ଆଜି ଭାରତ-କାନାଡା ମ୍ୟାଚ୍; କୋହଲିଙ୍କ ଖରାଫ ଫର୍ମକୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଭାରତ-କାନାଡା ମ୍ୟାଚ୍ । ଫ୍ଲୋରିଡାରେ ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ ଆରମ୍ଭ  । ଲିଗ୍ ପର୍ଯ୍ୟାୟରେ କ୍ଲିନ୍ ସୁଇପ୍ ଭାରତର ଲକ୍ଷ୍ୟ...

ଆଜି ଭାରତ-କାନାଡା ମ୍ୟାଚ୍; କୋହଲିଙ୍କ ଖରାଫ ଫର୍ମକୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ

ଟି-ଟ୍ବେଣ୍ଟି ବିଶ୍ବକପରେ ଆଜି ଭାରତ-କାନାଡା ମ୍ୟାଚ୍। ଫ୍ଲୋରିଡାରେ ଭାରତୀୟ ସମୟ ରାତି ୮ଟାରେ ମ୍ୟାଚ ଆରମ୍ଭ ହେବ। ଭାରତ ଆଜିର ମ୍ୟାଚ ଜିତି ଲିଗ୍ ପର୍ଯ୍ୟାୟରେ କ୍ଲିନ୍ ସୁଇପ୍ ସହ ସୁପର-୮ରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଆଜିର ମ୍ୟାଚରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ସମ୍ଭାବନା ରହିଛି। ଗତକାଲି ଏହି ଫ୍ଲୋରିଡ଼ା ଷ୍ଟାଡିୟମରେ ଆମେରିକା ଓ ଆୟରଲାଣ୍ଡ ମଧ୍ୟରେ ମ୍ୟାଚ ବର୍ଷା ଯୋଗୁଁ ଧୋଇଯାଇଥିଲା। 

ତେବେ ଏହି ବିଶ୍ବକପରେ ବିରାଟ କୋହଲିଙ୍କ ଦୁର୍ବଳ ଫର୍ମକୁ ନେଇ ଦଳ ଚିନ୍ତାରେ। ସେ ଗତ ୩ଟି ମ୍ୟାଚରେ ଯଥାକ୍ରମେ ୪, ୧ ଓ ୦ ରନ୍ କରିଛନ୍ତି। ତେଣୁ ଆଜି କୋହଲିଙ୍କଠୁ ଏକ ବଡ଼ ଇନିଂସ ଆଶା ରଖିଛନ୍ତି ଭାରତୀୟ କ୍ରିକେଟ୍ ଫ୍ୟାନସ। ଆଇପିଏଲ୍‌ରେ ନାରଙ୍ଗୀ ଟୋପି ହାସଲ କରିଥିବା କୋହଲିଙ୍କ ବିଶ୍ବକପ୍‌ ଅଭିଯାନ ଆଦୌ ଉତ୍ସାହଜନକ ହୋଇପାରିନି। କିନ୍ତୁ ପ୍ରଥମ ତିନି ମ୍ୟାଚ୍‌ ନ୍ୟୁୟର୍କର ନୂତନ ଷ୍ଟାଡିୟମ୍‌ ନସାଉ କାଉଣ୍ଟିରେ ଖେଳାଯାଇଥିଲା। ଯେଉଁଥିରେ ପିଚ୍‌ରେ ଅସମତୁଲ ବାଉନ୍ସ ରହୁଥିଲା ବେଳେ ଆଉଟ୍‌ଫିଲ୍ଡ ମଧ୍ୟ ସ୍ପଞ୍ଜ ଭଳି ରହୁଥିଲା। ଯେଉଁଥିପାଇଁ ୧୦୦ ରନ୍‌ କରିବାକୁ ପ୍ରତ୍ୟେକ ଦଳଙ୍କୁ କଠିନ ସ୍ଥିତିର ସାମ୍ନା କରିବାକୁ ପଡୁଥିଲା। 

ଏବେ ନ୍ୟୁୟର୍କଠୁ ୧୮୫୦ କିଲୋମିଟର ଦୂର ଫ୍ଲୋରିଡା ଲାଉଡରହିଲ୍‌ସ୍ଥିତ ଦ ବ୍ରୋୱାର୍ଡ କାଉଣ୍ଟି ଷ୍ଟାଡିୟମ୍‌ରେ ଭାରତ ଶେଷ ଗ୍ରୁପ୍‌ ମ୍ୟାଚ୍‌ ଖେଳିବ। ପୂର୍ବ ୩ ମ୍ୟାଚ୍‌ରେ ଭାରତର ଦଳଗତ ପ୍ରଦର୍ଶନ ବ୍ୟକ୍ତିଗତ ପ୍ରଦର୍ଶନକୁ ପଛରେ ପକାଇ ଦେଇଥିଲା। ଯେଉଁଥିପାଇଁ ଭାରତୀୟ ବ୍ୟାଟିଂ ଉପରେ ବିଶେଷ ଆଲୋଚନା ହୋଇନାହିଁ। କିନ୍ତୁ ଶୀର୍ଷ ବ୍ୟାଟର୍‌ଙ୍କ ଖରାପ ପ୍ରଦର୍ଶନ ମଧ୍ୟଭାଗ ଉପରେ ଅଧିକ ଚାପ ପକାଇଆସିଛି। ଋଷଭ ପନ୍ତ ଏହି ବିଶ୍ବକପ୍‌ରେ ପାକିସ୍ତାନ ଓ ଆୟର୍ଲାଣ୍ଡ ବିପକ୍ଷରେ ଯଥାକ୍ରମେ ୩୬ ଓ ୪୨ ରନ୍‌ର ମ୍ୟାଚ୍‌ ବିଜୟୀ ପାଳି ଖେଳିଥିଲା ବେଳେ ଆମେରିକା ବିପକ୍ଷରେ ସୂର୍ଯ୍ୟକୁମାର ୟାଦବ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ଜିତାଇଥିଲେ। 

ଶିବମ ଦୁବେ ମଧ୍ୟ ଏହି ପାଳିରେ ସୂର୍ଯ୍ୟଙ୍କୁ ଭରପୂର ସହଯୋଗ ପ୍ରଦାନ କରିଥିଲେ। କିନ୍ତୁ କାନାଡ଼ା ବିପକ୍ଷରେ ଦୁବେଙ୍କ ସ୍ଥାନ ସୁରକ୍ଷିତ ନାହିଁ। ଭାରତ ସୁପର-୮ରେ ପହଞ୍ଚିସାରିଥିବାରୁ ଯଶସ୍ବୀ ଜୟସ୍ବାଲ୍‌ଙ୍କୁ ବ୍ୟାଟିଂ ଆରମ୍ଭ କରିବାକୁ ସୁଯୋଗ ଦିଆଯାଉ ବୋଲି କେତେକ ବିଶେଷଜ୍ଞ ମତ ଦେଉଛନ୍ତି। ଏପରି ହେଲେ କୋହଲିଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂକୁ ଆସିବାକୁ ହେବ।