ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ଭିଡିଓ ବାର୍ତ୍ତା ଜାରି କରି ଆହ୍ୱାନ ଦେଇଥିଲେ ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି।

ଆନ୍ଦୋଳନରୁ ଓହରିଲା ଡ୍ରାଇଭର ମହାସଂଘ

ଶେଷରେ ଆନ୍ଦୋଳନରୁ ଓହରିଛି ଓଡ଼ିଶା ଡ୍ରାଇଭର ମହାସଂଘ। ସରକାରଙ୍କ ସହିତ ସକାରାତ୍ମକ ଆଲୋଚନା ପରେ ଆଜି ସନ୍ଧ୍ୟାରେ ମହାସଂଘ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛି। ଓଡ଼ିଶା ଡ୍ରାଇଭର ମହାସଂଘ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା ଏହି ସୂଚନା ଦେଇଥିବା ବେଳେ ତତ୍‌କ୍ଷଣାତ୍ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିବା କହିଛନ୍ତି।

ସରକାରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିବାକୁ ଭିଡିଓ ବାର୍ତ୍ତା ଜାରି କରି ଆହ୍ୱାନ ଦେଇଥିଲେ ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି। ସେ କହିଥିଲେ, ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି। ତେଣୁ ଆନ୍ଦୋଳନରୁ ଓହରି ଯାଆନ୍ତୁ ଓ ନିଜ ନିଜ କାର୍ଯ୍ୟରେ ଲାଗିପଡ଼ନ୍ତୁ। ଦରକାର ପଡ଼ିଲେ ଭବିଷ୍ୟତରେ କେନ୍ଦ୍ର ସରକାରଙ୍କ ଆଇନ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବା। ଅନ୍ୟ ସମସ୍ତ ରାଜ୍ୟ ଆନ୍ଦୋଳନକୁ ଓହ୍ଲାଇଲେ ଆମେ ମଧ୍ୟ ଓହ୍ଲାଇବା।

ସେହିପରି ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ସଂଘ ସହିତ ହୋଇଥିବା ଆଲୋଚନା ସକାରାତ୍ମକ ରହିଛି। ସଂଘର ରାଜ୍ୟ ସରକାରଙ୍କ ଠାରୁ ଥିବା ଦାବି ପୂରଣ ହୋଇଛି। ଆଜି ସନ୍ଧ୍ୟାରୁ ଆନ୍ଦୋଳନ ପ୍ରତ୍ୟାହାର ନେଇ ସବୁ ଜିଲ୍ଲାକୁ ଜଣାଇଛି ସଂଘ। ସଂଘ ସଭାପତି ମଧ୍ୟ ସେହି ମର୍ମରେ ଏକ ଭିଡିଓ ଜାରି କରିଛନ୍ତି।