ଆଖୁ ରସ ପିଉଥିଲେ ଅବସରପ୍ରାପ୍ତ ଶିକ୍ଷକ, ଲୁଟ୍ ହୋଇଗଲା ୬୦ ହଜାର ଟଙ୍କା

ଘରକୁ ଫେରୁଥିବା ବେଳେ ଶୋଷ ଲାଗିବାରୁ ଭୂଷଣ ପ୍ରଧାନ ବାଟରେ ଆଖୁ ରସ ପିଇବା ପାଇଁ ଅଟକି ଥିଲେ।

ଆଖୁ ରସ ପିଉଥିଲେ ଅବସରପ୍ରାପ୍ତ ଶିକ୍ଷକ, ଲୁଟ୍ ହୋଇଗଲା ୬୦ ହଜାର ଟଙ୍କା

ଆଖୁ ରସ ପିଉଥିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଲୁଟେରା ତାଙ୍କଠାରୁ ନେଇଯାଇଛନ୍ତି ୬୦ ହଜାର ଟଙ୍କା। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ପୁଞ୍ଜିକୟାଁ ଛକରେ। 

ଲୁଟ୍‌ର ଶିକାର ହୋଇଥିବା ଅବସରପ୍ରାପ୍ତ ଶିକ୍ଷକଙ୍କ ନାଁ ଭୂଷଣ ପ୍ରଧାନ। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଦିଗପହଣ୍ଡି ସ୍ଥିତ ଏକ ବ୍ୟାଙ୍କରୁ ସେ ୬୦ ହଜାର ଟଙ୍କା ଉଠାଇ ଘରକୁ ଫେରୁଥିଲେ। ଟଙ୍କାକୁ ଏକ ବ୍ୟାଗରେ ରଖି ସେ ତାଙ୍କ ବାଇକର ହ୍ୟାଣ୍ଡେଲରେ ଝୁଲାଇ ଦେଇଥିଲେ। 

ଘରକୁ ଫେରୁଥିବା ବେଳେ ଶୋଷ ଲାଗିବାରୁ ଭୂଷଣ ପ୍ରଧାନ ବାଟରେ ଆଖୁ ରସ ପିଇବା ପାଇଁ ଅଟକି ଥିଲେ। ସେ ବାଇକ୍ ରଖି ଦୋକାନୀଙ୍କୁ ଆଖୁ ରସ ମାଗିଥିଲେ। ଆଖୁ ରସ ପିଇ ଫେରିଲା ବେଳକୁ ବାଇକ୍‌ରେ ତାଙ୍କ ଟଙ୍କା ବ୍ୟାଗଟି ନଥିଲା। ବାଇକ୍‌ଟି ତାଙ୍କଠାରୁ ବେଶି ଦୂରରେ ମଧ୍ୟ ନଥିଲା। ତେବେ ସେ ବାଇକକୁ ପଛ କରି ଆଖୁ ରସ ପିଇବା ମଧ୍ୟରେ କେହି ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ଫେରାର ହୋଇଯାଇଥିଲା।

ଭୂଷଣ ପ୍ରଧାନ ଏହି ଘଟଣା ନେଇ ଦିଗପହଣ୍ଡି ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ଯାଞ୍ଚ କରିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।