ଆସ୍ଥା ଭୋଟ୍ ହାତେଇଲେ ଚମ୍ପାଇ...ସପକ୍ଷରେ ପଡ଼ିଲା ୪୭ଭୋଟ୍, ବିପକ୍ଷରେ ୨୯

ଫ୍ଲୋର୍ ଟେଷ୍ଟ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧାନସଭାରେ ଉପସ୍ଥିତ ରହି ଭୋଟ୍ ଦେଇଛନ୍ତି । ଚମ୍ପାଇ ସୋ‌ରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ।

ଆସ୍ଥା ଭୋଟ୍ ହାତେଇଲେ ଚମ୍ପାଇ...ସପକ୍ଷରେ ପଡ଼ିଲା ୪୭ଭୋଟ୍, ବିପକ୍ଷରେ ୨୯

ଝାଡ଼ଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ପାସ୍ କରିଛି ଜେଏମଏମ ମେଣ୍ଟ। ନୂତନ ଭାବେ ଶପଥ ଗ୍ରହଣ କରିଥିବା ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିଧାନସଭାରେ ଆସ୍ଥା ଭୋଟ ହାତେଇଛନ୍ତି। ତେବେ ସରକାରଙ୍କ ସପକ୍ଷରେ ୪୭ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୯ଟି ଭୋଟ୍ ପଡ଼ିଛି । ବିଧାନସଭାରେ ମୋଟ ୮୧ଆସନ ଥିବା ବେଳେ ମ୍ୟାଜିକ ନମ୍ୱର ଥିଲା ୪୧। ତେବେ ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷନ୍‌ ତାଙ୍କୁ ବିଜୟୀ ଘୋଷଣା କରିଛନ୍ତି।

ବହୁମତ ସାବ୍ୟସ୍ତ କରିବା ପାଇଁ ବିଧାନସଭାରେ ଦୁଇ ଦିନିଆ ଅଧିବେଶ ଡାକିଥିଲେ ରାଜ୍ୟପାଳ । ଏଥିରେ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ଫ୍ଲୋର୍ ଟେଷ୍ଟ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ମଧ୍ୟ ବିଧାନସଭାରେ ଉପସ୍ଥିତ ରହି ଭୋଟ୍ ଦେଇଛନ୍ତି । ଚମ୍ପାଇ ସୋ‌ରେନ ବିଜୟୀ ହେବା ପରେ ଗୃହକୁ ଦିନକ ପାଇଁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ।

୬ ଶହ କୋଟି ଟଙ୍କାର ଜମି ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ହେମନ୍ତ ସୋରେନ ଇସ୍ତଫା ଦେଇଥିଲେ । ଏହା ପରେ ପତ୍ନୀ କଳ୍ପନା ସୋରେନ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହୋଇଥିଲା । ତେବେ କଳ୍ପନା ବିଧାୟକ ନ ଥିବାରୁ ଅଡୁଆ ଲାଗି ରହିବା ସହ ବିରୋଧୀଙ୍କ ପରିବାରବାଦ ରାଜନୀତିକୁ ଏଡାଇବା ପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବିଧାୟକ ବୈଠକରେ ଚମ୍ପାଇ ସୋରେନଙ୍କ ନାମ ଉପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ମୋହର ବାଜିଥିଲା ।

ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିବା ପରେ ୨ଫେବ୍ରୁଆରୀରେ ଚମ୍ପାଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ପିଏମଏଲଏ ମାମଲା ସଂପର୍କିତ ମାମଲାର ଶୁଣାଣି ଏକ ସ୍ୱତନ୍ତ୍ର କୋର୍ଟ ହେମନ୍ତଙ୍କୁ ଆସ୍ଥା ଭୋଟ ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦେଇଥିଲା।