ଇରାନ୍‌ କହିଲା- ଆଉ ଆକ୍ରମଣ କରିବୁନି ଆମେ, କିନ୍ତୁ…

ଦୁଇ ସପ୍ତାହ ତଳେ ସିରିଆରେ ଥିବା ଇରାନୀ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା। ଇସ୍ରାଏଲର ଆକ୍ରମଣରେ ଇରାନର ବରିଷ୍ଠ ସେନା ଅଧିକାରୀ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯୁଦ୍ଧ ଘୋଷଣା କରିଥିଲା ଇରାନ।

ଇରାନ୍‌ କହିଲା- ଆଉ ଆକ୍ରମଣ କରିବୁନି ଆମେ, କିନ୍ତୁ…

ଇରାନ୍‌ ଓ ଇସ୍ରାଏଲ ମଧ୍ୟରେ ଲାଗି ରହିଥିବା ବିବାଦ ଉଗ୍ର ରୂପ ଧାରଣ କରିଛି। ଉଭୟ ଦେଶ ମୁହାଁମୁହିଁ ହୋଇଛନ୍ତି। ଗତ ରାତିରେ ରକ୍ତମୁଖା ହୋଇପଡିଛି ଇରାନ୍‌। ଇସ୍ରାଏଲ ଉପରେ କରିଛି ଘନ ଘନ ମିସାଇଲ ମାଡ। ଏହାପରେ ଉଭୟ ଦେଶଙ୍କ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଆରମ୍ଭ ହୋଇଯାଇଛି। ଏହାରି ଭିତରେ ଇରାନ୍‌ ଆଉ ଆକ୍ରମଣ କରିବନି ବୋଲି କହିଛି।

ରିପୋର୍ଟ ଅନୁଯାୟୀ, ଆମ ଆକ୍ରମଣ ଶେଷ ହୋଇଯାଇଛି। ଆମେ ଏହାକୁ ଜାରି ରଖିବାକୁ ଚାହୁଁନାହୁଁ। କିନ୍ତୁ ଯଦି ଇସ୍ରାଏଲ ଆମକୁ ଟାର୍ଗେଟ କରି ଆକ୍ରମଣ କରେ କିମ୍ବା କୌଣସି କ୍ଷତି ପହଞ୍ଚାଏ ତେବେ ଆମେ ଚୁପ୍‌ ରହିବୁନି। ଏହାର ମୁହଁତୋଡ ଜାବବ ଦିଆଯିବ ବୋଲି ଇରାନ୍‌ର ମୁଖ୍ୟ ଅଧିକାରୀ କହିଛନ୍ତି।

ଇସ୍ରାଏଲର ଏକ ଟିଭି ରିପୋର୍ଟ ଅନୁଯାୟୀ, ଉତକ୍ଷେପଣ ହୋଇଥିବା ପ୍ରାୟ ୪୦୦ରୁ ୫୦୦ ଡ୍ରୋନ ମଧ୍ୟରୁ ପ୍ରାୟ ୧୦୦ଟିକୁ ଆମେରିକା, ଜୋର୍ଡାନ ଏବଂ ବ୍ରିଟିଶ ସୈନ୍ୟ ସମେତ ସହଯୋଗୀ ଦେଶ ଇସ୍ରାଏଲରେ ପହଞ୍ଚିବା ପୂର୍ବରୁ ଏହାକୁ ଅଟକା ଦେଇଥିଲା। ସେପଟେ ଇସ୍ରାଏଲ ଇରାନ ଆକ୍ରମଣର ଜବାବ ଦେବା ପାଇଁ ପ୍ରସ୍ତୁତି ଚଳାଇଛି। ଇରାନ୍‌ ପ୍ରଥମ ଥର ପାଇଁ ଇସ୍ରାଏଲ ଉପରେ ମିସାଇଲ୍‌ ମାଡ କରିଛି। ଏହାର ଜବାବ ନିଶ୍ଚିତ ଦିଆଯିବ ବୋଲି ଇସ୍ରାଏଲର ଜଣେ ଅଧିକାରୀ କହିଥିବା ସୂଚନା ମିଳିଛି।

ସେପଟେ ଇସ୍ରାଏଲ ଉପରେ ଇରାନର ଆକ୍ରମଣକୁ ନେଇ ଆମେରିକା, କାନଡା, ମିଳିତ ଜାତିସଂଘ, ଜର୍ମାନୀ ଆଦି ଦେଶ ନିନ୍ଦା କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ୟହୁଦୀ ରାଜ୍ୟ ପ୍ରତି ଆମେରିକାର 'ଦୃଢ଼ ପ୍ରତିବଦ୍ଧତା'କୁ ଦୋହରାଇଛନ୍ତି। ଜି -୭ ଦେଶର ନେତାଙ୍କ ସହ ବୈଠକ କରି ପରିସ୍ଥିତି ଉପରେ ଆଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି। ଏହି ସମୟରେ, ରବିବାର ଦିନ ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ତିକ୍ତତାକୁ ନେଇ ଭାରତ ଉଦ୍‌ବେଗ ପ୍ରକାଶ କରିଛି ଏବଂ ଉଭୟ ଦେଶକୁ ସଂଯମତା ବଜାୟ ରଖିବା ସହ ହିଂସା ଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛି।

କହିରଖୁ ଯେ, ଦୁଇ ସପ୍ତାହ ତଳେ ସିରିଆରେ ଥିବା ଇରାନୀ ଦୂତାବାସ ଉପରେ ଇସ୍ରାଏଲ ଆକ୍ରମଣ କରିଥିଲା। ଇସ୍ରାଏଲର ଆକ୍ରମଣରେ ଇରାନର ବରିଷ୍ଠ ସେନା ଅଧିକାରୀ ପ୍ରାଣ ହରାଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯୁଦ୍ଧ ଘୋଷଣା କରିଥିଲା ଇରାନ।