ଆଶ୍ରୟସ୍ଥଳୀରେ ଛଦ୍ମବେଶୀ; ରାସ୍ତାକଡ଼ରେ ନିରାଶ୍ରୟ

ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତ ହେଉ କି ମୁଣ୍ଡଫଟା ଖରା ଓ ଗରମ ଗୁଳୁଗୁଳି, ରାଜଧାନୀ ସହରରେ ଗରିବ ନିରାଶ୍ରୟଙ୍କୁ ନିସ୍ତାର ମିଳୁନି। ଏମାନେ ପ୍ରତିକୂଳ ପରିବେଶରେ ବସ୍‌‌ଷ୍ଟାଣ୍ଡ୍‌‌, ରେଳଷ୍ଟେସନ୍‌‌, ରାସ୍ତା କଡ଼ରେ, ଦୋକାନ ବଜାର ସମ୍ମୁଖରେ ରାତି ବିତାଉଛନ୍ତି। ଏହି ସବୁ ସ୍ଥାନ ନିରାଶ୍ରୟଙ୍କ ପାଇଁ ସ୍ଥାୟୀ ଠିକଣା ପାଲଟିଛି। ସହରରେ ଥିବା ୭ଟି ଆଶ୍ରୟସ୍ଥଳୀରେ ସବୁବେଳେ ପୂର୍ଣ୍ଣ ସଂଖ୍ୟାରେ ଲୋକ ଓ ବିଭିନ୍ନ ଅବ୍ୟବସ୍ଥା କାରଣରୁ ନିରାଶ୍ରୟମାନେ ଏଭଳି ଯାବତୀୟ ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି। ବିଏମ୍‌‌ସି ପକ୍ଷରୁ […]

ଆଶ୍ରୟସ୍ଥଳୀରେ ଛଦ୍ମବେଶୀ; ରାସ୍ତାକଡ଼ରେ ନିରାଶ୍ରୟ
vsdvsv

ଭୁବନେଶ୍ୱର: ହାଡ଼ଭଙ୍ଗା ଶୀତ ହେଉ କି ମୁଣ୍ଡଫଟା ଖରା ଓ ଗରମ ଗୁଳୁଗୁଳି, ରାଜଧାନୀ ସହରରେ ଗରିବ ନିରାଶ୍ରୟଙ୍କୁ ନିସ୍ତାର ମିଳୁନି। ଏମାନେ ପ୍ରତିକୂଳ ପରିବେଶରେ ବସ୍‌‌ଷ୍ଟାଣ୍ଡ୍‌‌, ରେଳଷ୍ଟେସନ୍‌‌, ରାସ୍ତା କଡ଼ରେ, ଦୋକାନ ବଜାର ସମ୍ମୁଖରେ ରାତି ବିତାଉଛନ୍ତି। ଏହି ସବୁ ସ୍ଥାନ ନିରାଶ୍ରୟଙ୍କ ପାଇଁ ସ୍ଥାୟୀ ଠିକଣା ପାଲଟିଛି। ସହରରେ ଥିବା ୭ଟି ଆଶ୍ରୟସ୍ଥଳୀରେ ସବୁବେଳେ ପୂର୍ଣ୍ଣ ସଂଖ୍ୟାରେ ଲୋକ ଓ ବିଭିନ୍ନ ଅବ୍ୟବସ୍ଥା କାରଣରୁ ନିରାଶ୍ରୟମାନେ ଏଭଳି ଯାବତୀୟ ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି। ବିଏମ୍‌‌ସି ପକ୍ଷରୁ ହୋଇଥିବା ରାତ୍ରି ଆଶ୍ରୟସ୍ଥଳୀରେ କିଛି ଲୋକ ନିଜକୁ ନିରାଶ୍ରୟ ବୋଲି ଦାବି କରି ବର୍ଷ ବର୍ଷ ଧରି ଡେରା ପକାଇ ରହିଛନ୍ତି। ଆଶ୍ରୟସ୍ଥଳ ଗୁଡ଼ିକ ଛଦ୍ମବେଶୀ ନିରାଶ୍ରୟଙ୍କ ସ୍ଥାୟୀ କବ୍‌‌ଜାରେ ରହିଛି। ଏଣେ ପ୍ରକୃତ ନିରାଶ୍ରୟମାନେ ରାଜପଥ କଡ଼ରେ ପଡ଼ିରହିବାକୁ ବାଧ୍ୟ ହେଉଛନ୍ତି।

ସୂଚନାନୁସାରେ ରାଜଧାନୀର ବିଭିନ୍ନ ସ୍ଥାନରେ ୭ଟି ସହରାଞ୍ଚଳ ବାସହୀନ ଆଶ୍ରୟସ୍ଥଳୀ ରହିଛି। ଏବେ ସବୁ ଆଶ୍ରୟସ୍ଥଳୀରେ ନିରାଶ୍ରୟ ଭର୍ତ୍ତି ହୋଇଥିବା ବିଏମ୍‌‌ସି ଦେଖାଉଛି। ଏଣେ କିନ୍ତୁ ବହୁ ନିରାଶ୍ରୟ ରାସ୍ତାକଡ଼ରେ ରାତି କଟାଉଛନ୍ତି। ସୁପ୍ରିମ୍‌‌କୋର୍ଟଙ୍କ ଆଦେଶ ଅନୁଯାୟୀ ପ୍ରତ୍ୟେକ ଲକ୍ଷେ ଜନସଂଖ୍ୟାରେ ଶହେ ଶଯ୍ୟା ବିଶିଷ୍ଟ ସହରାଞ୍ଚଳ ବାସହୀନଙ୍କ ପାଇଁ ରାତ୍ରି ରହଣି ବ୍ୟବସ୍ଥା କରିବା କଥା। ଭୁବନେଶ୍ୱର ସହରରେ ଏବେ ଜନସଂଖ୍ୟା ୧୨ଲକ୍ଷରୁ ଅଧିକରେ ପହଞ୍ଚିଛି। ଏହି ଅନୁସାରେ ସହରର ରାତ୍ରି ଆଶ୍ରୟସ୍ଥଳୀଗୁଡ଼ିକରେ ୧୨୦୦ ଶଯ୍ୟା ରହିବା କଥା। ମାତ୍ର ଏବେ ସହରର ୭ଟି ଆଶ୍ରୟସ୍ଥଳୀରେ ୪ ଶହରୁ କମ୍‌‌ ଶଯ୍ୟା ରହିଛି। ବରମୁଣ୍ଡା, ଗଙ୍ଗନଗର, ଚନ୍ଦ୍ରଶେଖରପୁର, ଅଶୋକନଗର, ଭୀମପୁର, ଘାଟିକିଆ ଓ ୟୁନିଟ୍‌‌-୩ରେ ଥିବା ଆଶ୍ରୟସ୍ଥଳୀଗୁଡ଼ିକୁ ବିଭିନ୍ନ ଠିକା ସଂସ୍ଥା ପରିଚାଳିତ କରୁଛନ୍ତି। ୟୁନିଟ୍‌‌-୩ରେ ଥିବା ଆଶ୍ରୟସ୍ଥଳୀର କ୍ଷମତା ୧୦୦ ଶଯ୍ୟା ହୋଇଥିବା ବେଳେ ଗଙ୍ଗନଗର, ଚନ୍ଦ୍ରଶେଖରପୁର, ଅଶୋକନଗର, ଘାଟିକିଆରେ ୫୦ ଲେଖାଏଁ, ଭୀମପୁର ଓ ବରମୁଣ୍ଡାରେ ୨୮ଟି ଲେଖାଏଁ ଶଯ୍ୟା ରହିଛି।

ତେବେ ଏହା ଭିତରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ନିୟମାନୁସାରେ ଏହି ରାତ୍ରି ଆଶ୍ରୟସ୍ଥଳରେ ନିରାଶ୍ରୟମାନେ ସର୍ବାଧିକ ୧୪ରୁ ୧୫ ଦିନ ପର୍ଯ୍ୟନ୍ତ ରହିବା କଥା। କିନ୍ତୁ କେତେକ ଲୋକ ଏଠାରେ ନିଜ ପରିବାର ସହ ବର୍ଷ ବର୍ଷ ଧରି ରହୁଛନ୍ତି। ରାତ୍ରି ଆଶ୍ରୟସ୍ଥଳକୁ ସ୍ଥାୟୀ ଥଇଥାନ କେନ୍ଦ୍ର ଭଳି ବ୍ୟବହାର କରୁଛନ୍ତି। ଏମାନଙ୍କ ମଧ୍ୟରେ କିଛି ଦିବ୍ୟାଙ୍ଗ ବ୍ୟକ୍ତି ରହିଛନ୍ତି। ରାଜଧାନୀରେ ସେମାନଙ୍କ ନିଜର ରହିବା ବ୍ୟବସ୍ଥା ଥିବା ସତ୍ତ୍ବେ ସେମାନେ ଆଶ୍ରୟସ୍ଥଳ ଛାଡ଼ିବାକୁ ନାରାଜ। କେବଳ ରାତିରେ ରହିବାକୁ ନିୟମ ଥିବା ବେଳେ ସେମାନେ ଦିନରାତି ନିଜ ଘର ଭଳି ରହୁଛନ୍ତି। ପ୍ରାୟ ସମସ୍ତ ଆଶ୍ରୟସ୍ଥଳରେ ପ୍ରାୟ ୪୦ଭାଗରୁ ଅଧିକ ଲୋକ ମାସ ମାସ ଧରି ରହୁଥିବା ଜଣାପଡ଼ିଛି। ତେଣୁ ନୂଆ କରି କୌଣସି ପରିସ୍ଥିତିରେ ପଡ଼ି ରାଜଧାନୀକୁ ଆସିଥିବା ଗରିବ ଲୋକଟି ରାଜପଥ କଡ଼ରେ ଶୋଇବାକୁ ବାଧ୍ୟ ହେଉଛି। ତେଣୁ ଏଭଳି ସମସ୍ୟା ଥିବାରୁ ପ୍ରକୃତ ନିରାଶ୍ରୟଙ୍କୁ ଆଶ୍ରୟସ୍ଥଳରେ ଜାଗା ମିଳୁନାହିଁ।