ଆଜି ଜାତୀୟ କନ୍ୟା ସନ୍ତାନ ଦିବସ
ସ୍ବାଧୀନତାର ଏତେ ବର୍ଷ ପରେ ବି ଥମିନି କନ୍ୟାଭ୍ରୂଣ ହତ୍ୟା। ଲୋକ ଆଧୁନିକତା ଆଡ଼କୁ ଗତି କରୁଥିବାବେଳେ ଆଜି ବି ଝିଅ ଓ ପୁଅଙ୍କ କ୍ଷେତ୍ରରେ ପ୍ରଭେଦ ଘଟଣାମାନ ନଜର ଆସୁଛି। ବର୍ତ୍ତମାନ ସମୟରେ ପୁଅମାନଙ୍କ ତୁଳନାରେ ଝିଅମାନେ କିଛି କମ୍ ନୁହଁନ୍ତି । ତଥାପି ସମାଜରେ ଝିଅଟିଏ ଅଣଦେଖା ଓ ଅଲୋଡ଼ା ହୋଇ ରହିଛି । ପୁଅଟିଏ ଜନ୍ମ ହେଲେ ରୋଜଗାରକ୍ଷମ ହେବ, ପରିବାର ଚଳାଇବ, ବୃଦ୍ଧାବସ୍ଥାରେ ବାପା ମା’ଙ୍କ ଯତ୍ନ ନେବ। ସବୁଠୁ ବଡ଼ […]

ସ୍ବାଧୀନତାର ଏତେ ବର୍ଷ ପରେ ବି ଥମିନି କନ୍ୟାଭ୍ରୂଣ ହତ୍ୟା। ଲୋକ ଆଧୁନିକତା ଆଡ଼କୁ ଗତି କରୁଥିବାବେଳେ ଆଜି ବି ଝିଅ ଓ ପୁଅଙ୍କ କ୍ଷେତ୍ରରେ ପ୍ରଭେଦ ଘଟଣାମାନ ନଜର ଆସୁଛି। ବର୍ତ୍ତମାନ ସମୟରେ ପୁଅମାନଙ୍କ ତୁଳନାରେ ଝିଅମାନେ କିଛି କମ୍ ନୁହଁନ୍ତି । ତଥାପି ସମାଜରେ ଝିଅଟିଏ ଅଣଦେଖା ଓ ଅଲୋଡ଼ା ହୋଇ ରହିଛି । ପୁଅଟିଏ ଜନ୍ମ ହେଲେ ରୋଜଗାରକ୍ଷମ ହେବ, ପରିବାର ଚଳାଇବ, ବୃଦ୍ଧାବସ୍ଥାରେ ବାପା ମା’ଙ୍କ ଯତ୍ନ ନେବ। ସବୁଠୁ ବଡ଼ କଥା ହେଉଛି ବଂଶ ରକ୍ଷା କରିବ। ଅପର ପକ୍ଷରେ କନ୍ୟା ସନ୍ତାନଟିଏ ଜନ୍ମ ନେଲେ ପରଘରକୁ ଚାଲିଯିବ ଓ ଯୌତୁକ ପାଇଁ ଅଭିଭାବକଙ୍କ ଉପରେ ବୋଝ ସାଜିବ। ଏଭଳି ରୁଗ୍ଣ ମାନସିକତା ଆଜି ବି ଆମ ସମାଜରେ ରହିଛି।
ସରକାରଙ୍କର ବେଟି ବଚାଓ, ବେଟି ପଢାଓ, ସେଭ ଦି ଗାର୍ଲ ପରି ଅନେକ ଅଭିଯାନ ସତ୍ତ୍ବେ ସମାଜରେ କନ୍ୟାସନ୍ତାନ ଅଲୋଡ଼ା ଅଖୋଜା ହୋଇରହିଛନ୍ତି। କନ୍ୟା ସନ୍ତାନର ସୁରକ୍ଷା ପାଇଁ ପ୍ରତ୍ୟେକ ବର୍ଷ ଜାନୁୟାରୀ ୨୪ ତାରିଖକୁ ଜାତୀୟ କନ୍ୟା ଦିବସ ଭାବେ ପାଳନ କରାଯାଏ। କନ୍ୟା ସନ୍ତାନମାନଙ୍କ ସାମାଜିକ ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି ଓ ସେମାନେ ଏକ ସମ୍ମାନଜନକ ଜୀବନ ଜିଇଁବା ଦିଗରେ ଗୃହ, ଗୋଷ୍ଠୀ ଏବଂ ଅନୁଷ୍ଠାନମାନଙ୍କରେ ଅନୁକୂଳ ବାତାବରଣ ନିର୍ମାଣ କରିବା ନିମନ୍ତେ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟସ୍ତରରେ ଏବଂ ବିଭିନ୍ନ ଜିଲ୍ଲାଗୁଡ଼ିକରେ ଏହି ଦିବସ ପାଳନ କରାଯାଏ। ଜାତୀୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ୨୦୦୮ ମସିହାରେ ପ୍ରଥମ ଥର ପାଇଁ ଜାତୀୟ କନ୍ୟା ଦିବସ ପାଳନ ପାଇଁ ପଦକ୍ଷେପ ନିଆଯାଇଥିଲା। ଶୋଷିତ, ନିର୍ଯାତିତ ଶିଶୁକନ୍ୟାମାନଙ୍କୁ ଉଦ୍ଧାର କରି ସମାଜରେ ସଚେତନତା ସୃଷ୍ଟି କରାଇ ଶିକ୍ଷା, ସ୍ବାସ୍ଥ୍ୟ, ସୁବିଧା ସୁଯୋଗ ଯୋଗାଇଦେବା ଏହି ଦିବସ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ।