚାଷ ଲୋକ ଧିରେ ଧିରେ ବନ୍ଦ କଲେଣି। ନିଜର ପରିଚୟ ସୃଷ୍ଟି କରିଥିବା ଏ ବାଇଗଣର ମୁଖ୍ୟତଃ ମଞ୍ଜି ଖୁବ କମ ହୁଏ ଓ ଆକାରରେ ଅଧା କିଲୋରୁ ଏକ କିଲୋ ପର୍ଯ୍ୟନ୍ତ ହୁଏ। ଏହାର ସୁଗନ୍ଧ ମଧ୍ୟ ଖୁବ ଆକର୍ଷଣୀୟ।
ଗୋବିନ୍ଦପାଲ୍ଲୀ ଆଖ ପାଖର ଧୁଙ୍ଗିଆପୁଟ, ଗୋବିନ୍ଦପାଲ୍ଲୀ, କୁଟୁଣୀପାଲ୍ଲୀ ପ୍ରଭୃତି ପଞ୍ଚାୟତ ସପ୍ତଧାରା ଓ ଏହାର ଉପନଦୀ ଧର୍ମଧାରାର ଅବବାହିକାରେ ଆସେ ଶହ ଶହ ଏକର ଚାଷ ଉପତ୍ୟକା। ପାହାଡି ନଦୀ ଗୁଡିକର ଅବବାହିକା ଓ ଉପତ୍ୟକା ପ୍ରତି ବର୍ଷ ବର୍ଷାଦିନେ ପାହାଡି ପଟୁ ମାଟିରେ ଖୁବ ଉର୍ବର ହୋଇଥାଏ। ନଦୀର ଦୁଇପଟର ବାଲୁକା ଶଯ୍ୟା ଯୁକ୍ତ ଚାଷ ଉପଯୋଗୀ ଅଞ୍ଚଳକୁ ଏଠାକାର ଆଦିବାସୀ ଭାଷାରେ “ଅଟାଲ’ କହନ୍ତି। ତେଣୁ ଏଠି ଚାଷ ହେଉଥିବା ଝୁମ୍ପା, ପେଣ୍ଡି, ବଡ ବାଇଗଣ ପ୍ରଜାତି ଅଟାଲ ବାଇଗଣ ବୋଲି ପ୍ରସିଦ୍ଧି ଲାଭ କରିଥିଲା। ଏଠି ଅଟାଲରେ ଚାଷ ହେଉଥିବା ଦେଶୀ ଟମାଟକୁ ଭେଜରି ବୋଲି କହନ୍ତି। ତେବେ ଏ ଭେଜରି ଆକାରରେ ଖୁବ ବଡ ନ ହେଲେ ବି ବର୍ତ୍ତମାନ ବଜାରରେ ମିଳୁଥିବା ଟମାଟୋ ଠାରୁ ଭଲ ଓ ଅଳ୍ପ ଖଟା। ସେମିତି ଭେଣ୍ଡିରେ ଯେଉଁ ପ୍ରଜାତି ଏସବୁ ଅଟାଲ ଗୁଡିକରେ ଚାଷ ହେଉଥିଲା ସେଗୁଡିକରେ ନାଳୁଆ ଅଂଶ ଖୁବ କମ କିନ୍ତୁ ଖୁବ ସୁସ୍ୱାଦୁ।
ସବୁଠୁ ବଡ କଥା ହେଉଛି ପୁରା ବିଶ୍ୱରେ ଜୈବିକ କୃଷିକୁ ବହୁତ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଏଠାକାର ଅଟାଲ ଚାଷ ସଂପୁର୍ଣ ଜୈବିକ ହିଁ ହୁଏ। କୌଣସି ପ୍ରକାର ରାସାୟନିକ ସାର ଓ କୀଟନାଶକ ବ୍ୟବହାର ହେଉ ନ ଥିବାରୁ ଏ ବାଇଗଣ ସୁସ୍ୱାଦୁ ଓ ସ୍ୱାସ୍ଥ୍ୟକର ହେଉଥିଲା। ଅତି ବେଶୀରେ କେହି କେହି ଅଳ୍ପ ଗୋବର ପ୍ରୟୋଗ କରୁଥିଲେ। ପଟୁ ମାଟିରେ ଏ ବିଶିଷ୍ଟ ପ୍ରଜାତିର ବିହନରେ ପ୍ରସ୍ତୁତ ବାଇଗଣ ଆକାର ଖୁବ ବଡ, ମଞ୍ଜି ଖୁବ କମ ଏ ରଙ୍ଗ ମୂଳତଃ ଧଳା ହେଉଥିଲା। ମୁଖ୍ୟତଃ ଝୁମ୍ପା, ପେଣ୍ଡି ଓ ବଡ ବାଇଗଣ ବାଇଗଣ ଓ ଫୁଲେରି ଟମାଟ ନିକଟତମ ଗୋବିନ୍ଦପାଲ୍ଲୀ ବଜାରରେ ଶୀତ ଦିନରୁ ଆରମ୍ଭ କରି ଖରା ଦିନର ଶେଷ ପର୍ଯ୍ୟନ୍ତ ମିଳୁଥିଲା।
ତେବେ ମୂଳ କଥା ହେଉଛି ଅଟାଲ ଚାଷ ଓ ବିନା ରାସାୟନିକ ସାର କୀଟନାଶକରେ ହୁଏ, ଯାହା ଧିରେ ଧିରେ ବନ୍ଦ ହେବାକୁ ବସିଲାଣି। ବଜାରରେ ଚାହିଦା ଥିଲେ ମଧ୍ୟ ଉଚିତ ସୁବିଧାସୁଯୋଗ ଓ ବିପଣନ ରାସ୍ତା ଠିକରେ ଚାଷୀଙ୍କ ପାଖରେ ନ ଥିବାରୁ ପ୍ରଜାତି ଗୁଡିକ ଲୋପ ତ ପାଉଛି ତା ସହିତ ଗୋବିନ୍ଦପାଲ୍ଲୀର ପରିଚୟ କୁହାଯାଉଥିବା ଅଟାଲ ବାଇଗଣ ଲୋପ ବି ହେଉଛି।