ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା : ସାଢ଼େ ଗୋଟାଏରୁ ପହଣ୍ଡି, ସାଢ଼େ ୩ରେ ରଥଟଣା
ଭୁବନେଶ୍ୱର : ଆଜି ରୁକୁଣା ରଥଯାତ୍ରା ଓ ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ। ରଥାରୂଢ଼ ହେବେ ପ୍ରଭୁ ଲିଙ୍ଗରାଜ (ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ)। ସାରଥୀ ସାଜିବେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା। ପାଞ୍ଚଦିନ ପାଇଁ ପ୍ରଭୁ ରାମେଶ୍ୱର ମନ୍ଦିରରେ ଅବସ୍ଥାନ କରିବେ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ […]

ଭୁବନେଶ୍ୱର : ଆଜି ରୁକୁଣା ରଥଯାତ୍ରା ଓ ପବିତ୍ର ଅଶୋକାଷ୍ଟମୀ। ପ୍ରଭୁ ଶ୍ରୀଲିଙ୍ଗରାଜ ରୁକୁଣା ରଥରେ ମାଉସୀ ମା’ ଛକସ୍ଥିତ ରାମେଶ୍ୱର ମନ୍ଦିର ଅଭିମୁଖେ ଯାତ୍ରା କରିବେ। ରଥାରୂଢ଼ ହେବେ ପ୍ରଭୁ ଲିଙ୍ଗରାଜ (ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ (ଦୋଳଗୋବିନ୍ଦ)। ସାରଥୀ ସାଜିବେ ସ୍ୱୟଂ ସୃଷ୍ଟିକର୍ତ୍ତା ବ୍ରହ୍ମା। ପାଞ୍ଚଦିନ ପାଇଁ ପ୍ରଭୁ ରାମେଶ୍ୱର ମନ୍ଦିରରେ ଅବସ୍ଥାନ କରିବେ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ, ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ବିନା ମୋଡ଼ରେ ରଥ ଫେରିଥାଏ। ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ ଓ ଅଶ୍ୱଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ୱାରରେ ଯୋଚାଯାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେମିତି ଦକ୍ଷିଣ ମୋଡ଼ ନିଏ, ରୁକୁଣା ରଥ ସେମିତି କୌଣସି ମୋଡ଼ ନେଇନଥାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ।
ପ୍ରଭୁ ଲିଙ୍ଗରାଜଙ୍କର ଏହା ସ୍ୱତନ୍ତ୍ର ନୀତି। ବାହୁଡ଼ା ଦିନ ରଥର ସମ୍ମୁଖ ଭାଗର ସାଜସଜ୍ଜାକୁ ଖୋଲି ଆଣି ପଛ ପାର୍ଶ୍ବରେ ଲଗାଯାଏ ଓ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ। ବିଶେଷ କଥା ହେଉଛି, ଏହି ରଥର ନିର୍ମାଣ ଶୈଳୀ ଏମିତି ଯେ ସମ୍ମୁଖ ଭାଗକୁ ବଦଳାଇବା ପରେ ପଛ ପାର୍ଶ୍ବ ପୁଣି ସମ୍ମୁଖ ଭାଗ ଭଳି ପ୍ରତୀୟମାନ ହୁଏ। ପୌରାଣିକ ତଥ୍ୟ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣକୁ ହତ୍ୟା କରିବାରୁ ତାଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରରେ ରାମେଶ୍ୱରଠାରେ ହରିହର(ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜା କଲେ। ତାଙ୍କ ବ୍ରତ ଓ ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଯାଚିଥିଲେ। ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନର୍ବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର(ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ଏହି ସ୍ୱତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଏହି ରଥର ଉଚ୍ଚତା ୫୦ ଫୁଟ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ଟି ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ।
ସାଢ଼େ ଗୋଟାଏରୁ ପହଣ୍ଡି, ସାଢ଼େ ୩ରେ ରଥଟଣା
ରୁକୁଣା ରଥ ଯାତ୍ରା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିତିନିର୍ଘଣ୍ଟ ଜାରି କରାଯାଇଛି। ଭୋର୍ ସାଢ଼େ ୬ଟାରେ ଠାକୁରଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପନ୍ନ ହେବ। ସାଢ଼େ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ଠାକୁରଙ୍କ ସାହାଣ ମେଲା ରହିବ। ତା’ରି ଭିତରେ ସାଢ଼େ ୮ଟାରେ ରୋଷହୋମ ଓ ପାକକାର୍ଯ୍ୟ ହେବ। ସାଢ଼େ ୯ଟାରୁ ୧୦ଟା ଯାଏଁ ଛାମୁ ପରିଷ୍କାର ହେବ। ସକାଳ ୧୦ଟାରୁ ସାଢ଼େ ୧୦ଟା ଭିତରେ ମହାସ୍ନାନ, ସୂର୍ଯ୍ୟପୂଜା ଓ ଦ୍ୱାରପାଳ ନୀତି ସମ୍ପନ୍ନ ହେବ।
ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଶ୍ରୀଜିଉଙ୍କ ବଲ୍ଲଭ, ମା’ଗୋପାଳୁଣୀ(ଭୁବନେଶ୍ୱରୀ) ଠାକୁରାଣୀଙ୍କ ବଲ୍ଲଭ ଆଦି ସମାପନ ହେବ ବୋଲି ନିତିନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି। ଏହାପରେ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ଭୋଗମଣ୍ଡପ ଓ ସାଢ଼େ ୧୨ଟାରୁ ୧ଟା ୩୦ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଅଧରପଣା ପୂଜା ହେବ। ସାଢ଼େ ୧ଟାରୁ ୩ଟା ପର୍ଯ୍ୟନ୍ତ ଠାକୁରଙ୍କର ପହଣ୍ଡି ହୋଇ ମହାପ୍ରଭୁ ରଥାରୂଢ଼ ହେବେ। ଶେଷରେ ସାଢ଼େ ୩ଟାରେ ରଥ ଟଣା ଆରମ୍ଭ ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।