ଆମେରିକାରେ 'ମେଟ ଗାଲା'କୁ ପାଲେଷ୍ଟାଇନ ସମର୍ଥକଙ୍କ ବିରୋଧ, ଏକାଧିକ ଗିରଫ 

ଯେତେ ପର୍ଯ୍ୟନ୍ତ ଗାଜାରେ ବୋମା ପଡ଼ିବା ବନ୍ଦ ନ ହୋଇଛି, ସେପର୍ଯ୍ୟନ୍ତ 'ମେଟ ଗାଲା' ହୋଇପାରିବ ନାହିଁ ସ୍ଲୋଗାନ୍ ଦେଇ ବିକ୍ଷୋଭ ପ୍ରଦର୍ଶନ।

ଆମେରିକାରେ 'ମେଟ ଗାଲା'କୁ ପାଲେଷ୍ଟାଇନ ସମର୍ଥକଙ୍କ ବିରୋଧ, ଏକାଧିକ ଗିରଫ 

ଆମେରିକାରେ ଚାଲିଥିବା 'ମେଟ ଗାଲା' କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି ପାଲେଷ୍ଟାଇନ ସମର୍ଥକ। ଯେତେ ପର୍ଯ୍ୟନ୍ତ ଗାଜାରେ ବୋମା ପଡ଼ିବା ବନ୍ଦ ନ ହୋଇଛି, ସେପର୍ଯ୍ୟନ୍ତ 'ମେଟ ଗାଲା' ହୋଇପାରିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ସ୍ଲୋଗାନ୍ ଦେଇଥିଲା। ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଏକାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୁଲିସ।

ନ୍ୟୁୟର୍କ ସହରରେ ସେଲିବ୍ରିଟିଙ୍କ ବାର୍ଷିକ କାର୍ଯ୍ୟକ୍ରମ 'ମେଟ ଗାଲା'ର ଆୟୋଜନ କରାଯାଇଛି। ବିଶ୍ୱର ନାମି ଦାମୀ କଳାକାର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ସମୟରେ ପ୍ରୋ-ପାଲେଷ୍ଟାଇନ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। 'ମେଟ ଗାଲା'କୁ ବନ୍ଦ କରିବାକୁ ସେମାନେ ଦାବି କରିଥିଲେ। ଆନ୍ଦୋଳନକାରୀମାନେ 'No Celebration Without Liberation', ଅର୍ଥାତ୍ ମୁକ୍ତି ବିନା ଉତ୍ସବ ମନାଇବାର ନାହିଁ ନାରା ଦେଇଥିଲେ।

ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ପରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୁଲିସ ଏକାଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିନେଇଛି। କିନ୍ତୁ ପ୍ରକୃତରେ କେତେ ସଂଖ୍ୟକ ଆନ୍ଦୋଳନକାରୀ ଗିରଫ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇ ନାହିଁ।  

ପ୍ରକାଶ ଥାଉକି, ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଶାନ୍ତି ପାଇଁ ଆଗକୁ ଆସିଛନ୍ତି। ଦେଶ ତଥା ଦେଶରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଇସ୍ରାଏଲକୁ ସମର୍ଥନ କିମ୍ବା ସହଯୋଗ ଯୋଗାଇ ଦିଆନଯାଉ ବୋଲି ସେମାନେ ଦାବି କରିଛନ୍ତି। ଯୁଦ୍ଧ କାରଣରୁ ମାନବିକ ସଙ୍କଟ ବୃଦ୍ଧି ପାଉଛି, ଏହାକୁ ରୋକିବା ପାଇଁ ଛାତ୍ରଛାତ୍ରୀମାନେ ଆଗକୁ ଆସିଛନ୍ତି।

ଏହି ଦାବିକୁ ନେଇ ଏପ୍ରିଲରୁ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଦେଶରେ ଚାଲିଥିବା 'ମେଟ ଗାଲା'କୁ ମଧ୍ୟ ବିରୋଧ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପୁଲିସ ଏହି ମାମଲାରେ ୨,୪୦୦ରୁ ଅଧିକ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ସେପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଛାତ୍ରଛାତ୍ରୀଙ୍କ ଦାବିକୁ ଖଣ୍ଡନ କରିବା ପରେ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି।