ଆଜି ସ୍ନାନ ଓ ଦାନର ପର୍ବ ମକର ସଂକ୍ରାନ୍ତି, ଉତ୍ତରାୟଣକୁ ଗତି କରିବେ ସୂର୍ଯ୍ୟ
ସୂର୍ଯ୍ୟଦେବତାଙ୍କ ଉପାସନାର ପର୍ବ ମକର ସଂକ୍ରାନ୍ତି। ସେ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ମକର ସଂକ୍ରାନ୍ତି ଦିନ ପୃଥିବୀର ଅତି ନିକଟତର ହୋଇଥାନ୍ତି। ଏହିଦିନ ସେ ତାଙ୍କ କିରଣର ପୂର୍ଣ୍ଣ ପ୍ରଭାବ ସମସ୍ତ ପ୍ରାଣୀଙ୍କ ଉପରେ ବିଚ୍ଛୁରିତ କରିଥାନ୍ତି। ଉତ୍ତରାୟଣ ଆରମ୍ଭ: ସନାତନ ଧର୍ମ ଅନୁସାରେ, ଏହିଦିନ ସୂର୍ଯ୍ୟଦେବ ଦକ୍ଷିଣାୟନରୁ ଉତ୍ତରାୟଣକୁ ଗତି କରିଥାନ୍ତି। ଶାସ୍ତ୍ରରେ ଉତ୍ତରାୟଣ ଅବଧିକୁ ଦେବତାଙ୍କ ଦିନ ଏବଂ ଦକ୍ଷିଣାୟନକୁ ରାତ୍ରି ଭାବେ ବିବେଚନା କରାଯାଇଛି। ସେଥିପାଇଁ ଏହିଦିନ ସ୍ନାନ, ଦାନ, ତପର […]

ସୂର୍ଯ୍ୟଦେବତାଙ୍କ ଉପାସନାର ପର୍ବ ମକର ସଂକ୍ରାନ୍ତି। ସେ ସକଳ ଶକ୍ତିର ଆଧାର। ସୂର୍ଯ୍ୟ ମକର ସଂକ୍ରାନ୍ତି ଦିନ ପୃଥିବୀର ଅତି ନିକଟତର ହୋଇଥାନ୍ତି। ଏହିଦିନ ସେ ତାଙ୍କ କିରଣର ପୂର୍ଣ୍ଣ ପ୍ରଭାବ ସମସ୍ତ ପ୍ରାଣୀଙ୍କ ଉପରେ ବିଚ୍ଛୁରିତ କରିଥାନ୍ତି।
ଉତ୍ତରାୟଣ ଆରମ୍ଭ: ସନାତନ ଧର୍ମ ଅନୁସାରେ, ଏହିଦିନ ସୂର୍ଯ୍ୟଦେବ ଦକ୍ଷିଣାୟନରୁ ଉତ୍ତରାୟଣକୁ ଗତି କରିଥାନ୍ତି। ଶାସ୍ତ୍ରରେ ଉତ୍ତରାୟଣ ଅବଧିକୁ ଦେବତାଙ୍କ ଦିନ ଏବଂ ଦକ୍ଷିଣାୟନକୁ ରାତ୍ରି ଭାବେ ବିବେଚନା କରାଯାଇଛି। ସେଥିପାଇଁ ଏହିଦିନ ସ୍ନାନ, ଦାନ, ତପର ବିଶେଷ ମହତ୍ତ୍ବ ରହିଛି। ଏହି ଦିନ ରାଶି, ଖେଚୁଡ଼ି, ଘିଅ, ଉଲ୍ ବସ୍ତ୍ର, କମ୍ବଳ ଆଦି ଦାନ ଦେବାର ପରମ୍ପରା ପ୍ରଚଳିତ।
ପର୍ବର ମାହାତ୍ମ୍ୟ: କୁହାଯାଏ, ମକର ସଂକ୍ରାନ୍ତି ଅବସରରେ ବ୍ରହ୍ମମୁହୂର୍ତ୍ତରେ ପବିତ୍ର ନଦୀରେ ସ୍ନାନ ଓ ଦାନ କରିବାର ବେଶି ମହତ୍ତ୍ବ ଅଛି। ଏହି ଅବସରରେ ନଦୀ ସ୍ନାନ ସମ୍ଭବ ନ ଥିଲେ, ଘରେ ପାଣିରେ ଗଙ୍ଗାଜଳ ମିଶାଇ ସ୍ନାନ କରିପାରିବେ। ଏହିଦିନ ରାଶି ତେଲ ଲଗାଇବା, ରାଶି ତେଲରେ ଯଜ୍ଞ, ରାଶି ଦାନ ଓ ରାଶି ଖିଆଯାଏ। ଶୀତର ପ୍ରକୋପ ବଳବତ୍ତର ଥିବା ହେତୁ ଏହିଦିନ ଖେଚୁଡ଼ି ଓ ରାଶି ଲଡ଼ୁ ସହ ଶୀତବସ୍ତ୍ର ଦାନ କରିବାର ବିଧାନ ଅଛି।
ଶୁଭ ପରିବର୍ତ୍ତନର ସଙ୍କେତ: କଥାରେ ଅଛି ‘ମକର ଦିନ ହୁଏ ବକର’। ଅର୍ଥାତ୍ ଏହିଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ପ୍ରବେଶ କରିଥାନ୍ତି। ଫଳରେ ଏହିଦିନଠାରୁ ରାତ୍ରିର ଅବଧି କମ୍ ହୋଇ ଦିନ ବଡ଼ ହୋଇଥାଏ। ସେହିପରି ସୂର୍ଯ୍ୟଦେବ ଶକ୍ତିର ପ୍ରତ୍ୟକ୍ଷ ସ୍ରୋତ ହୋଇଥିବାରୁ ସୂର୍ଯ୍ୟଙ୍କ କିରଣ ଅଧିକ ସମୟ ପର୍ଯ୍ୟନ୍ତ ପଡ଼ିବାରୁ ବିସ୍ତାରିତ ହୁଏ ଲୋକଙ୍କ ଚେତନା।
ମକର ଚାଉଳ: ମକର ସଂକ୍ରାନ୍ତି ଅବସ ରରେ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଘରେ ମକର ଚାଉଳ ପ୍ରସ୍ତୁତ ହୋଇଥାଏ। ସେଥିପାଇଁ ଦିନକ ପୂର୍ବରୁ ଚାଉଳକୁ ପାଣିରେ ବତୁରାଇ ରଖାଯାଏ। ତା’ପରଦିନ ତାହାକୁ ଶୁଖାଇ ଭଲ ଭାବେ ଗୁଣ୍ଡ କରାଯାଏ। ସେଥିରେ ନଡ଼ିଆ କୋରା, ଗୁଡ଼, ଆଖୁ ଖଣ୍ଡ, ଛେନା, ଗୋଲମରିଚ ଗୁଣ୍ଡ, ଅଦା ପକାଯାଇ ପ୍ରସ୍ତୁତ କରାଯାଏ ମକର ଚାଉଳ। ପ୍ରଥମେ ଏହାକୁ ଠାକୁରଙ୍କ ପାଖରେ ଭୋଗ କରାଯାଏ। ତା’ପରେ ଏହାକୁ ସମସ୍ତଙ୍କ ମଧ୍ୟରେ ବଣ୍ଟାଯାଏ। ଏଥିରେ କାଜୁ, କିସ୍ମିସ୍ ସମେତ ବିଭିନ୍ନ ଫଳ ମଧ୍ୟ ମିଶାଯାଏ। ଏହି ଦିନରେ ପରସ୍ପରକୁ ମକର ଚାଉଳ ଖୁଆଇ ‘ମକର’ ବା ସଙ୍ଗାତ ବସିବାରେ ପରମ୍ପରା ଓଡ଼ିଶାରେ କାହିଁ କେେବଠୁ ଚଳି ଆସିଛି।