ଆକାଉଣ୍ଟଧାରୀ ଜାଣିନାହାନ୍ତି, ତାଙ୍କ ନାଁରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ !

ଝରିଗାଁ ଥାନାରେ ଅଭିଯୋଗ କଲେ ୧୨ ହିତାଧିକାରୀ । ଥାନାରେ ଏତଲା ପରେ ପୋଲିସର ତନାଘନା ତଦନ୍ତ ।

ଆକାଉଣ୍ଟଧାରୀ ଜାଣିନାହାନ୍ତି, ତାଙ୍କ ନାଁରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକ୍ସନ !

କମ୍ ସୁଧରେ ଋଣ ମିଳିବା ଆଶାରେ ଆକାଉଣ୍ଟ ଖୋଲିଥିଲେ। ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କରେ ଆକାଉଣ୍ଟ ଖୋଲିଥିଲେ ନବରଙ୍ଗପୁର ଝରିଗାଁ ଅଞ୍ଚଳର ଦଶରଥ ସାନ୍ତା। ମାସ ମାସ ବିତିଥିଲେ ବି ପାସବୁକ୍ କି ଚେକବୁକ୍ ମିଳି ନଥିଲା। ସନ୍ଦେହ ବଢ଼ିଥିଲା। ସତ ଜାଣିବା ପରେ ପାଦ ତଳୁ ଝସି ଯାଇଥିଲା ମାଟି । ତାଙ୍କ ଅଜାଣତରେ ଆକାଉଣ୍ଟରେ ୨ କୋଟିରୁ ଅଧିକ ଟଙ୍କାର ଟ୍ରାଞ୍ଜାକସନ୍ ହୋଇଛି।

ଏପ୍ରିଲ ୧୦ରେ ଚନ୍ଦାହାଣ୍ଡିର ଉତ୍କର୍ଷ ସ୍ମଲ ଫାଇନାନ୍ସରେ ଦଶରଥ ଆକାଉଣ୍ଟ ଖୋଲିଥିଲେ। ଜୁନ୍ ସୁଦ୍ଧା ଆକାଉଣ୍ଟରେ ୨ କୋଟି ୫୫ଲକ୍ଷରୁ ଅଧିକ ଟଙ୍କାର କାରବାର ହୋଇଛି। କେବଳ ଦଶରଥ ନୁହନ୍ତି, ଝରିଗାଁ ଅଞ୍ଚଳର୧୨ ଜଣ ହିତାଧିକାରୀ ଏମିତି ଅଭିଯୋଗ କରିଛନ୍ତି। ଝରିଗାଁ ଥାନାରେ ଏତଲା ଦେଇଛନ୍ତି ସମସ୍ତେ।

କରେଣ୍ଟ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଟ୍ରାଞ୍ଜାକସନ୍ ହୋଇଛି। ଏପ୍ରିଲରୁ ଜୁନ୍ ଭିତରେ ହୋଇଛି ସବୁ କାରବାର। ଅଭିଯୋଗ ହୋଇଛି, ଖାତା ଖୋଲିବା ବେଳେ ଜମାକାରୀ ଦେଇଥିବା ମୋବାଇଲ୍ ନମ୍ବର ଓ ଇମେଲ୍ ଆଇଡିକୁ ପରିବର୍ତ୍ତନ କରାଯାଇଛି। ପ୍ରଶ୍ନ ଉଠୁଛି ଏମିତି କାମ କଲା କିଏ ? ଏପଟେ ଆକାଉଣ୍ଟଧାରୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆଶଙ୍କାରେ ଭୟଭୀୟ ଅଛନ୍ତି।

ଏହି ଘୋଟାଲାରେ ଉତ୍କର୍ଷ ସ୍ମଲ ଫାଇନାନ୍ସ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଭୂମିକା ନାହିଁ ତ ? ଯେଉଁ ସବୁ ଟ୍ରାଞ୍ଜାକସନ୍ ହୋଇଛି କିଏ କରୁଥିଲା ? ଟଙ୍କା ଆସୁଥିଲା କୁଆଡୁ ଓ ଯାଉଥିଲା କୁଆଡ଼େ ? ଜମାକାରୀଙ୍କ ଅଜାଣତରେ କଳଧନକୁ ଧଳା କରିବାକୁ ଏମିତି ଆକାଉଣ୍ଟ ଖୋଲାଯାଇଥିଲା କି ? ବ୍ୟାଙ୍କ କର୍ମଚାରୀଠାରୁ ସମସ୍ତ ଦସ୍ତାବିଜ ଅଣାଯାଇଛି। ପୁଙ୍ଖାନୁଫୁଙ୍ଖ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଝରିଗାଁ ଥାନା ପୋଲିସ କହିଛି ।