ଆମେରିକାରେ ଭାରତୀୟ ଡ୍ୟାନ୍ସରଙ୍କୁ ଗୁଳି କରି ହତ୍ୟା

କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷ ଇଭିନିଂ ଓ୍ୱାକ୍‌ରେ ବାହାରିଥିବା ବେଳେ ଜଣେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲେ।

ଆମେରିକାରେ ଭାରତୀୟ ଡ୍ୟାନ୍ସରଙ୍କୁ ଗୁଳି କରି ହତ୍ୟା

ଆମେରିକାରେ ସୁରକ୍ଷିତ ନୁହନ୍ତି ଭାରତୀୟ। ପୁଣି ଜଣେ ଭାରତୀୟଙ୍କ ଏଠି ହତ୍ୟା ହୋଇଛି। କୋଲକାତାର ଭରତନାଟ୍ୟମ ଓ କୁଚିପୁଡି ଡ୍ୟାନ୍ସର ଅମରନାଥ ଘୋଷଙ୍କୁ ଆମେରିକାରେ ଗୁଳି କରି ହତ୍ୟା କରାଯାଇଛି। ଏନେଇ ଲୋକପ୍ରିୟ ଟିଭି ସିରିଏଲ୍‌ 'ସାଥ ନିଭାନା ସାଥିଆ'ର ଗୋପୁ ବହୁ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ଅମରନାଥ ଘୋଷଙ୍କୁ ମିସୌରୀର ସେଣ୍ଟ ଲୁଇସ୍‌ରେ ହତ୍ୟା କରାଯାଇଛି। ସେ ସନ୍ଧ୍ୟାରେ ଇଭିନିଂ ଓ୍ୱାକ୍‌ରେ ବାହାରିଥିଲେ। ଏହି ସମୟରେ ଜଣେ ଅଜ୍ଞାତ ବନ୍ଧୁକଧାରୀ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଅମରନାଥ ସେଣ୍ଟ ଲୁଇସ୍‌ରେ ଓ୍ୱାଶିଂଟନ୍‌ ବିଶ୍ୱବିଦ୍ୟାଳୟରେ ନୃତ୍ୟରେ ମାଷ୍ଟର ଅଫ୍‌ ଫାଇନ୍‌ ଆର୍ଟସ୍‌ ପାଠ ପଢ଼ୁଥିଲେ।

ଭରତନାଟ୍ୟମ୍‌ ଡ୍ୟାନ୍ସର ଅମରନାଥ ଘୋଷଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଜୀ ଆମେରିକାରେ ଥିବା ଭାରତୀୟ ଦୂତାବାସ, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତା ଲୋଡିଛନ୍ତି। ସେ ଏହି ମାମଲର ଯାଞ୍ଚ କରିବା ପାଇଁ ଦାବି କରିଛନ୍ତି।

ସେପଟେ ଭାରତର ମହାବାଣିଜ୍ୟ ଦୂତାବାସ ଅମରନାଥ ଘୋଷଙ୍କ ହତ୍ୟାକୁ ନେଇ ଦୁଃଖ ପ୍ରକାଶ କରିଛି। ମିସୌରୀର ସେଣ୍ଟ ଲୁଇସରେ ହତ୍ୟା କରାଯାଇଥିବା ଅମରନାଥ ଘୋଷଙ୍କ ପରିବାର ଓ ତାଙ୍କ ସାଙ୍ଗସାଥୀଙ୍କ ପ୍ରତି ଆମର ଗଭୀର ସମବେଦନା ରହିଛି। ଏହି ମାମଲାରେ ଫରେନ୍‌ସିକ୍‌ ଓ ପୁଲିସ ମିଶି ଯାଞ୍ଚ କରୁଛି। ଯଥା ସମ୍ଭବ ଆମେ ଏହି ମାମଲାରେ ସହାୟତା ପ୍ରଦାନ କରିବାକୁ ପୂରା ଚେଷ୍ଟା କରିବୁ ବୋଲି ଭାରତର କନସୁଲେଟ୍ ଜେନେରାଲ୍ କହିଛି।

ଦେବୋଲିନାଙ୍କ କହିବା ମୁତାବକ, ଅମରନାଥ ତାଙ୍କ ପରିବାରର ଗୋଟିଏ ମାତ୍ର ସଦସ୍ୟ ଥିଲେ। ସାଙ୍ଗସାଥୀ ବିନା ତାଙ୍କର ଆଉ କେହି ନାହାନ୍ତି। ତିନି ବର୍ଷ ପୂର୍ବେ ତାଙ୍କ ମା'ଙ୍କ ପ୍ରଥମେ ମୃତ୍ୟୁ ହୋଇଥିଲା। ପିଲା ଦିନରୁ ହିଁ ସେ ତାଙ୍କ ବାପାଙ୍କୁ ହରାଇଥିଲେ। ଏବେ ତାଙ୍କୁ ଆମେରିକାରେ ହତ୍ୟା କରାଯାଇଛି। ତାଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଏଯାଏଁ ଜଣାପଡିନାହିଁ। ଘୋଷଙ୍କ ମୃତଦେହକୁ ଭାରତକୁ ଫେରାଇ ଆଣିବାକୁ ତାଙ୍କ ସାଙ୍ଗସାଥୀମାନେ ନିବେଦନ କରିଛନ୍ତି। କିନ୍ତୁ, ଏପର୍ଯ୍ୟନ୍ତ ଏହା ଉପରେ କୌଣସି ଅପଡେଟ୍‌ ମିଳିନାହିଁ।