ଆସୁଛି ବିନାଶ: ୨ କ୍ଷୁଦ୍ରତାରା ଧକ୍କାରେ ଚନ୍ଦ୍ରଠାରୁ ୧୦ଗୁଣା ହେବ ଉଜ୍ଜ୍ୱଳ ବିସ୍ଫୋରଣ

ଲଣ୍ଡନ, ୯ା୪:ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀଠାରୁ ମାତ୍ର ୧୫୦ ଆଲୋକ ବର୍ଷ ଦୂରରେ ଏକ ବିରଳ ଉଚ୍ଚ ବହୁଳତା ବିଶିଷ୍ଟ ବାଇନାରି ଷ୍ଟାର୍‌ ସିଷ୍ଟମକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ୨ଟି କ୍ଷୁଦ୍ରତାରା ପରସ୍ପର ଆଡ଼କୁ ଅଗ୍ରସର ହେଉଛନ୍ତି। ୨,୩୦୦ କୋଟି ବର୍ଷ ପରେ ଉଭୟ କ୍ଷୁଦ୍ରତାରା ଧକ୍କାହେବା ସହ ଏକ ବିନାଶକାରୀ ଏବଂ ଚମକପ୍ରଦ ‘ଟାଇପ ୧ଏ ସୁପରନୋଭା’ ବିସ୍ଫୋରଣରେ ପରିଣତ ହେବେ। ଏହି ବିସ୍ଫୋରଣ ଏତେ ଉଜ୍ଜ୍ୱଳ ହେବ ଯେ, ଏହା ଚନ୍ଦ୍ର ଅପେକ୍ଷା ୧୦ ଗୁଣା ଆଲୋକ […] The post ଆସୁଛି ବିନାଶ: ୨ କ୍ଷୁଦ୍ରତାରା ଧକ୍କାରେ ଚନ୍ଦ୍ରଠାରୁ ୧୦ଗୁଣା ହେବ ଉଜ୍ଜ୍ୱଳ ବିସ୍ଫୋରଣ appeared first on Dharitri Odia News.

ଆସୁଛି ବିନାଶ: ୨ କ୍ଷୁଦ୍ରତାରା ଧକ୍କାରେ ଚନ୍ଦ୍ରଠାରୁ ୧୦ଗୁଣା ହେବ ଉଜ୍ଜ୍ୱଳ ବିସ୍ଫୋରଣ

ଲଣ୍ଡନ, ୯ା୪:ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀଠାରୁ ମାତ୍ର ୧୫୦ ଆଲୋକ ବର୍ଷ ଦୂରରେ ଏକ ବିରଳ ଉଚ୍ଚ ବହୁଳତା ବିଶିଷ୍ଟ ବାଇନାରି ଷ୍ଟାର୍‌ ସିଷ୍ଟମକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ୨ଟି କ୍ଷୁଦ୍ରତାରା ପରସ୍ପର ଆଡ଼କୁ ଅଗ୍ରସର ହେଉଛନ୍ତି। ୨,୩୦୦ କୋଟି ବର୍ଷ ପରେ ଉଭୟ କ୍ଷୁଦ୍ରତାରା ଧକ୍କାହେବା ସହ ଏକ ବିନାଶକାରୀ ଏବଂ ଚମକପ୍ରଦ ‘ଟାଇପ ୧ଏ ସୁପରନୋଭା’ ବିସ୍ଫୋରଣରେ ପରିଣତ ହେବେ। ଏହି ବିସ୍ଫୋରଣ ଏତେ ଉଜ୍ଜ୍ୱଳ ହେବ ଯେ, ଏହା ଚନ୍ଦ୍ର ଅପେକ୍ଷା ୧୦ ଗୁଣା ଆଲୋକ ବିସ୍ତାର କରିବ ଏବଂ ସମ୍ପୂର୍ଣ୍ଣ ଆକାଶ ଗଙ୍ଗା (ମିଲ୍କି) ଛାୟାପଥକୁ କିଛି ମୁହୂର୍ତ୍ତ ପାଇଁ ଚମକାଇଦେବ। ଗତ ୪ ତାରିଖରେ ନେଚର ଆଷ୍ଟ୍ରୋନୋମି ପତ୍ରିକାରେ ଏହି ଆବିଷ୍କାରକୁ ପ୍ରକାଶ କରାଯାଇଛି।
ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଉକ୍ତ ବାଇନାରି ଷ୍ଟାର୍‌ ସିଷ୍ଟମରେ ୨ଟି ଧଳା ରଙ୍ଗର କ୍ଷୁଦ୍ର ତାରା ରହିଛି, ଯାହା ଧୀରେ ଧୀରେ ପରସ୍ପର ଆଡ଼କୁ ଟାଣିହୋଇ ଆସୁଛି। ଉଭୟ କ୍ଷୁଦ୍ର ତାରାର ମୋଟ ବସ୍ତୁତ୍ୱ ସୂର୍ଯ୍ୟ ତୁଳନାରେ ୧.୫୬ ଗୁଣା ଅଧିକ, ଯାହା ସେମାନଙ୍କୁ ‘ଟାଇପ୍‌ ୧ଏ ସୁପରନୋଭା’ ବିସ୍ଫୋରଣ ପାଇଁ ଉପଯୁକ୍ତ କରିଥାଏ। ସମ୍ପ୍ରତି ଉଭୟ ତାରା ୧୪ ଘଣ୍ଟାରେ ନିଜର ଗୋଟିଏ ଘୂର୍ଣ୍ଣନ ସମାପ୍ତ କରୁଛନ୍ତି। ଆଗାମୀ ୨,୩୦୦ କୋଟି ବର୍ଷ ପରେ ଯେତେବେଳେ, ଉଭୟେ କ୍ଷୁଦ୍ର ତାରା ପରସ୍ପରକୁ ଧକ୍କାହେବେ ସେତେବେଳେ ସେମାନଙ୍କର ଗତି ଅତ୍ୟନ୍ତ ତୀବ୍ର ହୋଇଥିବ। ସେତେବେଳେ ସେମାନେ ୩୦ରୁ ୪୦ ସେକେଣ୍ଟ ମଧ୍ୟରେ ଗୋଟିଏ ଘୂର୍ଣ୍ଣନ ସମାପ୍ତ କରିବେ। ଛାୟାପଥରେ ଏହିପରି ବିସ୍ଫୋରଣ ୫୦୦ ବର୍ଷରେ ଥରେ ହୋଇଥାଏ ବୋଲି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି।
ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ ୪ଟି ଚରଣରେ ଏହି ବିସ୍ଫୋରଣ ହେବ। ପ୍ରଥମ ଚରଣରେ ଏକ ତାରା ନିଜ ସାଥୀ ତାରାର ବସ୍ତୁତ୍ୱକୁ ଟାଣିବ। ଦ୍ୱିତୀୟ ଚରଣରେ ଉକ୍ତ ତାରାର ମୂଳ ଅଂଶରେ ବିସ୍ଫୋରଣ ହେବ ଏବଂ ଏଥିରେ ଥିବା ସାମଗ୍ରୀଗୁଡ଼ିକ ବିଭିନ୍ନ ଦିଗରେ ବିସ୍ତାରିତ ହେବ। ତୃତୀୟ ଚରଣରେ ଏହି ସାମଗ୍ରୀ ଅନ୍ୟ ଏକ ତାରା ସହ ଧକ୍କାହେବ ଫଳରେ ପୁଣିଥରେ ବିସ୍ଫୋରଣ ହେବ। ଅନ୍ତିମ ଚରଣରେ ଉଭୟ ତାରା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବେ ଏବଂ ଏକ ଉଜ୍ଜ୍ୱଳ ସୁପରନୋଭାରେ ପରିଣତ ହେବେ। ଏହି ବିସ୍ଫୋରଣର ଶକ୍ତି ସବୁଠାରୁ ଶକ୍ତିଶାଳୀ ମାନବ ନିର୍ମିତ ପରମାଣୁ ବୋମା ଅପେକ୍ଷା ହଜାର ଟ୍ରିଲିୟନ ଗୁଣା ଅଧିକ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି। ତେବେ ପୃଥିବୀଠାରୁ ବହୁ ଦୂରରେ ଥିବାରୁ ଏହା ଲୋକଙ୍କୁ କ୍ଷତି ପହଞ୍ଚାଇବ ନାହିଁ।

The post ଆସୁଛି ବିନାଶ: ୨ କ୍ଷୁଦ୍ରତାରା ଧକ୍କାରେ ଚନ୍ଦ୍ରଠାରୁ ୧୦ଗୁଣା ହେବ ଉଜ୍ଜ୍ୱଳ ବିସ୍ଫୋରଣ appeared first on Dharitri Odia News.