ଆଜିଠୁ ଅଙ୍ଗନବାଡ଼ିରୁ ଦ୍ବାଦଶ ଶ୍ରେଣୀ ସ୍କୁଲ ବନ୍ଦ

ଭୁବନେଶ୍ୱର : ଜଳୁଛି ଝାରସୁଗୁଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶା। ୪୬ .୨ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି। ୨୫ ତାରିଖ ଯାଏଁ ଝାରସୁଗୁଡ଼ାକୁ ସିଭିୟର ହିଟ୍‌ୱେଭ୍‌ ଚେତାବନୀ ଦିଆଯାଇଛି। ୨୭ ତାରିଖ ଯାଏଁ ରାଜ୍ୟରେ ହିଟ୍‌ୱେଭ ବା ଗ୍ରୀଷ୍ମଲହରୀ ଲାଗି ରହିବ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨-୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷକରି ଅନୁଗୋଳ, […]

ଆଜିଠୁ ଅଙ୍ଗନବାଡ଼ିରୁ ଦ୍ବାଦଶ ଶ୍ରେଣୀ ସ୍କୁଲ ବନ୍ଦ

ଭୁବନେଶ୍ୱର : ଜଳୁଛି ଝାରସୁଗୁଡ଼ା ସମେତ ସମଗ୍ର ପଶ୍ଚିମ ଓଡ଼ିଶା। ୪୬ .୨ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ଦେଶର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଛି। ୨୫ ତାରିଖ ଯାଏଁ ଝାରସୁଗୁଡ଼ାକୁ ସିଭିୟର ହିଟ୍‌ୱେଭ୍‌ ଚେତାବନୀ ଦିଆଯାଇଛି। ୨୭ ତାରିଖ ଯାଏଁ ରାଜ୍ୟରେ ହିଟ୍‌ୱେଭ ବା ଗ୍ରୀଷ୍ମଲହରୀ ଲାଗି ରହିବ। ଆସନ୍ତା ୩ ଦିନ ମଧ୍ୟରେ ତାପମାତ୍ରା ୨-୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ବିଶେଷକରି ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ବୌଦ୍ଧ, ବରଗଡ଼ ଏବଂ ନୂଆପଡ଼ାରେ ୪୩ ଡିଗ୍ରୀ ଉପରେ ତାପମାତ୍ରା ରହିବ। ୨୭ ତାରିଖରୁ ତାପମାତ୍ରା ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ ବୋଲି କୁହାଯାଇଛି। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଦିନ ତାପମାତ୍ରାରେ ଅତ୍ୟଧିକ ବୃଦ୍ଧିକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ପାଇଁ ଆଜିଠାରୁ ଖରା ଛୁଟି ଘୋଷଣା କରିଛନ୍ତି ସରକାର। ଆଜିଠୁ ଅଙ୍ଗନବାଡ଼ି, ଶିଶୁବାଟିକାଠାରୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ମଙ୍ଗଳବାର ଏ ସମ୍ପର୍କରେ ସମୀକ୍ଷା କରିବା ପରେ ଏହି ନିର୍ଦେଶ ଦେଇଛନ୍ତି।
ନିର୍ଦେଶ ଅନୁଯାୟୀ ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ, ବେସରକାରୀ ସ୍କୁଲ ବନ୍ଦ ରହିବ। ଏହି ସମୟ ମଧ୍ୟରେ ଅଙ୍ଗନବାଡ଼ି ପିଲାଙ୍କୁ ସେମାନଙ୍କ ଘରେ ଶୁଖିଲା ଖାଦ୍ୟ ଯୋଗାଇ ଦେବା ପାଇଁ ନିର୍ଦେଶ ଦିଆଯାଇଛି। ଉଭୟ ସରକାରୀ ଓ ବେସରକାରୀ କଲେଜ ପିଲାଙ୍କ ପାଇଁ ରାଜ୍ୟ ସରକାର ଏପ୍ରିଲ ୨୩ରୁ ୫ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ତେବେ ଏହି ସମୟରେ ପୂର୍ବରୁ ନିର୍ଦ୍ଧାରିତ ପରୀକ୍ଷା ନିର୍ଦିଷ୍ଟ ତାରିଖରେ ହେବ। ସମ୍ପୃକ୍ତ ଅଧିକାରୀ ଏଥିପ୍ରତି ଯତ୍ନବାନ ହେବାକୁ ନି‌େ‌ର୍ଦଶ ଦିଆଯାଇଛି। ଏହାସହିତ ହଷ୍ଟେଲ ପିଲାମାନେ ଚାହିଁଲେ ଏହି ଛୁଟି ସମୟରେ ହଷ୍ଟେଲରେ ରହିପାରିବେ।
ପଶ୍ଚିମ ଓଡ଼ିଶା ଉତ୍ତପ୍ତ ପିଣ୍ଡ ପାଲଟିଥିଲାବେଳେ ମଙ୍ଗଳବାର ୧୫ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ ଉପରେ ରହିଛି। ହୀରାକୁଦରେ ୪୪.୭, ସମ୍ବଲପୁର ୪୪.୬, ବୌଦ୍ଧ ୪୪.୫, ଟିଟିଲାଗଡ଼ ୪୪, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ରେ ୪୩.୮ ଡିଗ୍ରୀ ଲେଖାଏଁ, ବଲାଙ୍ଗୀର ୪୩.୨ ଡିଗ୍ରୀ, ଭବାନୀପାଟଣା, ବରଗଡ଼ ଓ ରାଉରକେଲାରେ ୪୨.୮ ଡିଗ୍ରୀ ଲେଖାଏଁ, ଅନୁଗୋଳରେ ୪୨.୩, ନୂଆପଡ଼ା ୪୨, ତାଳଚେର ୪୦.୬ ଏବଂ ପାରଳାଖେମୁଣ୍ଡିରେ ୪୦ ଡିଗ୍ରୀ ତାପମାତ୍ରା ରହିଛି। କଟକରେ ୩୬.୮ ଏବଂ ଭୁବନେଶ୍ବର ୩୬.୭ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ଝାରସୁଗୁଡ଼ାରେ ୧୫ ବର୍ଷ ପରେ ତାପମାତ୍ରା ୪୬ ଡିଗ୍ରୀ ପାର କରିଛି। ୨୦୧୦ ଏପ୍ରିଲ ୨୦ରେ ୪୬.୧ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା। ଗତକାଲି ଝାରସୁଗୁଡ଼ା ରାଜ୍ୟରେ ସବୁଠୁ ଉତ୍ତପ୍ତ ସ୍ଥାନ ଥିବାବେଳେ  ସକାଳ ୮ଟାରେ ଏଠାରେ ତାପମାତ୍ରା ୩୫ ଡିଗ୍ରୀ ପାଖାପାଖି ରହିଥିଲା। ଦିନ ୨ଟା ବେଳେ ୪୪ ଡିଗ୍ରୀ ଟପି ଯାଇଥିଲା। ଆସନ୍ତାକାଲି ମଧ୍ୟ ଏଠାରେ ପ୍ରବଳ ଗ୍ରୀଷ୍ମଲହରୀ ପ୍ରବାହିତ ହେବ। ଏଥିନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ରାଜ୍ୟର କେତେକ ସ୍ଥାନରେ ରାତିରେ ମଧ୍ୟ ଭୀଷଣ ଉଷ୍ଣତା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଛି। ସେହିପରି ଉପକୂଳ ଓଡ଼ିଶାରେ ଉଷ୍ଣ-ଆର୍ଦ୍ର ପରିସ୍ଥିତି ଲାଗି ରହିବ।
ବୌଦ୍ଧ, ବଲାଙ୍ଗୀର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, କଳାହାଣ୍ଡି ଏବଂ ସୁବର୍ଣ୍ଣପୁର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହିଟ୍‌ୱେଭ୍‌ ଅନୁଭୂତ ହେବା ନେଇ ଅରେଞ୍ଜ ୱାର୍ଣ୍ଣିଂ ରହିଛି। ଅନୁଗୋଳ, ନୂଆପଡ଼ା, ଦେବଗଡ଼କୁ ଗ୍ରୀଷ୍ମ ଲହରୀ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲାକୁ ଉଷ୍ଣ -ଆର୍ଦ୍ର ସ୍ଥିତି ନେଇ ୟେଲୋ ୱାର୍ଣ୍ଣିଂ ରହିଛି। ସମ୍ବଲପୁର, ସୁନ୍ଦରଗଡ଼ ଏବଂ ବଲାଙ୍ଗୀରରେ ରାତିରେ ଉଷ୍ଣତା ସ୍ଥିତି ଲାଗି ରହିବ, ଏନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଗ୍ରୀଷ୍ମଲହରୀ ଓ ଗୁଳୁଗୁଳି ଲାଗି ରହିଥିବାରୁ ଅସୁସ୍ଥତା ଦେଖାଦେଇପାରେ। ବିଶେଷକରି ଶିଶୁ, ଗର୍ଭବତୀ, ଅସୁସ୍ଥ ଏବଂ ବୃଦ୍ଧବୃଦ୍ଧାଙ୍କ ପାଇଁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ବାହାରକୁ ଯିବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖରାରେ ଅଧିକ ସମୟ ନ ରହିବା, କଠିନ ପରିଶ୍ରମ ନ କରିବା, ଅଧିକ ପାଣି, ଓଆରଏସ୍, ଦହି ପିଇବାକୁ ପରାମର୍ଶ ଦିଆଯାଇଛି। ୨୭ ତାରିଖ ପରେ ପଶ୍ଚିମ ଓଡ଼ିଶାରେ ତାପମାତ୍ରାରେ ୪ ଡିଗ୍ରୀ ଯାଏଁ ହ୍ରାସ ପାଇବ ବୋଲି କୁହାଯାଇଛି।