ଆଜି ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ; ନିଲାମ ହେଲା ମରିଚିକୁଣ୍ଡ ଜଳ

ଚଳିତବର୍ଷ ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ କିଭଳି ପାଳନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି। ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି ।

ଆଜି ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ; ନିଲାମ ହେଲା ମରିଚିକୁଣ୍ଡ ଜଳ

ଆଜି ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଅପରାହ୍ଣ ୧୨ଟା ୩୦ରୁ ଠାକୁରଙ୍କ ପହଣ୍ଡି ଓ ରଥାରୂଢ ଆରମ୍ଭ ହେବ । ଅପରାହ୍ନ ୩ଟା ୩୦ରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ । ଆସନ୍ତା ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏନେଇ କମିଶନରେଟ ପୋଲିସ୍ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ସରିଛି । ବିଶ୍ବାସ ରହିଛି ବାବା ଲିଙ୍ଗରାଜ ପ୍ରତିମାକୁ ରଥାରୂଢ ଅବସ୍ଥାରେ ଦର୍ଶନ କଲେ ସମସ୍ତ ପାପ ଦୂର ହୋଇଥାଏ।

ତେବେ ରୁକୁଣା ରଥଯାତ୍ରାର ପରିଚାଳନା ନିମନ୍ତେ ସମନ୍ୱୟ ବୈଠକ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଏହି ବୈଠକ । ଚଳିତବର୍ଷର ରଥଯାତ୍ରା ଓ ବାହୁଡା ଯାତ୍ରା ପାରମ୍ପରିକ ଭାବେ ଶାନ୍ତିଶୃଙ୍ଖଳା ଓ ଆନନ୍ଦ ଉଲ୍ଲାସର ସହ କିଭଳି ପାଳନ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି। ପୋଲିସ୍ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ୍ ଗଠନ କରାଯାଇଛି । ରଥରୋଡ଼ରେ କୌଣସି ଗାଡ଼ି ଯାଇପାରିବନି, ଏହାସହ ମାଉସୀମା' ଛକରୁ ଗାଡ଼ିକୁ ଡାଇଭର୍ଟ କରାଯିବ ।

ଅଧିକ ପଢ଼ନ୍ତୁ: କାହିଁକି ହେଲା ଅଶୋକାଷ୍ଟମୀ; ମାତା ସୀତାଙ୍କ ସହ କ’ଣ ରହିଛି ସମ୍ୱନ୍ଧ

ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ, ଜଳ ସମ୍ପଦ ବିଭାଗ, ବିଏମ୍‌ସି, ବିଦ୍ୟୁତ୍‌ ବିଭାଗ ପରି ବିଭିନ୍ନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ରଥଯାତ୍ରାରେ ସହଯୋଗ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ମଧ୍ୟ ମନ୍ଦିର ପ୍ରଶାସନ ପକ୍ଷରୁ ଆମନ୍ତ୍ରଣ କରାଯାଇଛି। ମନ୍ଦିର ସିଂହଦ୍ୱାରକୁ ଫୁଲରେ ସଜାଯାଇଥିବା ବେଳେ ଆଲୋକୀକରଣ ମଧ୍ୟ କରାଯାଇଛି।

ରୁକୁଣା ରଥ ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ମରିଚିକୁଣ୍ଡ ଜଳ ନିଲାମ ହୋଇଛି। ପ୍ରଥମ କଳସ ପାଣି ଆଗେ ୨୧ ହଜାର ଟଙ୍କାରେ ନିଲାମ ଡକା ଯାଇଥିଲା । ଶେଷରେ ୨୪ ହଜାର ଟଙ୍କାରେ ଏହାକୁ ନିଲାମ କରାଯାଇଥିଲା। ଜଗତସିଂହପୁର କୃଷ୍ଣଦାସପୁର ଅଞ୍ଚଳର ମନମୋହନ ବାରିକଙ୍କ ପତ୍ନୀ ସୋନାଲି ନିଲାମ ଧରିଥିଲେ । ତାପରେ ଗୋଟିଏ ପରେ ଗୋଟିଏ କଳସ ପାଣି ବଡୁ ନିଯୋଗ ପକ୍ଷରୁ ନିଲାମ କରାଯାଇଥିଲା । ମରିଚିକୁଣ୍ଡ ଜଳରେ ଗାଧୋଇଲେ ମାନସିକଧାରୀଙ୍କ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ମରିଚିକୁଣ୍ଡ ଜଳରେ ଆଜି ରଥ ପ୍ରତିଷ୍ଠା ହେବ।

ପୁରାଣ ଅନୁଯାୟୀ, ରାବଣଦ୍ୱାରା ଅପହୃତା ସୀତା ଅଶୋକ ବନରେ ଥିବା ସମୟରେ ପୁନର୍ବସୁ ନକ୍ଷତ୍ରଯୁକ୍ତ ଏହି ଅଷ୍ଟମୀ ତିଥିରେ ପ୍ରଭୁ ରାମଙ୍କ ସହିତ ପୁନର୍ମିଳନ ପାଇଁ ସେ ଅଶୋକ କଢ଼ି ଦ୍ୱାରା ଶିବ ଆରାଧନା କରିଥିଲେ। ସେହି ପରମ୍ପରା ଅନୁଯାୟୀ ନିଜର ଏବଂ ନିଜ ପରିବାରର ଦୁଃଖ ଦୁର୍ଦ୍ଦଶା ଦୂରୀକରଣ ପୂର୍ବକ ଶାନ୍ତି ଓ ସମୃଦ୍ଧି ପ୍ରାପ୍ତି ପାଇଁ ଏହି ଦିନ ହିନ୍ଦୁ ନାରୀମାନେ ବ୍ରତ ପାଳନ ପୂର୍ବକ ଆଠଟି ଅଶୋକ କଢ଼ି ଶିବଙ୍କୁ ସମର୍ପଣ କରି ନିଜର ଉପବାସ ଭଙ୍ଗ କରିଥାନ୍ତି।

ଅନ୍ୟ ଏକ ମତ ଅନୁଯାୟୀ, ରାବଣକୁ ମାରି ବ୍ରହ୍ମହତ୍ୟା ପାପ ଅର୍ଜନ କରିଥିବା କାରଣରୁ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶକ୍ରମେ ଭଗବାନ ରାମଚନ୍ଦ୍ର ସପରିବାର ଏକାମ୍ର ବନକୁ ଆସି ପ୍ରଭୁ ଲିଙ୍ଗରାଜଙ୍କର ପୂଜା ଅର୍ଚ୍ଚନା କରିଥିଲେ। ଏଥିରେ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ରାମେଶ୍ୱରଠାରେ ମନ୍ଦିର ପ୍ରତିଷ୍ଠା ପୂର୍ବକ ପୂଜା ଅର୍ଚ୍ଚନା କରିବାକୁ ରାମଚନ୍ଦ୍ରଙ୍କୁ କହିଥିଲେ ଏବଂ ବର ଯାଚନା କରିଥିଲେ।