ଚଳନ୍ତା ବସ୍‌ରୁ ଛିଟିକି ପଡ଼ିଲେ ମହିଳା, ଭିଡିଓ ଭାଇରାଲ୍‌

ବସ୍‌ଟି ଦ୍ରୁତଗତିରେ ଗୋଟିଏ ବୁଲାଣି ଅତକ୍ରମ କରୁଥିବା ବେଳେ ମହିଳା ଜଣଙ୍କ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।

ଚଳନ୍ତା ବସ୍‌ରୁ ଛିଟିକି ପଡ଼ିଲେ ମହିଳା, ଭିଡିଓ ଭାଇରାଲ୍‌

ଭାଇରାଲ ହେଉଛି ବିଚଳିତ କରିବା ଭଳି ଗୋଟିଏ ଭିଡିଓ। ଦ୍ରୁତଗତିରେ ଯାଉଥିବା ଗୋଟିଏ ବସ୍‌ରୁ ରାସ୍ତାକୁ ଛିଟିକି ପଡ଼ିଛନ୍ତି ଜଣେ ମଧ୍ୟବୟସ୍କା ମହିଳା। ବସ୍‌ରୁ ଛିଟିକି ପଡ଼ିବା ପରେ ସେ ରାସ୍ତାରେ ଗଡ଼ିଗଡ଼ି କିଛି ବାଟ ଯାଇଥିଲେ ହେଁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି।

ବସ୍‌ଟି ଦ୍ରୁତଗତିରେ ଗୋଟିଏ ବୁଲାଣି ଅତକ୍ରମ କରୁଥିବା ବେଳେ ମହିଳା ଜଣଙ୍କ ଏପରି ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାମିଲନାଡୁର ନାମକ୍କାଲ ଅଞ୍ଚଳରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ଅନ୍ୟମାନଙ୍କ ଭଳି ଶ୍ରଦ୍ଧା ନାମକ ମହିଳା ଜଣଙ୍କ ବସ୍‌ର ଦ୍ୱାର ନିକଟରେ ଛିଡ଼ା ହୋଇଛନ୍ତି। ସେ ସାଲେମକୁ କପଡ଼ା କିଣିବାକୁ ଯାଇଥିଲା। ସେଠାରୁ ବସ୍‌ ଯୋଗେ ଘରକୁ ଫେରୁଥିଲା।

ଶ୍ରଦ୍ଧା ବସ୍‌ରେ ଛିଡ଼ା ହୋଇ ଆସୁଥିବା ବେଳେ ହଠାତ୍‌ ଅତ୍ୟନ୍ତ ଦ୍ରୁତ ଗତିରେ ଏହା ଗୋଟିଏ ବୁଲାଣି ବୁଲିଥିଲା। ଏହି ସମୟରେ ଶ୍ରଦ୍ଧା ନିୟନ୍ତ୍ରଣ ହରାଇଥିଲେ। ଫଳରେ ସେ ବସ୍‌ର ଦ୍ୱାର ଦେଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ।

ଏହା ଦେଖି ଅନ୍ୟ ଯାତ୍ରୀମାନେ ଚକିତ ହେବା ସହ କଣ୍ଡକ୍ଟରଙ୍କୁ ଖବର ଦେଇଥିଲେ। ସେ ଡ୍ରାଇଭରଙ୍କୁ କହି ଗାଡ଼ି ଅଟକାଇଥିଲେ। ବସ୍‌ରେ ଥିବା ଯାତ୍ରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ଶ୍ରଦ୍ଧାଙ୍କ ପାଖକୁ ଦୌଡ଼ିଥିଲେ।

ସେ ବସ୍‌ ଠାରୁ ପ୍ରାୟ ୨୦ ଫୁଟ ଦୂରରେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ। ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ସାଲେମ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଏବେ ସେଠାରେ ତାଙ୍କର ଚିକିତ୍ସା ଚାଲିଛି।