ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତ୍ରୀ! ଫ୍ଲାଟ୍‌ରୁ ମିଳିଲା ପଚାସଢ଼ା ମୃତଦେହ

ଅଭିନେତ୍ରୀ କାଜୋଲଙ୍କ ସହ ଓ୍ୱେବ୍‌ ସିରିଜ 'ଦ ଟ୍ରାଏଲ୍‌'ରେ ନୁର୍‌ ମାଲବିକା ଦାସ କାମ କରିଥିଲେ।

ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତ୍ରୀ! ଫ୍ଲାଟ୍‌ରୁ ମିଳିଲା ପଚାସଢ଼ା ମୃତଦେହ

ବଲିଉଡରୁ ପୁଣି ଆସିଲା ଦୁଃଖଦ ଖବର। ଆତ୍ମହତ୍ୟା କଲେ ଆଉ ଜଣେ ଅଭିନେତ୍ରୀ। କତର ଏୟାରଓ୍ୱେଜ୍‌ର ପୂର୍ବତନ ଏୟାର ହୋଷ୍ଟେସ୍‌ ତଥା ବି-ଟାଉନ୍‌ ଅଭିନେତ୍ରୀ ନୁର ମାଲବିକା ଦାସ୍‌ଙ୍କ ଦେହାନ୍ତ ହୋଇଛି। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ଫ୍ଲାଟ ଭିତରୁ ପଚାସଢ଼ା ଅବସ୍ଥାରେ ତାଙ୍କ ମୃତଦେହ ମିଳିଛି।

ଅଭିନେତ୍ରୀ କାଜୋଲଙ୍କ ସହ ଓ୍ୱେବ୍‌ ସିରିଜ 'ଦ ଟ୍ରାଏଲ୍‌'ରେ ନୁର୍‌ ମାଲବିକା ଦାସ କାମ କରିଥିଲେ। ଜୁନ୍‌ ୬ ତାରିଖରେ ମୁମ୍ବାଇ ଲୋଖଣ୍ଡଓ୍ୱାଲା ସ୍ଥିତ ଫ୍ଲାଟରୁ ପୁଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି। ନୁର୍‌ ବେଡ୍‌ରୁମ୍‌ ଭିତରେ ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ପୁଲିସ କହିଛି।

ପୁଲିସ କହିବା ଅନୁସାରେ, ଫ୍ଲାଟରୁ ପଡୋଶୀମାନେ ଦୁର୍ଗନ୍ଧ ବାହାରୁଥିବା ସୂଚନା ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ​​ଏହା ପରେ ଓଶିୱାରା ପୁଲିସକୁ ଘଟଣାସ୍ଥଳକୁ ଯାଇଥିଲା। କବାଟ ଭାଙ୍ଗି ଫ୍ଲାଟରେ ପ୍ରବେଶ କରିବା ପରେ ପୁଲିସ ନୁରଙ୍କ ମୃତଦେହକୁ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲା। ତେବେ ପଚାସଢ଼ା ଅବସ୍ଥାରେ ଅଭିନେତ୍ରରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ପୁଲିସ କହିଛି। ତାକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

୩୨ ବର୍ଷୀୟ ନୁର୍‌ ମାଲବିକା ଦାସ ଆସାମର ବାସିନ୍ଦା ଥିଲେ। ସେ ଅନେକ ହିନ୍ଦୀ ଚଳଚ୍ଚିତ୍ର ଏବଂ ୱେବ୍ ସିରିଜରେ ଲିଡ୍‌ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଯେଉଁଥିରେ 'ସିସ୍କିୟାଁ', 'ୱାକମ୍ୟାନ୍', 'ତିଖି ଚଟନି', 'ଜଘନ୍ୟ ଉପୟା', 'ଚରମ ସୁଖ', 'ଦେଖି ଅନ୍‌ଦେଖି', 'ବ୍ୟାକରୋଡ୍‌ ହଲଚଲ୍‌' ଭଳି ଫିଲ୍ମ ସାମିଲ ଅଛି। ଏହା ବ୍ୟତୀତ ଡିଜ୍ନି ପ୍ଲସ୍ ହଟଷ୍ଟାରରେ ଷ୍ଟ୍ରିମ୍ ହୋଇଥିବା 'ଦି ଟ୍ରାଏଲ୍'ରେ ତାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଓ୍ୱେବ୍‌ ସିରିଜ୍‌ରେ କାଜୋଲ ଏବଂ ଜିଶୁ ସେନଗୁପ୍ତା ମଧ୍ୟ ନଜର ଆସିଥିଲେ। ସୋସିଆଲ ମିଡିଆରେ ମଧ୍ୟ ନୁର ବହୁତ ସକ୍ରିୟ ଥିଲେ। ତେବେ ମୃତ୍ୟୁର ପାଞ୍ଚ ଦିନ ପୂର୍ବରୁ ହିଁ ସେ ହସୁଥିବା ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ବେଶ୍‌ ଗ୍ଲାମରସ୍ ଦେଖା ଯାଉଥିଲେ। ତେବେ କାହିଁକି ସେ ଏଭଳି ଆତ୍ମହତ୍ୟା କଲେ ତାହା ଏପର୍ଯ୍ୟନ୍ତ ଜଣା ପଡି ନାହିଁ।