ଆଜି ଧନତେରସ, ସୁନା କିଣିବାକୁ ଗହଣା ଦୋକାନରେ ଗହଳି

ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ବିଶ୍ବାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଛି।

ଆଜି ଧନତେରସ, ସୁନା କିଣିବାକୁ ଗହଣା ଦୋକାନରେ ଗହଳି

ସୋ ରୁମରେ ସୁନା ଗହଣାର ସମ୍ଭାର । ଚାରିଆଡେ ଝଟକୁଛି ସୁନା, ରୂପା, ହୀରା ଓ ପ୍ଲାଟିନମ୍‌ର ଅଳଙ୍କାର । ନୂଆ ଡିଜାଇନ୍, ତା ଉପରେ ଆକର୍ଷଣୀୟ ଅଫର । ଦର ଉଚ୍ଚା ରହିଛି, ହେଲେ କମିନି ଚାହିଦା । କାରଣ ଆଜି ଧନତେରସ୍ । ସୁଖ ଓ ସମୃଦ୍ଧିର ପର୍ବ । ବିଶ୍ୱାସ ରହିଛି ଧନତେରସରେ ଘରକୁ ସୁନା, ରୁପା ଆଣିଲେ ଶୁଭ । ତେଣୁ ଦୋକାନରେ ଖଚାଖଚ ଭିଡ଼ । କିଏ ନେକଲେସ୍, କାନଫୁଲ ଓ ରିଙ୍ଗ୍ କିଣୁଛି ତ କିଏ ପରମ୍ପରା ପାଳନ ପାଇଁ ସୁନା-ରୂପା କଏନଟିଏ ବି କିଣି ନେଉଛି । ପାଖରେ ଥିବା ଧନକୁ ଦେଖି ଧନତେରସରେ ଚାଲିଛି ସୁନା-ରୂପା କିଣା ।

ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ଧନତେରସରେ ସୁନା କିଣିବାକୁ ଆଗ୍ରହ କାହିଁରେ କଣ। ଦୋକାନୀ ବି ପ୍ରସ୍ତୁତ । କିଏ ସୁନା, ରୂପାର ଗଢା ମଜୁରୀ ଉପରେ ରିହାତି ଦେଉଛି ତ କାହାର ଡାଇମଣ୍ଡ ଓ ପ୍ଲାଟିନମ୍ କିଣା ଉପରେ ସ୍ୱତନ୍ତ୍ର ଅଫର । ଧନତେରସ ପାଇଁ ସୋରୁମରେ ଭଳିକି ଭଳି ଅଫର । ଯାହାର ଫାଇଦା ଉଠାଇବାକୁ ପହଁଚିଛନ୍ତି ଗ୍ରାହକ । ଆଗକୁ ଦାମ୍ ବଢିବା ଆଶଙ୍କା ଏବଂ ନଭେମ୍ବରରୁ ବିବାହ ଋତୁ ଆରମ୍ଭ ହେଉଥିବାରୁ ସୁନା କିଣିବାକୁ ଆଗ୍ରହ ଦେଖାଉଛନ୍ତି ଗ୍ରାହକ । ସୁନା ଦର ଦିନକୁ ଦିନ ବଢୁଥିବାରୁ ସଂଚୟ କରିବା ଲକ୍ଷ୍ୟରେ ବି ଅନେକ କିଣାକିଣି କରିଛନ୍ତି ।

ଏପଟେ ଧନତେରସରେ ସଜାଗ ଜିଏସଟି ବିଭାଗ । ରାଉରକେଲାର ଅଗ୍ରୱାଲ ଜୁଏଲାରୀରେ CT ଆଣ୍ଡ GST ବିଭାଗ ପକ୍ଷରୁ ହୋଇଛି ରେଡ୍ । ଗ୍ରାହକଙ୍କୁ ସଠିକ୍ ବିଲ ଦେଉ ନ ଥିବା ଏବଂ ବେଆଇନ୍ ଭାବେ ସୁନା ଗଛିତ ରଖିଥିବା ଅଭିଯୋଗରେ ବ୍ୟାପକ ଯାଂଚ୍ କରାଯାଇଛି । ସମ୍ବଲପୁର ମାରୱାଡ଼ି ବଜାରରେ ବି ରେଡ୍ କରିଛି CT-GST ଟିମ୍‌ । ଜଣେ ବ୍ୟବସାୟୀଙ୍କ ୩ଟି ଦୋକାନରେ ଚଢ଼ାଉ କରି ଷ୍ଟକ୍ ଓ କାଗଜପତ୍ର ଯାଞ୍ଚ କରାଯାଇଛି । ସେହିପରି ଭବାନୀପାଟଣା ସ୍ଥିତ ବସୁନ୍ଧରା ଜୁଏଲର୍ସରେ ରେଡ୍ କରିଛି ଜିଏସଟି ଓ ଏନଫୋର୍ସମେଣ୍ଟ ସ୍କ୍ବାଡ୍ । ଜିଏସଟି ଫାଙ୍କିଥିବା ଅଭିଯୋଗରେ ୯ ଜଣିଆ ଟିମ୍ ଦୋକାନରେ ଖାନତଲାସି କରିଛନ୍ତି ।

ଦୀପାବଳିର ଦୁଇ ଦିନ ପୂର୍ବରୁ ଧନତେରସ୍ । ଆଜିର ଶୁଭ ଦିନରେ ଲୋକେ ଘରକୁ କିଛି ବି ଧାତବ ପଦାର୍ଥ କିଣି ଆଣିବା ପରମ୍ପରା ରହିଛି। ଏଥିସହ କୁବେର, ଧନ୍ୱନ୍ତରୀ ଏବଂ ଲକ୍ଷ୍ମୀଙ୍କ ପୂଜା ବି କରାଯାଏ ।