ଆସିଲା ରାଜ୍ୟ ବଜେଟ୍, ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି

୨୦୨୩-୨୪ ତୁଳନାରେ ଏହି ବଜେଟର ପରିମାଣ ୧୫% ଅଧିକ ।

ଆସିଲା ରାଜ୍ୟ ବଜେଟ୍, ଶ୍ରୀମନ୍ଦିର ପାଇଁ ୫ଶହ କୋଟିର କର୍ପସ ପାଣ୍ଠି

ବିଧାନସଭାରେ ଆଗତ ହେଲା ରାଜ୍ୟ ବଜେଟ୍। ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ। କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ପ୍ରଥମ ବଜେଟ । ତେଣୁ ନୂଆ ସରକାରଙ୍କର ନୂଆ ବଜେଟ୍ ଉପରେ ରାଜ୍ୟବାସୀଙ୍କ ନଜର ରହିଥିଲା । ରାଜ୍ୟ ବଜେଟର ଆକାର କେତେ ବଢ଼ିବ ? କଣ ନୂଆ ସ୍କିମ୍ ଆଣିବେ ରାଜ୍ୟ ସରକାର ? ଜନକଲ୍ୟାଣକାରୀ ଯୋଜନାକୁ କେତେ ଅଗ୍ରାଧିକାର ଦେବେ ? ତା’ଉପରେ ରହିଥିଲା ସମସ୍ତଙ୍କ ନଜର । 

ତେବେ ପ୍ରଥମ ବଜେଟ୍‌ରେ ଶ୍ରୀମନ୍ଦିର ପାଇଁ ୫୦୦ କୋଟିର କର୍ପସ ଫଣ୍ଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ପରିକଳ୍ପନା କରାଯାଇପାରିବ ନାହିଁ । ଗତ ସରକାର ୨ ଲକ୍ଷ ୫୫ ହଜାର ଟଙ୍କାର ବଜେଟ୍‌ କରିଥିବା ବେଳେ ଏଥର ମୋହନ ସରକାର ୨ ଲକ୍ଷ ୬୫ ହଜାର କୋଟିର ବଜେଟ କରିଛନ୍ତି । ୨୦୨୩-୨୪ ତୁଳନାରେ ଏହି ବଜେଟର ପରିମାଣ ୧୫% ଅଧିକ ।

ପଢନ୍ତୁ ଏହି ଖବର: ୨ ଲକ୍ଷ ୬୫ ହଜାର କୋଟିର ବଜେଟ ! CM କିଶାନ ପାଇଁ ଖର୍ଚ୍ଚ ହେବ ୧୯୩୫ କୋଟି

Image

ସେପଟେ କୃଷି ପାଇଁ ପୂର୍ବ ବର୍ଷ ତୁଳନାରେ ବଜେଟ ଆକାର ବଢ଼ିଲା । ଗତବର୍ଷ କୃଷି ବଜେଟ ଥିଲା ୨୪, ୮୨୯ କୋଟି । ଚଳିତ ବର୍ଷ କୃଷି ବଜେଟ ପରିମାଣ ୩୩, ୯୧୯ କୋଟି କରିଛନ୍ତି ମୋହନ ସରକାର । ସେପଟେ ଧାନ କୁଇଣ୍ଟାଲ ପିଛା ୩୧ଶହ ଟଙ୍କାରେ କିଣାଯିବ । ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା । ଧାର୍ଯ୍ୟ MSPଠାରୁ ୮ଶହ ଟଙ୍କା ଅଧିକ ଦିଆଯିବ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଚାଷୀମାନଙ୍କ ପାଇଁ ନୂଆ ଯୋଜନା ସିଏମ୍‌ କିଷାନ । ସିଏମ୍‌ କିଷାନ ଯୋଜନା ପାଇଁ ୧୯୩୫ କୋଟି ବ୍ୟୟବରାଦ କରାଯାଇଛି । ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା କରାଯାଇଛି । ସମୃଦ୍ଧ କୃଷକ ଯୋଜନା ପାଇଁ ୫ ହଜାର କୋଟି ବ୍ୟୟବରାଦ । ଶ୍ରୀଅନ୍ନ ଅଭିଯାନ ପାଇଁ ୬୪୯ କୋଟି ବ୍ୟୟବରାଦ ।

ସୁଭଦ୍ରା ଯୋଜନା ପାଇଁ ବଜେଟରେ ୧୦ ହଜାର କୋଟିର ବ୍ୟୟବରାଦ । ନିର୍ବାଚନ ଇସ୍ତାହାରରେ ଘୋଷଣା ହୋଇଥିଲା ସୁଭଦ୍ରା ଯୋଜନା ।

ଅନାଥ ଶିଶୁଙ୍କ ପାଇଁ ବଜେଟରେ ନୂଆ ଯୋଜନା ‘ଯଶୋଦା’। ଏହାଦ୍ୱାରା ଅନାଥ ଶିଶୁଙ୍କୁ ଆର୍ଥିକ ସହାୟତା ଯୋଗାଇବାକୁ ପ୍ରୟାସ କରାଯିବ । ଏଥିପାଇଁ ବଜେଟରେ ୮୩ କୋଟିର ପ୍ରାବଧାନ । ସେହିଭଳି ସାମାଜିକ ସୁରକ୍ଷା ଭତ୍ତା ୩ ହଜାର ୫ଶହ ଟଙ୍କା ହେବ । ପ୍ରଥମ ପର୍ଯ୍ୟାୟରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ମିଳିବ ବର୍ଦ୍ଧିତ ଭତ୍ତା । ୮୦ ପ୍ରତିଶତରୁ କମ୍‌ ହୋଇନଥିବା ଭିନ୍ନକ୍ଷମ ପାଇବେ ବର୍ଦ୍ଧିତ ଭତ୍ତା ।]

Image

ଅନ୍ୟପଟେ ଓଡ଼ିଶାରେ ଆସିବ ରାଜ୍ୟ ସମବାୟ ନୀତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ମହାନଦୀ ନବୀକରଣ ପାଇଁ ବୈଷୟିକ କମିଟି ଗଠନ କରାଯିବ । ଡ୍ୟାମ ସୁରକ୍ଷା ଉନ୍ନତୀକରଣ ଯୋଜନା ପାଇଁ ୨ଶହ କୋଟି ଖର୍ଚ୍ଚ ହେବ । ସେହିଭଳି ଓଡ଼ିଶାରେ ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୭ ସୁଦ୍ଧା ରାଜ୍ୟରେ ସୃଷ୍ଟି ହେବେ ୨୫ ଲକ୍ଷ ଲକ୍ଷପତି ଦିଦି । ମହିଳା ଓ ଶିଶୁ ବିକାଶ ପାଇଁ ବଜେଟରେ ୧୭, ୯୪୨ କୋଟି ବ୍ୟୟବରାଦ କରାଯାଇଥିବା ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ଭୁବନେଶ୍ୱରରେ ନୂଆ ଷ୍ଟାଡିୟମ ନିର୍ମାଣ ପାଇଁ ବଜେଟରେ ଘୋଷଣା କରାଯାଇଛି । ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ନୂଆ ଷ୍ଟାଡିୟମ ପାଇଁ ୯୫୨ କୋଟି ବ୍ୟୟବରାଦ କରାଯାଇଛି । ସେପଟେ ନିମ୍ନ ଆୟକାରୀ ପରିବାରକୁ ଘର ଯୋଗାଇବାକୁ ଅନ୍ତ୍ୟୋଦୟ ଗୃହ ଯୋଜନା । ପିଏମ୍‌ ଆବାସ ପାଉନଥିବା ହିତାଧିକାରୀ ପାଇବେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର । ସେହିଭଳି ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ମଧ୍ୟ ନୂଆ ଯୋଜନା କରାଯାଇଛି । ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ନୂଆ ଯୋଜନା ଆରମ୍ଭ କରାଯିବ । ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି ବ୍ୟୟବରାଦ ହୋଇଛି ।

ସେପଟେ ୨୦୨୭ ସୁଦ୍ଧା ଭୁବନେଶ୍ୱର ତ୍ରିଶୁଳିଆ ମେଟ୍ରୋ ରେଳ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ ରଖାଯାଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏୟାରପୋର୍ଟରୁ ତ୍ରିଶୁଳିଆ ଯାଏ ଚାଲିବ । ଏହି ପ୍ରକଳ୍ପ ପାଇଁ ୬୨୫୬ କୋଟିର ବ୍ୟୟବରାଦ କରାଯାଇଛି । ମେଟ୍ରୋ ପ୍ରକଳ୍ପ ପାଇଁ ଚଳିତ ବଜେଟରେ ୧ ହଜାର କୋଟି ଅନୁଦାନ ରହିଛି । ତେବେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ମାଗଣା ବିଜୁଳି ପାଇଁ ମଧ୍ୟ ସହାୟତା ଘୋଷଣା କରାଯାଇଛି । ଏକ କିଲୋୱାଟ ପ୍ରକଳ୍ପ ପାଇଁ କେନ୍ଦ୍ର ଦେବ ୩୦ ହଜାର ଟଙ୍କାର ରିହାତି । ୨ କିଲୋୱାଟ ପାଇଁ ୬୦ ହଜାର, ୩ କିଲୋୱାଟ ପାଇଁ ୭୮ ହଜାର ରିହାତି ଦେବେ ସରକାର । ଏଥିରେ ଅତିରିକ୍ତ ସହାୟତା ଦେବାକୁ ରାଜ୍ୟର ସୌରଶକ୍ତି ପ୍ରୋତ୍ସାହନ ଯୋଜନା କରାଯାଇଛି ।

ଅନ୍ୟପଟେ ମେକ୍‌ ଇନ୍‌ ଓଡ଼ିଶା ନାଁ ବଦଳାଇ ଉତ୍କର୍ଷ ଉତ୍କଳ କରାଯାଇଛି । ଉତ୍କର୍ଷ ଉତ୍କଳ ସମ୍ମିଳନୀ ମାଧ୍ୟମରେ ପୁଞ୍ଜି ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୯ ସୁଦ୍ଧା ରାଜ୍ୟକୁ ଅଢ଼େଇ ଲକ୍ଷ କୋଟି ଘରୋଇ ପୁଞ୍ଜି ଆଣିବା ପାଇଁ ଯୋଜନା କରାଯାଇଛି । ଏଥିରେ ୨ ବିଲିୟନ ଡଲାରରୁ ଅଧିକ ବିଦେଶୀ ପୁଞ୍ଜି ନିବେଶ ପାଇଁ ବି ଲକ୍ଷ୍ୟ ରଖାଯାଇଛି ।