ଇସ୍ରାଏଲ ଉପରେ ଟ୍ରମ୍ପ ଅସନ୍ତୁଷ୍ଟ! କହିଲେ- ଆଉ ବୋମା ପକାଅ ନାହିଁ

ଟ୍ରମ୍ପଙ୍କ ଯୁଦ୍ଧବିରତି ପ୍ରସ୍ତାବରେ ରାଜି ହେବା ପରେ ଇସ୍ରାଏଲ କହିଥିଲା ଯେ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଇରାନ ଉପରେ ଆକ୍ରମଣ କରିଥିଲା, ତାହା ଗତ ୧୨ ଦିନରେ ପୂରଣ ହୋଇଯାଇଛି।

ଇସ୍ରାଏଲ ଉପରେ ଟ୍ରମ୍ପ ଅସନ୍ତୁଷ୍ଟ! କହିଲେ- ଆଉ ବୋମା ପକାଅ ନାହିଁ

ଇରାନ ଉପରେ ବୋମା ନପକାଇବା ପାଇଁ ଇସ୍ରାଏଲକୁ ସତର୍କ କରାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ ଇରାନ ପୁଣି ଥରେ ମିସାଇଲ ମାଡ଼ କରିଥିବାରୁ ଏହାର ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତ ଥିବା ଏହାର ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ କହିବା ପରେ ଓ ଇସ୍ରାଏଲ ସେନା ଇରାନର ଏକ ରାଡାର ସାଇଟ୍‌ସକୁ ଉଡ଼ାଇ ଦେବା ପରେ ଟ୍ରମ୍ପ ନିର୍ଦ୍ଦେଶ ଦେବା ଶୈଳୀରେ ଏଥିରୁ ନିବୃତ୍ତ ରହିବାକୁ କହିଛନ୍ତି।

ନାଟୋ ବୈଠକରେ ଯୋଗଦେବାକୁ ନେଦରଲ୍ୟାଣ୍ଡସର ‘ଦ ହେଗ’ ସହର ଅଭିମୁଖେ ଯାତ୍ରା କରିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ‘ଟ୍ରୁଥ୍ ସୋଶାଲ’ ପ୍ଲାଟଫର୍ମରେ ଇସ୍ରାଏଲ ଉଦ୍ଦେଶ୍ୟରେ ଲେଖିଛନ୍ତି- ଇସ୍ରାଏଲ, ସେହି ବୋମାଗୁଡ଼ିକୁ ପକାଅ ନାହିଁ। ଯଦି ତୁମେ ସେଭଳି କରିବ, ତା’ହେଲେ ଏହା ଏକ ବଡ଼ ଉଲ୍ଲଂଘନ ହେବ। ତୁମ ପାଇଲଟମାନଙ୍କୁ ଫେରାଇ ଆଣ। ବର୍ତ୍ତମାନ।

ଏହା ପୂର୍ବରୁ ହ୍ୱାଇଟ ହାଉସ୍‌ରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ କହିଥିଲେ, ଦୁଇ ଦେଶ ବହୁତ ଲମ୍ବା ସମୟ ଧରି ଜୋରଦାର ଲଢ଼େଇ କଲେଣି। ସେମାନେ ଜାଣି ନାହାନ୍ତି ଯେ ସେମାନେ କ’ଣ କରୁଛନ୍ତି। ସେମାନେ କ’ଣ ତାହା ବୁଝନ୍ତି? ଇରାନ ଯୁଦ୍ଧବିରତି ଉଲ୍ଲଂଘନ କରିଛି। କିନ୍ତୁ ଇସ୍ରାଏଲ ମଧ୍ୟ ଏହାକୁ ଉଲ୍ଲଂଘନ କରିଛି। ତେଣୁ ମୁଁ ଉଭୟଙ୍କ ଉପରେ ଖୁସି ନୁହେଁ। ମୁଁ ଚାହେଁ ଇସ୍ରାଏଲ ଶାନ୍ତ ରହୁ। 

ଟ୍ରମ୍ପଙ୍କ ଯୁଦ୍ଧବିରତି ପ୍ରସ୍ତାବରେ ରାଜି ହେବା ପରେ ଇସ୍ରାଏଲ କହିଥିଲା ଯେ ଯେଉଁ ଉଦ୍ଦେଶ୍ୟ ନେଇ ଏହା ଇରାନ ଉପରେ ଆକ୍ରମଣ କରିଥିଲା, ତାହା ଗତ ୧୨ ଦିନରେ ପୂରଣ ହୋଇଯାଇଛି। ସେଥିପାଇଁ ଏହା ଆମେରିକାର ଯୁଦ୍ଧ ବିରତି ପ୍ରସ୍ତାବରେ ରାଜି ହୋଇଯାଇଛି। ତେହରାନର ଆଣବିକ କାର୍ଯ୍ୟକ୍ରମ ଓ ବାଲାଷ୍ଟିକ ମିସାଇଲକୁ ନେଇ ଯେଉଁ ବିପଦ ରହିଥିଲା, ତାହା ଟଳି ଯାଇଥିବାରୁ ଇସ୍ରାଏଲ ଯୁଦ୍ଧ ବିରତି ପ୍ରସ୍ତାବରେ ରାଜି ହୋଇଛି।

ଅନ୍ୟପକ୍ଷରେ ତାଙ୍କ ଯୁଦ୍ଧ ବିରତି ପ୍ରସ୍ତାବ କାର୍ଯ୍ୟକାରୀ ହୋଇଥିବା ନେଇ ଟ୍ରମ୍ପ ଘୋଷଣା କରିବାର କିଛି ଘଣ୍ଟା ପରେ ଇସ୍ରାଏଲ କହିଥିଲା ଯେ ଇରାନ ଦୁଇଟି ମିସାଇଲ ନିକ୍ଷେପ କରିଥିଲା। କିନ୍ତୁ ସେମାନେ ଏହାକୁ ଆକାଶ ମାର୍ଗରେ ନଷ୍ଟ କରି ଦେଇଛନ୍ତି। ଇସ୍ରାଏଲ ସେନା ଏହାର ଜବରଦସ୍ତ ଜବାବ ଦେବ ବୋଲି କହିଥିଲେ ପ୍ରତିରକ୍ଷା ମନ୍ତ୍ରୀ ଇସ୍ରାଏଲ କାଟଜ। ଏହା ପରେ ଇରାନର ଏକ ରାଡାର ସାଇଟ୍‌ସ ଉପରେ ବୋମାମାଡ଼ କରିଥିଲା ଇସ୍ରାଏଲ ସେନା। 

ଯୁଦ୍ଧ ବିରତି ଘୋଷଣା ପରେ ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିଥିବା କଥାକୁ ଖଣ୍ଡନ କରିଛି ଇରାନ। ଇରାନ କହିଛି ଯେ ଏକତରଫା ଭାବେ ଆକ୍ରମଣରୁ ବିରତ ରହିବାକୁ ଏହା ଇସ୍ରାଏଲକୁ ଏକ ପ୍ରକାର ବାଧ୍ୟ କରି ଦେଇଥିଲା।

ଏହା ସହିତ ଇରାନ ଯୁଦ୍ଧ ବିରତିକୁ ଗ୍ରହଣ କରିଥିବା ନେଇ ଆନୁଷ୍ଠାନିକ ଭାବେ ମାନିବାକୁ ନାରାଜ।

ପୂର୍ବରୁ ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଗାଚି କହିଥିଲେ ଯେ ଯଦି ଇସ୍ରାଏଲ ତା’ର ବେଆଇନ ଆକ୍ରମଣକୁ ବନ୍ଦ କରି ଦେବ, ତା’ହେଲେ ଏହି ଯୁଦ୍ଧକୁ ଜାରି ରଖିବା ନେଇ ତାଙ୍କ ଦେଶର କୌଣସି ଉଦ୍ଦେଶ୍ୟ ନାହିଁ।