ଆଜି ଶ୍ରୀଜିଉଙ୍କ ସିଂହାସନ ମାଜଣା : ବନ୍ଧାଯିବ କନକମୁଣ୍ଡି ଚାନ୍ଦୁଆ, ନୀଳଚକ୍ରରେ ଉଡ଼ିବ ୧୪ ହାତର ଧ୍ୱଜା

ପୁରୀ : ମଠ ସଂସ୍କୃତି ଓ ପରମ୍ପରାକୁ ନେଇ ଶ୍ରୀକ୍ଷେତ୍ର ବେଶ୍‌‌ ସମୃଦ୍ଧ। ଶ୍ରୀମନ୍ଦିରରେ ଅଧିକାଂଶ ରୀତିନୀତି ଓ ଯାନିଯାତ୍ରା ସହିତ ମଠଗୁଡ଼ିକର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହିଆସିଛି। ସମ୍ପ୍ରତି ସେହି ପରମ୍ପରା କେତେକାଂଶରେ ଲୋପ ପାଇଯାଇଥିଲେ ହେଁ କେତେକ ରୀତିନୀତି, ବେଶ, ପର୍ବପର୍ବାଣି ସହ ନିର୍ଦ୍ଦିଷ୍ଟ ମଠମାନଙ୍କ ସମ୍ପର୍କ ଏବେ ବି ଅକ୍ଷୁଣ୍ଣ ରହିଛି। ଏଥିମଧ୍ୟରୁ ବଡ଼ଓଡ଼ିଆ ମଠ ଅନ୍ୟତମ। ଶୁକ୍ରବାର ନୀଳାଦ୍ରିବିଜେ। ରତ୍ନସିଂହାସନକୁ ଫେରିଯିବେ ଚତୁର୍ଦ୍ଧାବିଗ୍ରହ। ଏହି ଅବସରରେ ବଡ଼ଓଡିଆ ମଠ ପକ୍ଷରୁ […]

ଆଜି ଶ୍ରୀଜିଉଙ୍କ ସିଂହାସନ ମାଜଣା : ବନ୍ଧାଯିବ କନକମୁଣ୍ଡି ଚାନ୍ଦୁଆ, ନୀଳଚକ୍ରରେ ଉଡ଼ିବ ୧୪ ହାତର ଧ୍ୱଜା
puri jagannath temple flag sold on amazon

ପୁରୀ : ମଠ ସଂସ୍କୃତି ଓ ପରମ୍ପରାକୁ ନେଇ ଶ୍ରୀକ୍ଷେତ୍ର ବେଶ୍‌‌ ସମୃଦ୍ଧ। ଶ୍ରୀମନ୍ଦିରରେ ଅଧିକାଂଶ ରୀତିନୀତି ଓ ଯାନିଯାତ୍ରା ସହିତ ମଠଗୁଡ଼ିକର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହିଆସିଛି। ସମ୍ପ୍ରତି ସେହି ପରମ୍ପରା କେତେକାଂଶରେ ଲୋପ ପାଇଯାଇଥିଲେ ହେଁ କେତେକ ରୀତିନୀତି, ବେଶ, ପର୍ବପର୍ବାଣି ସହ ନିର୍ଦ୍ଦିଷ୍ଟ ମଠମାନଙ୍କ ସମ୍ପର୍କ ଏବେ ବି ଅକ୍ଷୁଣ୍ଣ ରହିଛି। ଏଥିମଧ୍ୟରୁ ବଡ଼ଓଡ଼ିଆ ମଠ ଅନ୍ୟତମ। ଶୁକ୍ରବାର ନୀଳାଦ୍ରିବିଜେ। ରତ୍ନସିଂହାସନକୁ ଫେରିଯିବେ ଚତୁର୍ଦ୍ଧାବିଗ୍ରହ। ଏହି ଅବସରରେ ବଡ଼ଓଡିଆ ମଠ ପକ୍ଷରୁ ରତ୍ନସିଂହାସନ ଉପରେ କନକମୁଣ୍ଡି ଚାନ୍ଦୁଆ ବନ୍ଧାଯିବ। ଏଥିସହ ମଠ ମହନ୍ତ ସିଂହାସନ ମାଜଣା କରିବେ। ନୀଳଚକ୍ରରେ ମଠ ପକ୍ଷରୁ ଧ୍ୱଜା ବନ୍ଧାଯିବା ପରେ ରଥାରୁଢ ଠାକୁର ପହଣ୍ଡି ହୋଇ ଶ୍ରୀମନ୍ଦିରକୁ ବିଜେ କରିବା ପରମ୍ପରା ରହିଛି।

ଏ ସମ୍ପର୍କରେ ବଡ଼ଓଡ଼ିଆ ମଠ ମହନ୍ତ ଅଧିକାରୀ ବଂଶୀଧର ଦାସ ଗୋସ୍ୱାମୀ କୁହନ୍ତି, ଗଜପତି ମହାରାଜା ପ୍ରତାପରୁଦ୍ରଦେବଙ୍କ ସମୟରୁ ମଠ ରତ୍ନସିଂହାସନର ରକ୍ଷଣାବେକ୍ଷଣ ଏବଂ ମାଜଣା କରିଆସୁଛି। ପରମ୍ପରା ମୁତାବକ, ନୀଳାଦ୍ରିବିଜେ ଦିନ ସକାଳେ ରତ୍ନସିଂହାସନ ଉପରେ ମଠ ପକ୍ଷରୁ କନକମୁଣ୍ଡି ଚାନ୍ଦୁଆ ବନ୍ଧାଯିବ। ଏଥିପାଇଁ ପାଟ ଏବଂ ସୂତା କପଡ଼ାରେ ଚାନ୍ଦୁଆ ତିଆରି ସରିଛି। ସେହିପରି ମଠ ପକ୍ଷରୁ ନୀଳଚକ୍ରରେ ୧୪ ହାତର ପତାକା (ଧ୍ୱଜା) ବିନା ଦେୟରେ ବନ୍ଧାଯିବ। ସନ୍ଧ୍ୟା ଧୂପ ପରେ ସିଂହାସନ ମାଜଣା ହେବ ବୋଲି ମଠ ମହନ୍ତ କହିଛନ୍ତି।

ସୂଚନାଯୋଗ୍ୟ, ଗଜପତି ମହାରାଜା ପ୍ରତାପରୁଦ୍ରଦେବଙ୍କ ସମୟରୁ ବଡ଼ଓଡ଼ିଆ ମଠ ମହନ୍ତମାନେ ରତ୍ନସିଂହାସନ ମାଜଣା କରିଆସୁଛନ୍ତି। ନୀଳାଦ୍ରିବିଜେ ଦିନ ମାଜଣା କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନଠାରୁ ସୂଚନା ପାଇବା ପରେ ମଠ ମହନ୍ତ ଶ୍ରୀମନ୍ଦିର ଅଭିମୁଖେ ବାହାରିଥାନ୍ତି। ଗର୍ଭଗୃହ ଭିତରକୁ ଯାଇ ସିଂହାସନ ମାଜଣା କରିଥାନ୍ତି। ପୂର୍ବରୁ ମଠରେ ଘୋରା ଯାଇଥିବା ଚନ୍ଦନ, କର୍ପୂର, କେଶର, କସ୍ତୁରୀ ଏବଂ ଚୁଆରେ ମହନ୍ତ ମାଜଣା କରନ୍ତି। ପ୍ରାୟ ଦୁଇଘଣ୍ଟା ଧରି ଏହା ଚାଲେ। ମାଜଣା ସରିବା ପରେ ସିଂହଦ୍ୱାର ଦେଇ ମଠ ମହନ୍ତ ମଠକୁ ଫେରିଥାନ୍ତି।