ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ, ଦିଲ୍ଲୀରୁ ଆସୁଛି ପାର୍ଥିବ ଶରୀର

ଭୁବନେଶ୍ବର : ଓଲିଉଡ୍‌ର ବରିଷ୍ଠ ଅଭିନେତା ତଥା ପ୍ରଥମ ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତି ଚିରନିଦ୍ରାରେ ଶୋଇ ଯାଇଛନ୍ତି। ଗତ କିଛିମାସ ହେଲା ଲିଭର ସିରୋସିସ୍‌ରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ […]

ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସତ୍ୟନଗର ଶ୍ମଶାନରେ ହେବ ଉତ୍ତମଙ୍କ ଶେଷକୃତ୍ୟ, ଦିଲ୍ଲୀରୁ ଆସୁଛି ପାର୍ଥିବ ଶରୀର
Last rites of Uttam Mohanty will be performed with full state honours

ଭୁବନେଶ୍ବର : ଓଲିଉଡ୍‌ର ବରିଷ୍ଠ ଅଭିନେତା ତଥା ପ୍ରଥମ ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତି ଚିରନିଦ୍ରାରେ ଶୋଇ ଯାଇଛନ୍ତି। ଗତ କିଛିମାସ ହେଲା ଲିଭର ସିରୋସିସ୍‌ରେ ପୀଡ଼ିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲରେ ଗୁରୁବାର ରାତିରେ ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକରେ ସାରା ଓଡ଼ିଶାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗତ ୬ ତାରିଖରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ବରର କିମ୍‌ସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ପାଇଁ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ଲିଭର ସିରୋସିସ୍‌ ସହ ନିମୋନିଆର ଚିକିତ୍ସା ଚାଲିଥିଲା । ତେବେ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ।

ସେପଟେ ଦିଲ୍ଲୀରୁ ଉତ୍ତମଙ୍କ ପାର୍ଥିବ ଶରୀର ନେଇ ଆସୁଛନ୍ତି ପୁଅ ବାବୁଶାନ ଓ ପୁତ୍ରବଧୂ ତୃପ୍ତି । ଦିନ ୧୧.୩୦ ଟାବେଳେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବ ପାର୍ଥିବ ଶରୀର । ତାପରେ ସିଧାସଳଖ ଜଗନ୍ନାଥ ବିହାରସ୍ଥିତ ବାସଭବନରେ ପହଂଚିବା ପରେ ଶେଷ ଦର୍ଶନ କରିବେ ସିନେ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷ। ଏହାପରେ ତାଙ୍କର ଶେଷକୃତ୍ୟ କରାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ କରାଯିବାକୁ ଘୋଷଣା କରାଯାଇଛି।

ବାରିପଦାରେ ଜନ୍ମଗ୍ରହଣ କରିଥିବା ଉତ୍ତମ କଲେଜ ପଢ଼ିବା ସମୟରେ ବିଭିନ୍ନ ମଞ୍ଚ ନାଟକରେ ଅଭିନୟ ଆରମ୍ଭ କରିଥିଲେ। ବାଣିଜ୍ୟରେ ସ୍ନାତକ ପାଠ୍ୟକ୍ରମ ଶେଷପରେ ବଡ଼ ଭାଇ ଅରୁଣ କୁମାର ମହାନ୍ତିଙ୍କ ପାଖରେ କଲିକତାରେ ରହି ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ୍ୟକ୍ରମ ଶେଷ କରିଥିଲେ। ମାତ୍ର ଅଭିନୟ ପ୍ରତି ପ୍ରଗାଢ଼ ମୋହ ତାଙ୍କୁ ସିନେମାକୁ ଟାଣି ଆଣିଥିଲା। ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଅଭିମାନ’ରୁ ଚଳଚ୍ଚିତ୍ର ଅଭିନୟର ଯାତ୍ରା ଆରମ୍ଭ କରିବା ପରେ ଆଉ ପଛକୁ ଚାହିଁ ନ ଥିଲେ। ଗୋଟିକ ପରେ ଗୋଟିଏ ସୁପରହିଟ୍‌ ସିନେମାରେ ଅଭିନୟ କରି ଓଲିଉଡ଼୍‌ର ମେରୁଦଣ୍ଡ ଭାବରେ ଠିଆ ହୋଇଥିଲେ। ନିଖୁଣ ଅଭିନୟ ନିମନ୍ତେ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଓ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ୧୯୮୭ରେ ସେ ଅଭିନେତ୍ରୀ ଅପରାଜିତାଙ୍କୁ ବିବାହ କରିଥିଲେ ।