ଇକୋ ସେନ୍ସେଟିଭ୍ ଜୋନ୍ ଆଇନକୁ ନେଇ ବଢୁଛି ତାତି : ଡ଼ିଏଫଓ ଅଫିସ ସମ୍ମୁଖରେ ବିଜେଡିର ପ୍ରତିବାଦ ସଭା
ରାଜନଗର : ଭିତରକନିକା ୱାଇଲ୍ଡ ଲାଇଫ୍ ସାଂଚୁରୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନ୍ୟାସ୍ନାଲ୍ ପାର୍କର ୧୦୦ ମିଟରରୁ ୮ କିମି ୭ଶହ ମିଟର ପର୍ଯ୍ୟନ୍ତ ପରିଧିକୁ ପରିବେଶ ସ୍ପର୍ଶ କାତର ଅଞ୍ଚଳ ବା ଇକୋ ସେନ୍ସେଟିଭ୍ ଜୋନ୍ ଭାବେ ଘୋଷଣା କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ୯ ଜୁନ ୨୦୨୪ରେ ଅଧିସୂଚନା ପ୍ରକାଶ ପାଇଛି । ୩ଟି ପ୍ରୋଟେକ୍ଟେଡ ଏରିୟା ସହିତ କେନ୍ଦ୍ରାପଡା ଜିଲ୍ଲାର […]

ରାଜନଗର : ଭିତରକନିକା ୱାଇଲ୍ଡ ଲାଇଫ୍ ସାଂଚୁରୀ, ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ଭିତରକନିକା ନ୍ୟାସ୍ନାଲ୍ ପାର୍କର ୧୦୦ ମିଟରରୁ ୮ କିମି ୭ଶହ ମିଟର ପର୍ଯ୍ୟନ୍ତ ପରିଧିକୁ ପରିବେଶ ସ୍ପର୍ଶ କାତର ଅଞ୍ଚଳ ବା ଇକୋ ସେନ୍ସେଟିଭ୍ ଜୋନ୍ ଭାବେ ଘୋଷଣା କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ୯ ଜୁନ ୨୦୨୪ରେ ଅଧିସୂଚନା ପ୍ରକାଶ ପାଇଛି । ୩ଟି ପ୍ରୋଟେକ୍ଟେଡ ଏରିୟା ସହିତ କେନ୍ଦ୍ରାପଡା ଜିଲ୍ଲାର ରାଜନଗର, ପଟ୍ଟାମୁଣ୍ଡାଇ, ଆଳି, ରାଜକନିକା ଓ ମହାକାଳପଡ଼ା ବ୍ଲକ ର ୧୬୦ଟି ଗାଁ ଓ ଭଦ୍ରକ ଜିଲ୍ଲାର ୪୫ଟି ଗାଁରେ ମାଟି ଖୋଳିବା ଠାରୁ ନିଜ ବଗିଚାର ବାଡବନ୍ଦୀ ଏବଂ ଶବ୍ଦ ପ୍ରଦୂଷଣ ଠାରୁ ଆରମ୍ଭ କରି ଗାଡି ଚଳାଚଳ ଯାଏଁ ଏପରିକି ନୂତନ କନ୍ଷ୍ଟ୍ରକସନ୍ ଉପରେ କଟକଣା ଲାଗୁ ହେବ । ଏହାକୁ ନେଇ ରାଜନଗର ସମେତ ମହାକାଳପଡା, ଆଳି, ପଟ୍ଟାମୁଣ୍ଡାଇ, ରାଜକନିକା ଓ ଭଦ୍ରକ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ତିନି ତିନୋଟି ଇସ୍ତାହାର ଦ୍ୱାରା ଭୂଲ୍ ସୀମା ଚିହ୍ନଟ ଫଳରେ ତିନୋଟି ଆଇନ ରାଜନଗର ଜନବସତି ଅଞ୍ଚଳ ଓ ଅଧିବାସୀଙ୍କ ପାଇଁ ଲାଗୁହୋଇଛି । ଏହି ଇକୋ ସେନସେଟିଭି ଜୋନ ଅଧିସୂଚନାକୁ ନେଇ ପ୍ରତିକ୍ରିୟା ବଢୁଥିବା ବେଳେ ଆଜି ବିଜେଡି ପକ୍ଷରୁ ଡ଼ିଏଫଓଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ସଭା କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହିତ ଡ଼ିଏଫଓ ଙ୍କ ମାଧ୍ୟମରେ କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ମନ୍ତ୍ରଣାଳୟର ସଚିବଙ୍କୁ ଦାବି ପତ୍ର ଦିଆଯାଇଛି।
ଚିଠିରେ ଜନବସତି ଅଞ୍ଚଳକୁ ଏହି ଆଇନରୁ ବାଦ୍ ଦିଆଯାଉ, ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଏହି ଆଇନ ଲାଗୁ କରାଯାଉ, ପ୍ରତ୍ୟେକ ଗାଁରେ ପଲ୍ଲିସଭା କରି ଏହି ଆଇନ ସଂପର୍କରେ ମତାମତ ନିଆଯାଉ ଏବଂ କମିଟିରେ ଜନ ପ୍ରତିନିଧିଙ୍କୁ ସାମିଲ କରାଯାଉ । ସାଧାରଣ ଲୋକେ ଦିଲ୍ଲୀରେ ପହଁଚି ଅଭିଯୋଗ କରିବା ସମ୍ଭବ ନୁହେଁ । ତେଣୁ ସ୍ଥାନୀୟ ଅଞ୍ଚଳରେ ପଲ୍ଲିସଭା କରାଯିବା ସହ ଅଭିଯୋଗ ଗ୍ରହଣର ସମୟସୀମା ଆଉ ୩ ମାସ ବୃଦ୍ଧି କରାଯାଉ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି।
ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ ନେତୃତ୍ୱରେ ରାଜନଗର ବ୍ଲକର ୨୯ ପଂଚାୟତର ଅଧିବାସୀ, ପଟାମୁଣ୍ଡାଇ, ରାଜନଗର, ଆଳି, ରାଜକନିକା ଅଂଚଳର ହଜାର ହଜାର ଲୋକେ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ରାଜନଗର ଦଧିବାମନଜୀଉ ମନ୍ଦିର ରୁ ବିରାଟ ଶୋଭାଯାତ୍ରା ବାହାରି ରାଜନଗର ବଜାର, ତ୍ରିନାଥ ବଜାର, ସାନବଡ ଗୋପାଳପୁର ବଜାର ପରିକ୍ରମା କରି ଡ଼ିଏଫଓଙ୍କ କାର୍ଯ୍ୟାଳୟ ରେ ପହଞ୍ଚିଥିଲା । ଏହି ପ୍ରତିବାଦ ସଭାରେ ପୂର୍ବତନ ମନ୍ତ୍ରୀ ତଥା ଆଳିର ବିଧାୟକ ପ୍ରତାପ କେଶରୀ ଦେବ ଯୋଗଦେଇ ବିନା ପରାମର୍ଶରେ, ବିନା ଆଲୋଚନାରେ, ଲୋକ ପ୍ରତିନିଧିଙ୍କ ଆଗଚୋରରେ ଭିତରକନିକା ସଞ୍ଚୁରୀ ବାହାରେ ଇକୋ ସେନସେଟିଭ ଆଇନ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବାୁ ନିନ୍ଦା କରିବା ସହ କହିଥିଲେ ରାଜକନିକାର ସଦର ମହକୁମା ଠାରୁ ଆରମ୍ଭ କରି ଓଲଭର ଯାଏଁ, ଆଳିର ମହୁରୁ ଆରମ୍ଭ କରି ଅଟାଳ ଯାଏଁ ଏହା ଲାଗୁ କରାଯାଇଛି । ଏଥିରେ କଟକ ଚାନ୍ଦବାଲି ରାସ୍ତା ମଧ୍ୟ ଯାଉଛି। ଆମେ ଲୋକ ପ୍ରତିନିଧି ଭାବେ ବ୍ୟକ୍ତିଗତ ଭାବେ ଅଭିଯୋଗ ଦେଇଥିବା ବେଳେ ଆଜି ଲୋକଙ୍କ ସହ ଅଭିଯୋଗ କରିଛୁ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜନଗର ବିଧାୟକ ଧ୍ରୁବ ସାହୁ ଯୋଗଦେଇ ସ୍ଥାନୀୟ ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟି ଦିଆଯାଇ, ଜନବସତି ଅଞ୍ଚଳକୁ ବାଦ ଦିଆଯାଇ, ଜନବସତି ଅଞ୍ଚଳକୁ ବାଦ ଦିଆଯାଉ, ସବୁ ଗାଁରେ ପଲ୍ଲୀ ସଭା ପରେ ଏହି ଆଇନ ଲାଗୁ କରାଯାଉ ବୋଲି କହିଛନ୍ତି । ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇ ଏହି ଆଇନ ଲାଗୁ ହେଲେ ଉନୟନ କାର୍ଯ୍ୟ ବାଧାପ୍ରାପ୍ତ ହେବ । ଠିକ ଭାବେ ଜନଶୁଣାଣୀ କରି ସୀମା ନିର୍ଧାରଣ ବୁଝି ବିଚାରି କରାଯାଉ ବୋଲି କହିଛନ୍ତି । ଡ଼ିଏଫଓ ସୁଦର୍ଶନ ଗୋପୀନାଥ ଯାଦବ ଦାବିପତ୍ର ଗ୍ରହଣ କରିବା ସହିତ ଏହା କେନ୍ଦ୍ର ସରକାରଙ୍କ ଜଙ୍ଗଲ, ପରିବେଶ ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି ।