ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ

ନୂଆଦିଲ୍ଲୀ,୨୨।୧୧: ବିଳିୟନେୟାର ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଜାଲିଆତି ମାମଲାରେ ଆମେରିକାରେ ଗିରଫ ପରଓ୍ବାନା ଜାରି ହେବା ପରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି, ଗୌତମ ଆଦାନୀ ଭାରତ ଓ ଆମେରିକାର ଆଇନକୁ ଉଲ୍ଲଂଘନ କରି ଭାରତୀୟ ଅଧିକାରୀମାନଙ୍କୁ ୨୫୦ ନିୟୁତ ଡଲାର ଲାଞ୍ଚ ଦେଇଛନ୍ତି। ତେଣୁ ତାଙ୍କୁ ତୁରନ୍ତ ଗିରଫକରି ଜେରା କରାଯାଉ। […] The post ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ appeared first on Dharitri Odia News.

ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ

ନୂଆଦିଲ୍ଲୀ,୨୨।୧୧: ବିଳିୟନେୟାର ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଲାଞ୍ଚ ଓ ଜାଲିଆତି ମାମଲାରେ ଆମେରିକାରେ ଗିରଫ ପରଓ୍ବାନା ଜାରି ହେବା ପରେ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

ଏକ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି, ଗୌତମ ଆଦାନୀ ଭାରତ ଓ ଆମେରିକାର ଆଇନକୁ ଉଲ୍ଲଂଘନ କରି ଭାରତୀୟ ଅଧିକାରୀମାନଙ୍କୁ ୨୫୦ ନିୟୁତ ଡଲାର ଲାଞ୍ଚ ଦେଇଛନ୍ତି। ତେଣୁ ତାଙ୍କୁ ତୁରନ୍ତ ଗିରଫକରି ଜେରା କରାଯାଉ। ଆଦାନୀଙ୍କ ‘ସୁରକ୍ଷାଦାତା’ ଏବଂ ସେବି ଚେୟାରପର୍ସନ ମାଧବୀ ପୁରୀ ବୁଚ୍‌ଙ୍କୁ ତୁରନ୍ତ ପଦରୁ ହଟାଇ ତାଙ୍କ ବିରୋଧରେ ମଧ୍ୟ ତଦନ୍ତ କରାଯାଉ। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ବାରମ୍ବାର ଦୋହରାଇଥିବା ସ୍ଲୋଗାନ ‘ଏକ ହେଁ ତୋ ସେଫ୍‌ ହେଁ’କୁ କଟାକ୍ଷ କରି ରାହୁଲ ଏହାକୁ ଉଦ୍ଧୃତ କରିଛନ୍ତି।

ସେ କହିଛନ୍ତି, ମୋଦି ଓ ଆଦାନୀ ଏକ ହେଁ ତୋ ସେଫ୍‌ ହେଁ। ରାହୁଲ ଆହୁରି କହିଛନ୍ତି, ସୋମବାର ଆରମ୍ଭ ହେବାକୁ ଥିବା ପାର୍ଲାମେଣ୍ଟର ଶୀତ ଅଧିବେଶନରେ ସେ ଏହି ପ୍ରସଙ୍ଗ ଉଠାଇବେ। ଏହା ଉପରେ ପୂରା ବିରୋଧୀ ଏକାଠି ଅଛନ୍ତି। ବିରୋଧୀଙ୍କ ପକ୍ଷରୁ ମିଳିତ ଭାବେ ଏହି ପ୍ରସଙ୍ଗ ଉଠାଯିବ। ଆଦାନୀ ଗ୍ରୁପ୍‌ର କାରବାର ଉପରେ ଏକ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବିରେ ବିରୋଧୀ ଏବେ ମଧ୍ୟ ଅଟଳ। ଆଦାନୀଙ୍କୁ ମୋଦି ସରକାର ସୁରକ୍ଷା ଦେଉଥିବାରୁ ଭାରତରେ ତାଙ୍କୁ ଗିରଫ କରାଯିବ ନାହିଁ କି ତାଙ୍କ ବିରୋଧରେ ତଦନ୍ତ କରାଯିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସନୀୟତା ଧ୍ୱଂସ ହୋଇଯାଇଛି। ଆଦାନୀ ଓ ମୋଦି ଏକ ବୋଲି ସାରା ଦେଶ ଜାଣିଗଲାଣି। ସେମାନଙ୍କ ସମ୍ପୂର୍ଣ୍ଣ (ରାଜନୈତିକ-ଅମଲାତନ୍ତ୍ରୀ) ନେଟ୍‌ଓ୍ବର୍କ ଉପରୁ ଆମେ ପରଦା ହଟାଇବୁ। ମାଧବୀ ପୁରୀ ବୁଚ୍‌ ଏହାର ପ୍ରଥମ ଦୃଷ୍ଟାନ୍ତ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ଆଦାନୀ ଗ୍ରୁପ୍‌ର କାର୍ଯ୍ୟକଳାପ, ବିଦେଶରେ ପୁଞ୍ଜିନିବେଶ ସମେତ ସବୁ ଦିଗକୁ ନେଇ ଜେପିସି ତଦନ୍ତ ଦାବି କରିଛନ୍ତି। ମୋଦି ସରକାର ଅହେତୁକ ଅନୁକମ୍ପା ଗ୍ରହଣ କରି ଅଳ୍ପ କେତେଜଣଙ୍କ ହାତରେ ଠିକା ଟେକିଦେବା ପାଇଁ ନୀତି ପ୍ରଣୟନରେ ସ୍ବେଚ୍ଛାଚାରିତା ଅବଲମ୍ବନ କରୁଥିବା ଖାର୍ଗେ ଅଭିଯୋଗ ଆଣିଛନ୍ତି।
କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ଆମେରିକାର ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ କମିଶନଙ୍କ ପଦକ୍ଷେପ ତାଙ୍କ ଭାରତୀୟ ପ୍ରତିପକ୍ଷ ସେବିର କାର୍ଯ୍ୟକଳାପ ଉପରେ ଆଲୋକପାତ କରିଛି। ସେବି ଆଦାନୀ ଗ୍ରୁପ୍‌ ବିରୋଧରେ ପୂର୍ବରୁ ଆଗତ ଷ୍ଟକ୍ସ ଜାଲିଆତି ଓ ଶେଲ୍‌ କମ୍ପାନୀ କାରବାର ଅଭିଯୋଗର ଉପଯୁକ୍ତ ତଦନ୍ତ କରି ନ ଥିବା ଏଥିରୁ ସ୍ପଷ୍ଟ ହୋଇଛି। ମୋଦନୀ (ମୋଦି+ଆଦାନୀ) ଦୁର୍ନୀତିର ଜେପିସି ତଦନ୍ତ କରାଯାଉ ବୋଲି ସେ ଏକ୍ସ’ରେ ଦାବି କରିଛନ୍ତି।

ସିପିଆଇଏମ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି, ମୋଦି ସରକାର ଆଉ ନିଜକୁ ଘଣ୍ଟ ଘୋଡ଼ାଇପାରିବେ ନାହିଁ। ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାରେ ଆଗତ ଲାଞ୍ଚ ଅଭିଯୋଗର ସିବିଆଇ ତଦନ୍ତ କରାଯାଉ। ତୃଣମୂଳ କଂଗ୍ରେସ ଏମ୍‌ପି ସାକେତ ଗୋଖଲେ କହିଛନ୍ତି, ଆମେରିକାରୁ ଖବର ଆସିବା ପରେ ଭାରତୀୟ ଶେୟାର ମାର୍କେଟ ଧରାଶାୟୀ ହେବାରେ ଲାଗିଛି। ପୁଞ୍ଜି ବଜାରରେ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଭାରତ ସରକାର ସମ୍ପୂର୍ଣ୍ଣ ନୀରବ ରହିଛନ୍ତି। ଏହି ମାମଲାରେ ମୋଦି ସରକାର ସମ୍ପୃକ୍ତ କି ତାହାର ତଦନ୍ତ କରାଯାଉ। ଅନ୍ୟପକ୍ଷେ କଂଗ୍ରେସ ଓ ରାହୁଲ ୨୦୦୨ରୁ ମୋଦିଙ୍କୁ ଟାର୍ଗେଟ କରିଆସିଥିବା ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର ଖବରଦାତାଙ୍କୁ ସମ୍ବୋଧିତ କରି କହିଛନ୍ତି।

The post ଆଦାନୀଙ୍କୁ ତୁରନ୍ତ ଗିରଫ କର: ରାହୁଲ appeared first on Dharitri Odia News.