ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ ପାଇଁ ଏହାର ଆବଶ୍ୟକତା, ରାଷ୍ଟ୍ରୀୟ ନୀତିର ଏହା ସହାୟକ ହୋଇପାରୁଛି କି ନା ସେ ବିଷୟରେ ନିର୍ବାଚନ କମିଶନରଙ୍କଠାରୁ ଆରମ୍ଭକରି ଦେଶର ରାଷ୍ଟ୍ରନୀତିଜ୍ଞ ପର୍ଯ୍ୟନ୍ତ କେହି ମୂଲ୍ୟାୟନ କରିବା ଦେଖାଯାଇନାହିଁ। ଆମେ ସାଧାରଣତଃ ଜାଣୁ ଏହା ଏକ ଦଳୀୟ ଘୋଷଣାନାମା ଯେଉଁଥିରେ ଦଳ କ୍ଷମତାକୁ ଆସିଲେ ଆଗାମୀ ୫ ବର୍ଷରେ […] The post ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି appeared first on Dharitri Odia News.

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା

 

ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ ପାଇଁ ଏହାର ଆବଶ୍ୟକତା, ରାଷ୍ଟ୍ରୀୟ ନୀତିର ଏହା ସହାୟକ ହୋଇପାରୁଛି କି ନା ସେ ବିଷୟରେ ନିର୍ବାଚନ କମିଶନରଙ୍କଠାରୁ ଆରମ୍ଭକରି ଦେଶର ରାଷ୍ଟ୍ରନୀତିଜ୍ଞ ପର୍ଯ୍ୟନ୍ତ କେହି ମୂଲ୍ୟାୟନ କରିବା ଦେଖାଯାଇନାହିଁ। ଆମେ ସାଧାରଣତଃ ଜାଣୁ ଏହା ଏକ ଦଳୀୟ ଘୋଷଣାନାମା ଯେଉଁଥିରେ ଦଳ କ୍ଷମତାକୁ ଆସିଲେ ଆଗାମୀ ୫ ବର୍ଷରେ ଦେଶ ପାଇଁ କି କି କାର୍ଯ୍ୟ କରିବେ ତାହା ଏଥିରେ ଲିପିବଦ୍ଧ ହୋଇଥାଏ। ତେବେ ପ୍ରଶ୍ନ ଉଠେ, ଏହା କ’ଣ ରାଷ୍ଟ୍ରୀୟ ନୀତି ଉପରେ ପର୍ଯ୍ୟବସିତ? ଦେଖିବାକୁ ଗଲେ ଏହା କୌଣସି ପ୍ରକାର ରାଷ୍ଟ୍ରୀୟ ନୀତିକୁ ବୁଝାଏ ନାହିଁ। ବରଂ ଏହା ଭୋଟ ବ୍ୟାଙ୍କ ସୃଷ୍ଟି ଆଉ ଭୋଟରମାନଙ୍କ ଭିତ୍ତିଭୂମି ନିର୍ମାଣକୁ ବୁଝାଏ। ଭୋଟରମାନଙ୍କ ମନସ୍ତତ୍ତ୍ୱକୁ ନେଇ ଦଳର ରାଜନୈତିକ ବିଶାରଦମାନଙ୍କ ଦ୍ୱାରା ଏହି ଇସ୍ତାହାର ତିଆରି କରାଯାଇଥାଏ। ବିଜ୍ଞ ତଥା ସଚେତନ ଭୋଟରମାନେ ଦଳୀୟ ଇସ୍ତାହାରକୁ ବିଶ୍ୱାସ କରନ୍ତି ନାହିଁ। କିନ୍ତୁ ଅଜ୍ଞ, ଅଚେତନ ଭୋଟରମାନେ ଏହାକୁ ସହଜରେ ଗ୍ରହଣ କରିନିଅନ୍ତି। ତେଣୁ ସେହିମାନଙ୍କ ପାଇଁ ଅତି ଦଳ ଚତୁରତାର ସହ ଯଥେଷ୍ଟ ପ୍ରଲୋଭନର ପ୍ରତିଶ୍ରୁତି ଏଥିରେ ଦେଇଥାଆନ୍ତି। ଦେଶରେ ଗରିବୀ ହଟାଓ ସ୍ଲୋଗାନ ଆରମ୍ଭରୁ ଏପର୍ଯ୍ୟନ୍ତ ରହିଛି। ବେରୋଜଗାରିଙ୍କୁ ଭତ୍ତା, ମାଗଣା ଖାଦ୍ୟ, ମାଗଣା ବିଜୁଳି, ସଂରକ୍ଷଣ ଦାବି କରୁଥିବା ବିଭିନ୍ନ ବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ସଂରକ୍ଷଣ ଅଂଶ ବୃଦ୍ଧି ପାଇଁ ଏଥର ପ୍ରତିଶ୍ରୁତି ଦିଆଯାଇଥିବା ଦେଖାଯାଉଛି। କଂଗ୍ରେସ ଇସ୍ତାହାରରେ ଶିକ୍ଷିତ ଯୁବ ବର୍ଗମାନଙ୍କ ପାଇଁ ପ୍ରତିଶ୍ରୁତି ଦେଖିବାକୁ ମିଳେ। ସିପିଏମ୍‌ ନିଜ ଇସ୍ତାହାରରେ କେତେକ ଆଇନ ପରିବର୍ତ୍ତନର ପ୍ରତିଶ୍ରୁତି ଦେଇଛି। ସେହିଭଳି ଭାରତୀୟ ଜନତା ପାର୍ଟି ନିଜର ସଂକଳ୍ପ ପତ୍ରରେ ବିକଶିତ ଭାରତ ଉପରେ ଗୁରୁତ୍ୱାରୋପ କରିଛି। ଏହାର ସମୟସୀମା ୨୦୪୭ ପର୍ଯ୍ୟନ୍ତ ନିଆଯାଇଛି। ସଂକଳ୍ପ ପତ୍ରରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ ,ମହିଳା ସଂରକ୍ଷଣ ଆଇନ ସମ୍ପର୍କରେ ପ୍ରତିଶ୍ରୁତି ଦେଇଛି। ଏହିଭଳି ବିଭିନ୍ନ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହାରରେ ବହୁତ ଲୋଭନୀୟ ପ୍ରତିଶ୍ରୁତି ଦେଇଥିବା ଦେଖାଯାଏ।
ତେବେ ଭୋଟରମାନେ ଏହା ଉପରେ ତର୍ଜମା କରିବା ଆବଶ୍ୟକ। କାରଣ ଭାରତର ସମ୍ବିଧାନରେ ଜନମଙ୍ଗଳ ପାଇଁ ବହୁ ନିୟମ ଓ ପ୍ରତିଶ୍ରୁତି ରହିଛି। ଏହାର ଊର୍ଦ୍ଧ୍ୱକୁ ଦଳୀୟ ଇସ୍ତାହାର ଯାଇପାରିଛି କି ନା ତାହା ଦେଖିବା କଥା। ଜନମଙ୍ଗଳକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆମ ଦେଶରେ ୫ବର୍ଷିଆ ଯୋଜନା ପ୍ରଣୟନର ବ୍ୟବସ୍ଥା ରହିଛି। ସେହି ଯୋଜନାରେ ରାଷ୍ଟ୍ରମଙ୍ଗଳ ପାଇଁ ପ୍ରଚୁର ନିୟମ ଓ ମାର୍ଗଦର୍ଶନ ରହିଛି। ତାହା ଦେଶରେ କିପରି କାର୍ଯ୍ୟକାରୀ କରାଯାଇପାରିବ ସେଥିପାଇଁ କୌଣସି ଦଳ ଚିନ୍ତା ପ୍ରକଟ ନ କରି ଭୋଟରମାନଙ୍କ ଭିତ୍ତିଭୂମିକୁ ଗୁରୁତ୍ୱ ଦେବା ଓ ପ୍ରଲୋଭନର ବୁଢ଼ିଆଣୀ ଜାଲ ତିଆରି କରିବା କେତେଦୂର ସମୀଚୀନ ତାହା ବିଚାର କରାଯିବା ଆବଶ୍ୟକ। ସମ୍ବିଧାନର ଚତୁର୍ଥ ଭାଗରେ ରାଷ୍ଟ୍ର ଶାସନ ପାଇଁ କେତେକ ଆଦର୍ଶ ନୀତିର ବୟାନ କରାଯାଇଛି। ଏହି ନୀତିଗୁଡ଼ିକ ବହୁ ବର୍ଷ ଧରି ବିଦେଶୀ ଶାସନର କୁପରିଣାମ ଓ ଜନସାଧାରଣଙ୍କ ଦୁଃଖର ଲାଘବ ପାଇଁ ଆମ ସମ୍ବିଧାନରେ ସନ୍ନିବେସିତ ହୋଇଛି। ଦେଶରେ ଅର୍ଥନୈତିକ ବିକାଶ ,ସମାଜରୁ ଶୋଷଣ,ଦାରିଦ୍ର୍ୟ ଓ ବ୍ୟାଧି ଦୂରୀକରଣ ,ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠାର ମାର୍ଗ ଏଥିରେ ଦର୍ଶାଇ ଦିଆଯାଇଛି। ଏ ସବୁକୁ ସମ୍ବିଧାନରେ ନିର୍ଦ୍ଦେଶମୂଳକ ନୀତି ବୋଲି କୁହାଯାଇଛି। ସରକାର ନିଜ ସୁବିଧାନୁଯାୟୀ ଏଗୁଡ଼ିକୁ କାର୍ଯ୍ୟକାରୀ କରାଇବା ପାଇଁ କୁହାଯାଇଛି। ଏଠାରେ ପ୍ରଶ୍ନ ଉଠେ ନିର୍ଦ୍ଦେଶମୂଳକ ନୀତି ଓ ମୌଳିକ ଅଧିକାର ଉପରେ। ଏ ଦୁଇଟି ମଧ୍ୟରେ ପ୍ରଭେଦ ରହିଛି। ମୌଳିକ ଅଧିକାର ସାବ୍ୟସ୍ତ କରିବା ପାଇଁ ନ୍ୟାୟାଳୟର ସାହାଯ୍ୟ ନିଆଯାଏ। କିନ୍ତୁ ନିର୍ଦ୍ଦେଶମୂଳକ ନୀତି ଗୁଡ଼ିକ ଯଦି ସରକାର କାର୍ଯ୍ୟକାରୀ ନ କରନ୍ତି ତେବେ ନାଗରିକମାନେ ଏଥିପାଇଁ କୌଣସି ନ୍ୟାୟାଳୟର ସାହାଯ୍ୟରେ ସାବ୍ୟସ୍ତ କରିପାରିବେ ନାହିଁ। ଏଗୁଡ଼ିକ ଆଇନ ପରିସୀମା ବାହାରେ ବୋଲି ବୁଝିବାକୁ ପଡ଼େ। ଠିକ୍‌ ଦଳୀୟ ଇସ୍ତାହାର ଉପରେ ଯେପରି କୌଣସି ପଦକ୍ଷେପ ନିଆଯାଇପାରିବ ନାହିଁ। ଦଳୀୟ ଇସ୍ତାହାର ପ୍ରକାଶ କରିବା ପାଇଁ କାହାରିକୁ ବାରଣ କରାଯାଇପାରିବ ନାହିଁ। କିନ୍ତୁ ଦଳୀୟ ଇସ୍ତାହାର ତା’ର ଲକ୍ଷ୍ୟ ସମ୍ବିଧାନର ନିର୍ଦ୍ଦେଶମୂଳକ ନୀତି ଉପରେ ପର୍ଯ୍ୟବସିତ ହେବା ଆବଶ୍ୟକ, ଯାହା ଲୋକମାନଙ୍କୁ ଯଥେଷ୍ଟ ଆକୃଷ୍ଟ କରିପାରିବ। ସମ୍ବିଧାନର ୩୬ ଧାରାରୁ ଆରମ୍ଭକରି ୫୧ ଧାରା ପର୍ଯ୍ୟନ୍ତ ନିର୍ଦ୍ଦେଶମୂଳକ ନୀତି ଲିପିବଦ୍ଧ ହୋଇଛି। ଏଥିରେ ଜନମଙ୍ଗଳ ପାଇଁ ଅତି ସୁନ୍ଦର ଓ ସବୁ ପ୍ରକାର ବ୍ୟବସ୍ଥା ଉପରେ ଦିଗ୍‌ଦର୍ଶନ ଦିଆଯାଇଛି। ଯାହାକୁ ଦଳ ଶାସନକୁ ଯିବା ପରେ କିଛିଟା କାର୍ଯ୍ୟକାରୀ କରିପାରିଲେ ବହୁ ଲୋକପ୍ରିୟତା ହାସଲ କରିପାରିବେ। ଏଥିରେ ସର୍ବମୋଟ ୧୬ଟି ଧାରା ରହିଛି। ସମ୍ବିଧାନରେ ଥିବା ନିର୍ଦ୍ଦେଶମୂଳକ ନୀତିଗୁଡ଼ିକୁ ୩ ଭାଗରେ ବିଭକ୍ତ କରାଯାଇଛି। ୧) ସମାଜବାଦ ନୀତି: ଏହି ନୀତି ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠାରେ ସହାୟ ହୋଇଥାଏ। ୨) ଗାନ୍ଧିବାଦୀ ନୀତି: ଏହା ପ୍ରଗତିଶୀଳ ରାଷ୍ଟ୍ର ଗଠନ କରିବା ପାଇଁ ଉଦ୍ଦିଷ୍ଟ। ୩) ଉଦାରବାଦୀ ନୀତି: ଏଥିରେ କେତେକ ଉଦାରବାଦୀ ବା ସାଧାରଣ ଜନମଙ୍ଗଳ ନୀତି ଅନ୍ତର୍ଭୁକ୍ତ କରାଯାଇଛି। ଏହି ନୀତିଗୁଡ଼ିକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ଏଗୁଡ଼ିକ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବା ପାଇଁ ଜନପ୍ରତିନିଧିଙ୍କୁ ବୈଧାନିକ କ୍ଷମତା ପ୍ରଦାନ କରିଛି। ଏକ ଜନମଙ୍ଗଳ ରାଷ୍ଟ୍ରରେ ରାଜନୈତିକ ସ୍ବାଧୀନତା ଯେତିକି ଦରକାର, ସାମାଜିକ ଓ ଅର୍ଥନୈତିକ ସ୍ବାଧୀନତା ମଧ୍ୟ ସେତିକି ଦରକାର। ତେଣୁ ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ବଳିଷ୍ଠ ପଦକ୍ଷେପ ନେବାକୁ ସମ୍ବିଧାନ ମନାକରି ନାହିଁ। କିନ୍ତୁ ସମ୍ବିଧାନର ବାହାରେ ରହି ଲୋକମାନଙ୍କୁ ଅଧିକ ପ୍ରତିଶ୍ରୁତି ଦେବାର ଆବଶ୍ୟକତା ନାହିଁ। ବରଂ ଦଳୀୟ ଇସ୍ତାହାର ଏହା ଉପରେ ପର୍ଯ୍ୟବସିତ ହେଲେ ଦେଶର ମଙ୍ଗଳ ସାଧନ ହୋଇପାରିବ। ଦେଶ ପାଇଁ କୌଣସି ନୂତନ ଯୋଜନାର ରୂପରେଖ, ପ୍ରତିଶ୍ରୁତି, ନେତୃତ୍ୱ ବାହାନାରେ ନୂତନ କାର୍ଯ୍ୟକ୍ରମ ବା ଏଜେଣ୍ଡା ଦର୍ଶାଇବା ଅର୍ଥ ସରକାର ନିଜକୁ ପ୍ରଚାରସର୍ବସ୍ବରେ ପରିଣତ କରିବାର ଲାଳସା ବୋଲି ଧରାଯିବ।
ଦଳୀୟ ଇସ୍ତାହାର ପ୍ରକାଶ କରିବା ପାଇଁ କେହି ମନା କରିପାରିବେ ନାହିଁ। କିନ୍ତୁ ଇସ୍ତାହାରରେ ଯାହା ପ୍ରକାଶ କରାଯାଉଛି ତାହା ରାଷ୍ଟ୍ରୀୟ ନୀତିର ପରିପନ୍ଥୀ ବୋଲି ବୁଝା ପଡୁଛି। ଦଳୀୟ ଇସ୍ତାହାର ଜନମାନସକୁ ବିଭ୍ରାନ୍ତକର ପରିସ୍ଥିତି ସୃଷ୍ଟି କରୁଥିବା ଅନୁଭୂତ ହୁଏ। ଦଳୀୟ ଇସ୍ତାହାରରେ ଅନୁସୂଚିତ ଜାତି, ଜନଜାତି, ଓ ସଂଖ୍ୟାଲଘୁମାନଙ୍କୁ ଯେପରି ପ୍ରତିଶ୍ରୁତି ଦିଆହେଉଛି , ମାଗଣା ଯୋଜନାଗୁଡ଼ିକର ଯେଉଁଭଳି ଅବତାରଣା କରାଯାଉଛି ତାହା ବଦଳରେ ରାଷ୍ଟ୍ରୀୟ ନୀତିକୁ କାର୍ଯ୍ୟକାରୀ କରିବାର ପ୍ରତିବଦ୍ଧତା ଯଦି ଇସ୍ତାହାରରେ ଦର୍ଶାଯାଆନ୍ତା ତେବେ ଗଣତାନ୍ତ୍ରିକ ବ୍ୟବସ୍ଥାର ଉନ୍ନତି ଘଟନ୍ତା। ଏପରିକି ଏଥର କେତେକ ଦଳୀୟ ଇସ୍ତାହାରରେ ଗତ ସରକାରଙ୍କ ଦ୍ୱାରା ପ୍ରଣୀତ ଆଇନ ବ୍ୟବସ୍ଥାର ପରିବର୍ତ୍ତନ ପାଇଁ ଏବଂ ନିଜକୁ ସୁହାଇଲା ଭଳି ଆଇନର ପ୍ରବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦିଆଯାଇଛି। ଯାହା ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ସହ ଗଣତନ୍ତ୍ରର ସୁସ୍ଥ ପରମ୍ପରାକୁ ନଷ୍ଟ କରିଦେବାର ମାନସିକତା ସୁସ୍ପଷ୍ଟ। ତୃଣମୂଳ କଂଗ୍ରେସର ନିର୍ବାଚନୀ ଇସ୍ତାହାରରେ ସିଏଏ,ୟୁସିସି ଉଚ୍ଛେଦ ପାଇଁ ପ୍ରତିଶ୍ରୁତି ଦିଆଯାଇଛି, ଯାହା ରାଷ୍ଟ୍ରୀୟ ନୀତିକୁ ବିରୋଧକରେ। ନିର୍ବାଚନ ପୂର୍ବରୁ ଦଳ ଗୁଡ଼ିକ ଯଦି ସାମ୍ବିଧାନିକ ଜନମଙ୍ଗଳକାରୀ ଧାରା କାର୍ଯ୍ୟକାରୀ କରିବା ଉପରେ ଜୋର ଦିଅନ୍ତେ ଏବଂ କାର୍ଯ୍ୟରେ ପରିଣତ କରି ଦେଖାଇ ଦିଅନ୍ତେ ତେବେ ସେମାନେ ଅନାୟାସରେ ଅପ୍ରତିଦ୍ୱନ୍ଦ୍ୱୀ ନେତା ବା ସରକାର ବୋଲାନ୍ତେ। କିନ୍ତୁ ତାହା ନ କରି ଭୋଟରଙ୍କୁ ପ୍ରଲୋଭିତ କଲାଭଳି ନିଜକୁ ଏବଂ ନିଜ ଦଳକୁ ସୁହାଇଲା ଭଳି ଯେଉଁ ପ୍ରତିଶ୍ରୁତି ଦିଆଯାଉଛି ତାହା କେବେହେଲେ ରାଷ୍ଟ୍ର ପାଇଁ ମଙ୍ଗଳକର ନୁହେଁ। ଇସ୍ତାହାରରୁ ଜଣାପଡ଼େ ଦଳର ବିଚାରଧାରା କିପରି? ସେହି ଅନୁସାରେ ସେମାନେ କାର୍ଯ୍ୟ କରନ୍ତି ତାହା ଦେଶ ପାଇଁ ଓ ଗଣତନ୍ତ୍ର ପାଇଁ ଅସ୍ଥିରତା ସୃଷ୍ଟିକରେ। ତେଣୁ ଦଳୀୟ ଇସ୍ତାହାର ସବୁ ବେଳେ ରାଷ୍ଟ୍ରୀୟ ନୀତି ଉପରେ ପର୍ଯ୍ୟବସିତ ହେଉ, ଯାହା ଭାରତବାସୀ ରାଜନୈତିକ ଦଳଗୁଡ଼ିକରୁ ଆଶା କରନ୍ତି।
ସୟଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩

The post ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି appeared first on Dharitri Odia News.