ଆରସିବି ବିଜୟ ଉତ୍ସବ ବେଳେ ଦଳାଚକଟାରେ ପ୍ରାଣ ହରାଇଥିବା ଜଣେ ବାପାର କୋହ ଓ ଲୁହ
ମୋ ପୁଅକୁ ମୋତେ ଦେଇଦିଅ । ତା ଶରୀରକୁ ଖଣ୍ଡ ଖଣ୍ଡ କରନାହିଁ । ତାର ପୋଷ୍ଟମର୍ଟମ କର ନାହିଁ । ଏହି କଥା ଆଉ କାହାର ନୁହେଁ, ପୁଅର ମୃତଶରୀରକୁ ନିଜ ଆଖି ଆଗରେ ଦେଖି ଛାତି ଫାଟି ପଡୁଥିବା ଜଣେ ବାପାର କୋହ । ହଁ ଆଜ୍ଞା ଏ ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି ସମ୍ଭାଳିବନି । ଦୀର୍ଘ ୧୮ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଥମ ଆଇପିଏଲ୍ ଟ୍ରଫି ବିଜୟରେ ସାରା […] The post ଆରସିବି ବିଜୟ ଉତ୍ସବ ବେଳେ ଦଳାଚକଟାରେ ପ୍ରାଣ ହରାଇଥିବା ଜଣେ ବାପାର କୋହ ଓ ଲୁହ appeared first on KNews Odisha.

ମୋ ପୁଅକୁ ମୋତେ ଦେଇଦିଅ । ତା ଶରୀରକୁ ଖଣ୍ଡ ଖଣ୍ଡ କରନାହିଁ । ତାର ପୋଷ୍ଟମର୍ଟମ କର ନାହିଁ । ଏହି କଥା ଆଉ କାହାର ନୁହେଁ, ପୁଅର ମୃତଶରୀରକୁ ନିଜ ଆଖି ଆଗରେ ଦେଖି ଛାତି ଫାଟି ପଡୁଥିବା ଜଣେ ବାପାର କୋହ । ହଁ ଆଜ୍ଞା ଏ ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି ସମ୍ଭାଳିବନି । ଦୀର୍ଘ ୧୮ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ପ୍ରଥମ ଆଇପିଏଲ୍ ଟ୍ରଫି ବିଜୟରେ ସାରା ବେଙ୍ଗାଲୁରୁରେ ଥିଲା ନାହିଁ ନଥିବା ଖୁସି ଓ ଉତ୍ସାହ । କ୍ରିକେଟ୍ ପ୍ରେମୀ ବିଜୟ ଉତ୍ସବ ପାଳନ କରୁଥିବା ବେଳେ ଏହି ବାପା ଜଣକ ନିଜ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି । RCB ଦୀର୍ଘ ୧୮ବର୍ଷ ପରେ IPL ଟ୍ରଫି ଜିତିଥିଲା, ଏତେ ଖୁସି ମଧ୍ୟରେ କେହି କଳ୍ପନା କରିନଥିଲେ ଯେ, ଲାଲ ଜର୍ସି ପିନ୍ଧିଥିବା ସମସ୍ତ ପ୍ରଶଂସକ, ଏହି ବିଜୟର ଉତ୍ସବ ପାଳନ କରିବାକୁ ଆସିଥିବା ବେଳେ ଏପରି କିଛି ଅଘଟଣ ଘଟିବ ବୋଲି । ନିଜ ପ୍ରିୟ ଖେଳାଳିମାନଙ୍କୁ ଦେଖିବା ଓ ବିଜୟ ଉତ୍ସବରେ ସାମିଲ ହୋଇ ଖୁସି ମନାଇବା ଥିଲା ଉଦ୍ଦେଶ୍ୟ । ତେବେ ୧୧ ଜଣଙ୍କ ପାଇଁ ମୃତ୍ୟୁ ଯେ ଜଗି ବସିଥିବ ଏକଥା ସମସ୍ତଙ୍କ କଳ୍ପନା ବାହାରେ ଥିଲା । ଏପର୍ଯ୍ୟନ୍ତ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଭିଡ଼ରେ ବାପା ଜଣକ ତାଙ୍କ ଏକମାତ୍ର ପୁଅକୁ ହରାଇ ଦେଲେ ସବୁଦିନ ପାଇଁ । ଯାହାତ ହେଇଛି ତାକୁ ରୋକି ହେଲାନି ହେଲେ ମୋ ପୁଅର ଆଉ ବ୍ୟବଚ୍ଛେଦ କର ନାହିଁ । ତାର ଶରୀରକୁ ଆଉ କଟାକଟି କର ନାହିଁ ବୋଲି ଅତ୍ୟନ୍ତ ଭାଙ୍ଗି ପଡ଼ିଥିବା ପିତା ଜଣକ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛନ୍ତି।
ସେ କହିଛନ୍ତି ପୁଅ ମୋତେ ନକହି ଷ୍ଟାଡିୟମକୁ ଚାଲି ଯାଇଥିଲା । ଏବେ ଶୋକ ପାଳିବାକୁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଆସିବେ, କିନ୍ତୁ ମୋ ପୁଅକୁ ତ କେହି ଫେରାଇ ଆଣି ପାରିବେ ନାହିଁ ?
ତେବେ ଆସନ୍ତୁ ଜାଣିବା ଏହି ଦୁର୍ଘଟଣା କିପରି ଘଟିଲା?
ଅନେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଖେଳାଳିମାନେ ଆସିବା ପୂର୍ବରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ରେ ପ୍ରବଳ ଭିଡ଼ ହୋଇ ଯାଇଥିଲା । ବାହାରେ ଉପସ୍ଥିତ ବହୁ ସଂଖ୍ୟକ ପ୍ରଶଂସକ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ସୁରକ୍ଷା କର୍ମୀମାନେ ଗେଟ୍ ବନ୍ଦ କରି ଦେଇଥିଲେ, କିନ୍ତୁ ପ୍ରଶଂସକମାନେ ତଥାପି ମାନି ନଥିଲେ । ସେମାନେ ଖେଳାଳିଙ୍କୁ ଦେଖିବା ପାଇଁ ଏତେ ଉତ୍ସୁକ ଥିଲେ ଯେ ଜୋରଜବରଦସ୍ତ ଗେଟ୍ ଠେଲି ଭିତରକୁ ପଶିବା ପାଇଁ ଚେଷ୍ଟା କରିବା ଆରମ୍ଭ କରିଦେଲେ । ଅନେକ ପ୍ରଶଂସକ ଗଛ ଚଢ଼ି, କାନ୍ଥ ଡେଇଁ ଷ୍ଟାଡିୟମ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଗଲା । ପରିସ୍ଥିତିରେ ସୁଧାର ନ ଆସିବାରୁ, କର୍ଣ୍ଣାଟକ ପୋଲିସ ଲାଠିଚାର୍ଜ କରିଥିଲା । ଏହି ସମୟରେ ଦଳାଚକଟା ହୋଇଥିଲା । ସ୍ଲାବ୍ ଭାଙ୍ଗିବା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇ ଯାଇଥିଲା । ଅନ୍ୟପକ୍ଷରେ, କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ଏକ ଡ୍ରେନ୍ କୁ ଘୋଡ଼ାଇ ରଖିବା ପାଇଁ କିଛି ଅସ୍ଥାୟୀ ସ୍ଲାବ୍ ରଖା ଯାଇଥିଲା । ତା ଉପରେ ଦର୍ଶକମାନେ ଚଢ଼ି ଯାଇଥିଲେ । ତେବେ ଏହି ଅସ୍ଥାୟୀ ସ୍ଲାବ୍ ସବୁ ଭିଡ଼ର ଓଜନ ସହି ପାରିଲାନି ଆଉ ଭାଙ୍ଗି ଗଲା । ଅନେକ ଲୋକ ଏହି ସ୍ଲାବ ଉପରେ ପଡ଼ି ଯାଇଥିଲେ । ସେପଟେ ଲୋକମାନେ ଚାମ୍ପିଅନ୍ ଟିମକୁ ଦେଖିବା ପାଇଁ ରାସ୍ତାରେ ଠିଆ ହୋଇଥିଲେ । ହଠାତ୍ ସ୍ଲାବଟି ଭାଙ୍ଗି ପଡ଼ିବା ପରେ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଗଲା ଏବଂ ସମସ୍ତେ ଦୌଡ଼ା ଦୌଡ଼ି ହେବାରୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହେଲା ।
ଏହି ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଅନେକ ଲୋକ ଚେତାଶୂନ୍ୟ ହୋଇ ଯାଇଥିଲେ, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆ ଯାଇଥିଲା । ସେପଟେ ବୁଧବାର ସକାଳ ସୁଦ୍ଧା ସମସ୍ତ ମୃତଦେହର ପୋଷ୍ଟମର୍ଟମ ଶେଷ ହୋଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ତଦନ୍ତ ରିପୋର୍ଟ ୧୫ ଦିନ ମଧ୍ୟରେ ଆସିବା ନେଇ ଆଶା କରାଯାଉଛି । ଭିଡ଼ ଯୋଗୁଁ ହୋଇଥିବା ବିଶୃଙ୍ଖଳା ପାଇଁ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କ୍ଷମା ପ୍ରାର୍ଥନା କରିଛନ୍ତି । ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଏହି ଦୁଃଖଦ ମୁହୂର୍ତ୍ତରେ, ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ମୁଁ ଗଭୀର ସମବେଦନା ଜଣାଉଛି ଓ ଆହତମାନଙ୍କ ଆଶୁ ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।
ତେବେ ପରିଚାଳନାଗତ ବା ସୁରକ୍ଷା ବ୍ୟବସ୍ଥା ତ୍ରୁଟି ହିଁ ଦୁର୍ଘଟଣା ପଛର ପ୍ରଥମ କାରଣ କହି ହେବ । ଯାହା ହେଉନି କାହିଁକି ଏଇ ବଡ଼ ଖୁସିର ମାହୋଲ ମଧ୍ୟରେ ୧୧ଟି ପରିବାର ଉଚ୍ଛନ୍ନ ହୋଇ ଯାଇଛି । ଯାହା ସମସ୍ତଙ୍କ ପାଇଁ ଏକ ବଡ଼ ଚେତାବନୀ ।
Also Read: ବେଙ୍ଗାଲୁରୁରେ RCB ବିଜୟ ଉତ୍ସବ ବେଳେ ଦଳାଚକଟା, ୧୦ ମୃତ
The post ଆରସିବି ବିଜୟ ଉତ୍ସବ ବେଳେ ଦଳାଚକଟାରେ ପ୍ରାଣ ହରାଇଥିବା ଜଣେ ବାପାର କୋହ ଓ ଲୁହ appeared first on KNews Odisha.