ଆଶ୍ରମରେ ରହି ପଢ଼ୁଥିଲେ, ସ୍କୁଲରୁ ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ!

ସ୍କୁଲ ଛୁଟି ପରେ ରହୁଥିବା ଆଶ୍ରମକୁ ଫେରୁଥିଲେ। ହେଲେ ରାସ୍ତାରେ ସେ ହାବୁଡ଼ି ଥିଲେ ମାଂସ ଲୋଭି ରାକ୍ଷାସକୁ। ସେ ତାଙ୍କୁ ଦୁଷ୍କର୍ମ କରିଥିଲା।

ଆଶ୍ରମରେ ରହି ପଢ଼ୁଥିଲେ, ସ୍କୁଲରୁ ଫେରୁଥିବା ବେଳେ ନାବାଳିକାକୁ ଦୁଷ୍କର୍ମ!

ମାଆ ଆରପାରିରେ। ବାପା ଜେଲ୍‌ରେ। ତେଣୁ ଆଶ୍ରମରେ ରହି ପାଠ ପଢ଼ୁଥିଲେ ନାବାଳିକା। ସ୍କୁଲରୁ ଫେରୁଥିବା ବେଳେ ନାବାଳିକାକୁ ଟେକିନେଇ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏବେ ମେଡ଼ିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛି। ଏପରି ଲଜ୍ଜ୍ୟାଜନକ ଘଟଣା କଟକ ଟାଉନ୍‌ରେ ଘଟିଛି।

କଟକ ଟାଉନ୍‌ର ରେଖା(ଛଦ୍ମନାମ)। ବୟସ ୧୦ରୁ ୧୨ ବର୍ଷ ହେବ। ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲେ। ମାଆ କେବେଠାରୁ ଆରପାରିକୁ ଚାଲିଗଲେଣି। ବାପା ଜେଲ୍‌ରେ। ତେଣୁ ଆଶ୍ରମରେ ରହି ପାଠ ପଢୁଛନ୍ତି ରେଖା। ସବୁଦିନ ପରି ଗତ ୨୯ ତାରିଖରେ ସ୍କୁଲ ଯାଇଥିଲେ। ସ୍କୁଲ ଛୁଟି ପରେ ରହୁଥିବା ଆଶ୍ରମକୁ ଫେରୁଥିଲେ। ହେଲେ ରାସ୍ତାରେ ସେ ହାବୁଡ଼ି ଥିଲେ ମାଂସ ଲୋଭି ରାକ୍ଷାସକୁ। ସେ ତାଙ୍କୁ ଦୁଷ୍କର୍ମ କରିଥିଲା।

କୌଣସି ମତେ ଦୁଷ୍କର୍ମକାରୀଠାରୁ ଜୀବନ ବଞ୍ଚାଇ ଆଶ୍ରମରେ ପହଞ୍ଚିଥିଲେ। ଆଉ ପୂରା ଘଟଣା ସମ୍ପର୍କରେ ଆଶ୍ରମ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏହା ପରେ ଆଶ୍ରମ କର୍ତ୍ତୃପକ୍ଷ ତାଙ୍କୁ କଟକ ଏସ୍‌ସିବି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ମେଡ଼ିକାଲ୍‌ରେ ଏବେ ତାଙ୍କର ଚିକିତ୍ସା ଚାଲିଛି। ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି। ଏଥିସହ ଆଶ୍ରମ କର୍ତ୍ତୃପକ୍ଷ ମଙ୍ଗଳବାର ରେଳବାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମାମଲାର ତଦନ୍ତ ପାଇଁ ରେଳବାଇ ପୁଲିସ ଜଣେ ଡିଏସ୍‌ପି ପାହ୍ୟାର ଅଫିସରଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି। ପୀଡ଼ିତା ଆଶ୍ରମରୁ ସ୍କୁଲ୍‌କୁ ଯିବା ଆସିବା ରାସ୍ତାରେ ଲାଗିଥିବା ସିସିଟି ଟିଭିକୁ ଯାଞ୍ଚ କରାଯାଉଛି। ଏବେ ପୀଡ଼ିତା କଥା କହିବା ସ୍ଥିତିରେ ନାହାନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିଲେ ବୟାନ୍‌ ରେକର୍ଡ କରାଯିବ ବୋଲି କଟକ ରେଳବାଇ ଏସ୍‌ପି କହିଛନ୍ତି।