ଆମେରିକାରେ ବନ୍ୟା
ଆମେରିକାର ବନ୍ୟା ବର୍ତ୍ତମାନ ବିଶ୍ୱର ସମସ୍ତ ପରିବେଶବିଦ୍ଙ୍କର ନିଦ ହଜାଇଛି । ଏହାକୁ ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣାମ ବୋଲି ଆକଳନ କରିବା ଆରମ୍ଭ ହୋଇଛି । ସମଗ୍ର ବିଶ୍ୱସ୍ତରରେ ବର୍ତ୍ତମାନ ପରିବେଶପାଇଁ ଦୃଢ ପଦକ୍ଷେପ ନନେଲେ ମଣିଷ ସମାଜ ଗଭୀର ସମସ୍ୟାରେ ପଡିବ ବୋଲି ପରିବେଶବିଦ୍ମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଜୁଲାଇ ୪ରୁ ବିଶ୍ୱର ବିକଶିତ ରାଷ୍ଟ୍ର ଆମେରିକା ଭୋଗୁଛି ବନ୍ୟା ବିଭୀଷିକା । ଆମେରିକାର ମଧ୍ୟ ଟେକ୍ସାସରେ ଦେଖିବାକୁ ମିଳିଥିବା ଆକସ୍ମିକ ବନ୍ୟା […]

ଆମେରିକାର ବନ୍ୟା ବର୍ତ୍ତମାନ ବିଶ୍ୱର ସମସ୍ତ ପରିବେଶବିଦ୍ଙ୍କର ନିଦ ହଜାଇଛି । ଏହାକୁ ଜଳବାୟୁ ପରିବର୍ତ୍ତନର ଭୟାବହ ପରିଣାମ ବୋଲି ଆକଳନ କରିବା ଆରମ୍ଭ ହୋଇଛି । ସମଗ୍ର ବିଶ୍ୱସ୍ତରରେ ବର୍ତ୍ତମାନ ପରିବେଶପାଇଁ ଦୃଢ ପଦକ୍ଷେପ ନନେଲେ ମଣିଷ ସମାଜ ଗଭୀର ସମସ୍ୟାରେ ପଡିବ ବୋଲି ପରିବେଶବିଦ୍ମାନେ ଆଶଙ୍କା ପ୍ରକାଶ କରୁଛନ୍ତି ।
ଜୁଲାଇ ୪ରୁ ବିଶ୍ୱର ବିକଶିତ ରାଷ୍ଟ୍ର ଆମେରିକା ଭୋଗୁଛି ବନ୍ୟା ବିଭୀଷିକା । ଆମେରିକାର ମଧ୍ୟ ଟେକ୍ସାସରେ ଦେଖିବାକୁ ମିଳିଥିବା ଆକସ୍ମିକ ବନ୍ୟା ସମସ୍ତଙ୍କ ପାଇଁ ଏକ ବିପଦର ଘଣ୍ଟି ବଜାଇଛି । ଜୁଲାଇ ୪, ୨୦୨୫ରେ ଟେକ୍ସାସରେ ଦେଖାଯାଇଥିବା ଏହି ବନ୍ୟା କଛି ସପ୍ତାହ ଧରି ଆମେରିକାରେ ତାଣ୍ଡବ ରଚି ଚାଲିଛି । ଏଥିରେ ୧୩୪ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ନିଖୋଜ ଅଛନ୍ତି । ସାରା ଅଞ୍ଚଳ ପାଣିରେ ଉବୁଟୁବୁ ହେଉଥିବାର ଦେଖିବାକୁ ମିଳୁଛି । ବିଶ୍ୱର ଏକ ବିକଶିତ ତଥା ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ଏଭଳି ଆକସ୍ମିତ ବନ୍ୟା ଅନେକ ଚର୍ଚ୍ଚାର କାରଣ ସାଜିଛି । ଏକ ଖୁବ କମ ବେଗରେ ଗତି କରୁଥିବା ଝଡ କାରଣରୁ ଆମେରିକାର ଟେକ୍ସସାସରେ ଦେଖିବାକୁ ମିଳିଥିଲା ଖୁବ ଅଧିକ ପରିମାଣରେ ବର୍ଷା । ଆମେରିକାର ଯେଉଁ ଅଞ୍ଚଳରେ ଏହି ବର୍ଷା ଦେଖିବାକୁ ମିଳିଛି ସେହି ଅଞ୍ଚଳରେ ଖୁବ ଅଧିକ ପାହାଡ, ସମତଳ ଅଞ୍ଚଳ, ନଦୀ କୂଳ ସବୁ ପ୍ରକାର ଜିନିଷ ରହିଛି । ଏହି ବାଦଲ ଫଟା ବର୍ଷା କାରଣରୁ ସେ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଆକସ୍ମିକ ବନ୍ୟା । ତେବେ ଏହି ବନ୍ୟାର ସବୁଠାରୁ ଦୁଃଖ ବିଷୟଥିଲା ଏକ ସମର କ୍ୟାମ୍ପ ଏହି ବନ୍ୟାରେ ଭାସିଯିବା । ଗୁଆଡାଲ୍ୟୁପ ନଦୀ କୂଳରେ ଏହି କ୍ୟମ୍ପଟି ପଡିଥିଲା ଯେଉଁଥିରେ ଅନେକ ଛୋଟ ପିଲାଙ୍କ ସହିତ ଶିକ୍ଷକମାନେ ସାମିଲ ଥିଲେ । ଏହି କ୍ୟାମ୍ପର ଏକାଧିକ ଲୋକ ବର୍ତ୍ତମାନ ସୁଦ୍ଧା ନିଖୋଜ ଥିବା ମଧ୍ୟ ସୂଚନା ମିଳିଛି । ଗତ ୧୦୦ ବର୍ଷରେ ଏପରି ବନ୍ୟା ଆମେରିକାରେ ଆସିନଥିବା ନେଇ ଅନେକ ଲୋକ ଆଲୋଚନା କରୁଛନ୍ତି । ଏହି ବନ୍ୟା ସ୍ଥିତି ଖୁବ ଗମ୍ଭୀର ରହିଛି, ଯାହା ସମସ୍ତଙ୍କୁ ବ୍ୟଥିତ କରିଛି ।
ଜଳବାୟୁ ପରିବର୍ତ୍ତନର ପ୍ରଭାବ
ମଧ୍ୟ ଟେକ୍ସାସକୁ ଆକସ୍ମିକ ବନ୍ୟାର ସ୍ଥଳ ବୋଲି ବିବେଚନା କରାଯାଇଥାଏ । ଏଠିକାର ଖାଲ ଭୂମି, ଉଷ୍ଣକଟିବନ୍ଧୀୟ ଆର୍ଦ୍ରତା ଏବଂ ଧୀର ବେଗରେ ଗତି କରୁଥିବା ଝଡ କାରଣରୁ ଏଠାରେ ସବୁବେଳେ ବିଶେଷଭାବେ ଜୁଲାଇ ମାସରେ ଅଧିକ ବର୍ଷା ହୋଇଥାଏ । ହେଲେ ଚଳିତଥର ହୋଇଥିବା ବର୍ଷାକୁ ସ୍ଥାନୀୟ ପାଣିପାଗ ବିଜ୍ଞାନୀ କିଛି ଭିନ୍ନ ବୋଲି ଦର୍ଶାଇଛନ୍ତି । ଚଳିତଥର କେରଭିଲ୍ରେ ମାତ୍ର ୩ ଘଣ୍ଟାରେ ପାଖାପାଖି ୨୫ ସେମି ବର୍ଷା ହୋଇଥିବା ଜଣା ପଡିଛି । ଏହା ଅନ୍ୟଦିନରେ ବଢିଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଏହି ବର୍ଷା କାରଣରୁ ଗୁଆଡାଲ୍ୟୁପ ନଦୀ ୨ ମିଟରରୁ ୯ ମିଟର ପର୍ଯ୍ୟନ୍ତ ବଢିଥିଲା । ଯାହା ରେକର୍ଡରେ ଦ୍ୱିତୀୟ ନମ୍ବରରେ ରହିଛି । ବିଗତ କିଛି ବର୍ଷ ହେବ ବୈଜ୍ଞାନିକମାନେ ପାଣିପାଗ ପରିବର୍ତ୍ତନକୁ ଆକସ୍ମିକ ବନ୍ୟାର କାରଣ ବୋଲି ସୂଚାଇ ଆସୁଛନ୍ତି । ଏହା କେବଳ ଆମେରିକା ନୁହେଁ ସାରା ବିଶ୍ୱରେ ବିଭିନ୍ନ ଦେଶ ଉପରେ ଏହାର ପ୍ରଭାବ ପଡୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ସମୟରେ ହେଉଥିବା ପାଣିପାଗ ଗବେଷଣାରେ ମିଳୁଥିବା ତଥ୍ୟ ଅନୁସାରେ ଗରମ ସମୁଦ୍ର ଓ ଆଦ୍ର ପରିବେଶ ଏଭଳି ଝଡକୁ ଖାଦ୍ୟ ଯୋଗାଉଛି । ଯାହାଫଳରେ ବିଶ୍ୱରେ ବିଭିନ୍ନ ସ୍ଥାନରେ ଏଭଳି ବାଦଲ ଫଟା ବର୍ଷା ହେଉଛି, ଏବଂ ଯେଉଁ କାରଣରୁ ଆକସ୍ମିକ ବନ୍ୟାର ସ୍ଥିତି ଉପୁଜୁଛି । ଏଭଳି ସ୍ଥିତିୟୁରୋପରୁ ଆମେରିକା ବ୍ୟାପିବାରେ ଲାଗିଛି । ବିଗତ ବର୍ଷ ଗବେଷକମାନେ ଜଳବାୟୁ ପରିବର୍ତ୍ତନ କାରଣରୁୟୁରୋପରେ ହୋଇଥିବା ଆକସ୍ମିକ ବନ୍ୟା ନେଇ ଅବଗତ କରାଇଥିଲେ । ପୂର୍ବ ବର୍ଷ ଗ୍ରୀସରେ ଖୁବ ଅଧିକ ପରିମାଣରେ ବନ୍ୟା ଓ ବର୍ଷା ଦେଖିବାକୁ ମିଳିଥିଲା । ଜଳବାୟୁ ପରିବର୍ତ୍ତନ କାରଣରୁ ପାଣିପାଗରେ ଖୁବ ପରିବର୍ତ୍ତନ ଘଟୁଛି ଯାହା ଏଭଳି ଭୟଙ୍କର ଆକସ୍ମିକ ବାତ୍ୟାର କାରଣ ସାଜୁଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବାୟୁମଣ୍ଡଳରେ ଉଷ୍ମତା ଦେଖିବାକୁ ମିଳୁଛି । ଯାହାଫଳରେ ଏଥିରେ ଅଧିକ ପରିମାଣରେ ଆଦ୍ରତା ମଧ୍ୟ ରହୁଛି ଯାହା ବର୍ଷାର କାରଣରୁ ସାଜୁଛି । ଏଭଳି ପାଣିପାଗ ସ୍ଥିତି ସାରା ବିଶ୍ୱରେ ଦେଖିବାକୁ ମିଳୁଛି । ଯାହା ସାଧାରଣତଃ ଆଗରୁ ଦେଖିବାକୁ ମିଳୁନଥିଲା ।
ତଥ୍ୟ ଦେବାରେ ହୋଇଥିଲା ଅସୁବିଧା
ଆକସ୍ମିକ ବନ୍ୟା ସମୟରେ ଜନସାଧାରଣଙ୍କୁ ସଚେତନ କରାଇବା ଓ ସୂଚନା ପ୍ରଦାନ କରିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ହୋଇଥାଏ । ଆମେରିକାରେ ସରକାର ଓ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ମୋବାଇଲକୁ କୌଣସି ବିପଦ ସମୟରେ ଆଲର୍ଟ ମେସେଜ ଯାଇଥାଏ । ହେଲେ ଯେତେବେଳେ ଝଡର ଗତି ଖୁବ କମ ବେଗରେ ହୋଇଥାଏ, ସେତେବେଳେ ବର୍ଷାର ପରିମାଣ ମାପିବା କଷ୍ଟ ହୋଇଥାଏ । କେଉଁ ସ୍ଥାନରେ କେତେ ପରିମାଣରେ ବର୍ଷା ହେବ ତାହାକୁ ମାପିବା କଷ୍ଟ ହୋଇଥାଏ । ଏହି କାରଣରୁ ଜନସାଧାରଣଙ୍କୁ ସଚେତନ କରିବାରେ ଆମେରିକା ପ୍ରଶାସନ ଫେଲ ମାରିଥିବା ଚର୍ଚ୍ଚା ହେଉଛି । ପୂର୍ବରୁ ମଧ୍ୟ ଲୋକମାନେ ଏଭଳି ଅଭିଯୋଗ ଆଣି ସାରିଛନ୍ତି ।