ଆବର୍ଜନାରୁ ସର୍ଜନା, ଗଞ୍ଜାମର ଗୋବର କଣ୍ଢେଇ
ଗଞ୍ଜାମ: ଛୋଟ ପିଲାଙ୍କ ପାଇଁ ସବୁଠୁ ବଡ଼ ସମ୍ପତ୍ତି ହେଉଛି କଣ୍ଢେଇ। ନିର୍ଜୀବ ହେଲେ ବି ଏହା କୋମଳମତି ଶିଶୁର ସବୁଠୁ ବଡ଼ ସାଥୀ। କଣ୍ଢେଇମାନଙ୍କୁ ନେଇ ଶିଶୁର ସଂସାର। ପିଲାଙ୍କ ମନ ବୁଝାଇବା ପାଇଁ ବାପା ମାଆଙ୍କ ସାହାରା ସାଜେ ଏଇ କଣ୍ଢେଇ। ଏବେ ବଜାରରେ ଚାହିଦା ଅନୁଯାୟୀ ନାନା ରମକର ଖେଳନା କଣ୍ଢେଇ ଉପଲବ୍ଧ ଅଛି, ଏପରିକି ବିଦେଶରୁ ମଧ୍ୟ ଖେଳନା ଆମଦାନି ହେଉଛି। କିନ୍ତୁ ଭାରତରେ ନିର୍ମିତ ଘରୋଇ ଖେଳନା ବଜାର ଅଭିବୃଦ୍ଧି […]

ଗଞ୍ଜାମ: ଛୋଟ ପିଲାଙ୍କ ପାଇଁ ସବୁଠୁ ବଡ଼ ସମ୍ପତ୍ତି ହେଉଛି କଣ୍ଢେଇ। ନିର୍ଜୀବ ହେଲେ ବି ଏହା କୋମଳମତି ଶିଶୁର ସବୁଠୁ ବଡ଼ ସାଥୀ। କଣ୍ଢେଇମାନଙ୍କୁ ନେଇ ଶିଶୁର ସଂସାର। ପିଲାଙ୍କ ମନ ବୁଝାଇବା ପାଇଁ ବାପା ମାଆଙ୍କ ସାହାରା ସାଜେ ଏଇ କଣ୍ଢେଇ। ଏବେ ବଜାରରେ ଚାହିଦା ଅନୁଯାୟୀ ନାନା ରମକର ଖେଳନା କଣ୍ଢେଇ ଉପଲବ୍ଧ ଅଛି, ଏପରିକି ବିଦେଶରୁ ମଧ୍ୟ ଖେଳନା ଆମଦାନି ହେଉଛି। କିନ୍ତୁ ଭାରତରେ ନିର୍ମିତ ଘରୋଇ ଖେଳନା ବଜାର ଅଭିବୃଦ୍ଧି ପାଇଁ ଆଶାୟୀ ଥିବା ବେଳେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର କାରିଗରମାନେ ଗୋବର କଣ୍ଢେଇ ପ୍ରସ୍ତୁତ କରି ଏ ଦିଗରେ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି।
ବର୍ତ୍ତମାନ ବଜାରରେ ଶସ୍ତା ପ୍ଲାଷ୍ଟିକ ଓ ରବର ଖେଳଣା ବହୁଳ ମାତ୍ରାରେ ବିକ୍ରି ହେଉଥିବା ବେଳେ, ଗଞ୍ଜାମ ଜିଲ୍ଲାର କାରିଗରମାନେ ଗୋବରରୁ ତିଆରି କରୁଛନ୍ତି ଅତି ସୁନ୍ଦର କଣ୍ଢେଇ। ଛୋଟ ପିଲାଙ୍କ କଣ୍ଢେଇଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପଶୁମୁଖା, ଶିକ୍ଷଣୀୟ ସାମଗ୍ରୀ ଇତ୍ୟାଦି ଗୋବରରୁ ପ୍ରସ୍ତୁତ କରୁଛନ୍ତି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ତହସିଲ ଅନ୍ତର୍ଗତ ଚଢ଼େଇପଲ୍ଲୀ ଗାଁ, ବ୍ରହ୍ମପୁରରୁ ଏହାର ଦୂରତା ପ୍ରାୟ ୭୦ କିମି। ଗାଁରେ ପ୍ରାୟ ୧୫ରୁ ଊର୍ଦ୍ଧ୍ବ କାରିଗର ପରିବାର ଗୋବରରୁ ପ୍ରସ୍ତୁତ କରୁଛନ୍ତି ନାନା ରକମର କଣ୍ଢେଇ। ବିଗତ ଛଅ ଦଶନ୍ଧି ଧରି ସେମାନେ ଏହି ପାରମ୍ପରିକ କଳାକୁ ବଞ୍ଚାଇ ରଖିଛନ୍ତି। ଗୋବର କଣ୍ଢେଇର ସବୁଠୁ ଭଲ ଦିଗ ହେଉଛି, ଏହା ପରିବେଶ ଅନୁକୂଳ ପଦ୍ଧତିରେ ପ୍ରସ୍ତୁତ ହେଉଅଛି। ଆଜିର ସମୟରେ ଲୋକେ ଅର୍ଗାନିକ ଉତ୍ପାଦ ପ୍ରତି ଅଧିକ ଆକୃଷ୍ଟ ହେଉଥିବା ବେଳେ ଗୋବର କଣ୍ଢେଇ ସେମାନଙ୍କ ପାଇଁ ସବୁଠୁ ଭଲ ବିକଳ୍ପ। ଗୋବର ଭଳି ଜୈବିକ ବର୍ଜ୍ୟରୁ ପ୍ରସ୍ତୁତ ଏହି କଣ୍ଢେଇ ନଷ୍ଟ ହେବା ପରେ ସହଜରେ ମାଟିରେ ମିଶିଯାଏ ଏବଂ ଏଥିରୁ କୌଣସି ଆବର୍ଜନା ଉତ୍ପନ୍ନ ହୁଏ ନାହିଁ। ଏହା ଛଡ଼ା ଗୋବର କଣ୍ଢେଇ ତିଆରିରେ କୌଣସି ରାସାୟନିକ ପଦାର୍ଥ ମଧ୍ୟ ବ୍ୟବହାର ହୁଏ ନାହିଁ। ଗୋବର କଣ୍ଢେଇର ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ପର୍ୟ୍ୟନ୍ତ ରହିଛି। ଗଞ୍ଜାମର ପ୍ରସିଦ୍ଧ ଦଣ୍ଡନାଚ ସମୟରେ ଚଢ଼େଇପଲ୍ଲୀ ଗ୍ରାମର କାରିଗରମାନେ ଗୋବର ଓ କାଗଜର ମିଶ୍ରଣରୁ ବାଘ, ସିଂହ, ଘୋଡ଼ା ଇତ୍ୟାଦି ବିଭିନ୍ନ ପ୍ରକାର ପଶୁମୁଖା ତିଆରି କରନ୍ତି। ଦଣ୍ଡ ନାଚରେ ଏସବୁ ମୁଖା ବ୍ୟବହାର ହୁଏ। ଏହା ଛଡ଼ା ସ୍ଥାନୀୟ ମେଳା ମହୋତ୍ସବରେ ମଧ୍ୟ କାରିଗରମାନେ କଣ୍ଢେଇ ବିକ୍ରି କରି କିଛି ପଇସା ରୋଜଗାର କରୁଛନ୍ତି।
ପ୍ରସ୍ତୁତି ଶୈଳୀ
ପ୍ରଥମେ କାରିଗରମାନେ ଆଖପାଖ ଗାଁରୁ ଗୋବର ସଂଗ୍ରହ କରନ୍ତି। ଗୋବରରୁ ଚିକ୍କଣ ପେଷ୍ଟ ପ୍ରସ୍ତୁତ କରି ସେଥିରେ ତେନ୍ତୁଳି ମଞ୍ଜି ବଟାକୁ ମିଶାଇ ଦିଅନ୍ତି। ତାପରେ ପ୍ରସ୍ତୁତ ହୋଇଥିବା ପେଷ୍ଟକୁ ମନ ମୁତାବକ ଆକାର ଦେଇ ପଶୁପକ୍ଷୀ, ରାଜାରାଣୀ, ପନିପରିବା, ହାତୀ, ଘୋଡ଼ା ଇତ୍ୟାଦି କଣ୍ଢେଇ ଗଢ଼ନ୍ତି। ଗୋଟିଏ ଦିନ ଖରାରେ ଶୁଖିବା ପାଇଁ ଛାଡ଼ି ଦିଅନ୍ତି। ସମ୍ପୂର୍ଣ୍ଣ ରୂପେ ଶୁଖିଯିବା ପରେ କାରିଗର ଏଥିରେ ରଙ୍ଗ ଦେଇ ପ୍ରସ୍ତୁତ କରନ୍ତି ଆକର୍ଷଣୀୟ କଣ୍ଢେଇ।
ଗୋବର କଣ୍ଢେଇ ତିଆରି କରିବା ସହଜ ଲାଗୁଥିଲେ ମଧ୍ୟ ଏହି ପ୍ରକ୍ରିୟାରେ ପରିଶ୍ରମ ରହିଛି। ଗୋଟିଏ କଣ୍ଢେଇ ତିଆରି କରିବା ପାଇଁ ତିନିରୁ ଚାରି ଦିନ ସମୟ ଲାଗିଯାଏ। ଦୈନିକ ଆମର ପାଞ୍ଚ ଛଅ ଘଣ୍ଟା ଏହି କାମରେ ବିତିଯାଏ। ମୋ ଜେଜେବାପାଙ୍କ ସମୟରେ ଚଢ଼େଇପଲ୍ଲୀ ଗାଁରେ ଏହି କାମ ଆରମ୍ଭ ହୋଇଥିଲା। ପରିବାରର ତୃତୀୟ ପିଢ଼ି ଭାବେ ଆମେ ମଧ୍ୟ ଏହି କଳାକୁ ବଞ୍ଚାଇ ରଖିଛୁ।
– ଗୌତମ ମହାରଣା (କାରିଗର)
ମୋ ବୟସ ୬୦ ହେଲାଣି। ଗାଁକୁ ବାହା ହେଇ ଆସିଲା ପରେ ଶାଶୂଙ୍କଠାରୁ ଏହି ଗୋବର କଣ୍ଢେଇ କଳା ଶିଖିଥିଲି। ଏବେ ଯାଏଁ କାମ ଜାରି ରଖିଛି। ଘର ପରିବାର ଦାୟିତ୍ଵ ମଧ୍ୟ ମୋ ଉପରେ ଅଛି। ପ୍ରତ୍ୟେକ ଦିନ ସବୁ ଘରକାମ ସାରି କଣ୍ଢେଇ ପ୍ରସ୍ତୁତ କରିବାରେ ଲାଗିଯାଏ। ରାଜ୍ୟ ବାହାରୁ ମଧ୍ୟ ଆମ କଣ୍ଢେଇ ଦେଖିବାକୁ ଲୋକ ଆସନ୍ତି ଏବଂ ପ୍ରଶଂସା କରନ୍ତି। କଣ୍ଢେଇ କଳା ପ୍ରତି ଏହି ସମ୍ମାନ ଓ ପ୍ରଶଂସା ଟିକିଏ ପାଇଲେ ଆମ ମୁହଁରେ ହସ ଫୁଟେ। କିଛି ନୂଆ ଜିନିଷ କରିପାରିଛି ବୋଲି ଭାବି ଖୁସି ଲାଗେ।
– ଝୁନୁ ମହାରଣା (କାରିଗର)
ଗୋବରରୁ ଶିକ୍ଷଣୀୟ ସାମଗ୍ରୀ
ଚଢ଼େଇପଲ୍ଲୀ ଗାଁର କାରିଗରମାନେ ଗୋବରରୁ କେବଳ ଖେଳନା କଣ୍ଢେଇ ନୁହେଁ, ଶିକ୍ଷଣୀୟ ସାମଗ୍ରୀ ମଧ୍ୟ ପ୍ରସ୍ତୁତ କରନ୍ତି। ଗାଈ ଗୋବରରୁ ନାନା ରଙ୍ଗର ପନିପରିବା, ଫଳ, ପଶୁପକ୍ଷୀ, ଘରକରଣା ସାମଗ୍ରୀ ଇତ୍ୟାଦି ତିଆରି କରି ବିକ୍ରି କରନ୍ତି। ସ୍ଥାନୀୟ ଅଞ୍ଚଳର ସ୍କୁଲ ଶିକ୍ଷକମାନେ ଆସି ବିଦ୍ୟାଳୟ ଶିକ୍ଷଣୀୟ ସାମଗ୍ରୀ ସକାଶେ ଏସବୁ କିଣୁଛନ୍ତି। ପ୍ରାଥମିକ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ଗୋବରରୁ ପ୍ରସ୍ତୁତ ଏସବୁ ସାମଗ୍ରୀ ଦେଖାଇ ପାଠ ପଢ଼ାଯାଉଛି।
ମାର୍କେଟିଂରେ ସମସ୍ୟା
ଗୋବର କଣ୍ଢେଇ କାରିଗରଙ୍କ ବଡ଼ ସମସ୍ୟା ହେଉଛି ଏହାର ମାର୍କେଟିଂ। ଏପର୍ୟ୍ୟନ୍ତ ଗୋବର କଣ୍ଢେଇର ବଜାରୀକରଣ ହୋଇପାରିନାହିଁ। ବର୍ତ୍ତମାନର ଡିଜିଟାଲ ଯୁଗରେ ସବୁ କିଛି ଜିନିଷ ହାତପାଆନ୍ତାରେ ମିଳୁଥିବା ବେଳେ, ଇ- କମର୍ସ ସାଇଟ୍ରେ ଗଞ୍ଜାମ ଜିଲ୍ଲାର ଗୋବର କଣ୍ଢେଇ ଉପଲବ୍ଧ ନାହିଁ। ତେଣୁ ଲୋକଙ୍କ ନିକଟରେ ଏହା ପହଞ୍ଚି ପାରୁନାହିଁ। ଏନେଇ ଚଢ଼େଇପଲ୍ଲୀ ଗ୍ରାମର କଣ୍ଢେଇ କାରିଗର ଗୌତମ ମହାରଣା କହିଛନ୍ତି, “ଗୋବର କଣ୍ଢେଇ କଳାର ଚାହିଦାକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ପ୍ରୋତ୍ସାହନର ଆବଶ୍ୟକତା ଅଛି। ଉପଯୁକ୍ତ ତାଲିମ ସହ ଆର୍ଥିକ ସହାୟତା ଦିଆଗଲେ ଆହୁରି ଅଧିକ ସଂଖ୍ୟକ ଲୋକ ଏଥିରେ ସାମିଲ ହୋଇ କିଛି ରୋଜଗାର କରିପାରିବେ।” ଗୋବର କଣ୍ଢେଇ ସମ୍ପର୍କରେ ଲୋକଙ୍କୁ ସୂଚନା ମିଳିଲେ, ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଆଦୃତି ବଢ଼ିପାରିବ ବୋଲି ଗୌତମ ମହାରଣା କହିଛନ୍ତି।