ଇସ୍ରାଏଲର ଏୟାର ଷ୍ଟ୍ରାଇକ, ହେଜବୋଲ୍ଲାର ବରିଷ୍ଠ କମାଣ୍ଡର ସଫା

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ରାଡୱାନ ଫୋର୍ସର ଡେପୁଟି ହେଡ୍‌ ଭାବେ କାମ କରୁଥିବା ୱିସାମ ଅଲ ତାୱିଲ ପ୍ରାଣ ହରାଇଛି।

ଇସ୍ରାଏଲର ଏୟାର ଷ୍ଟ୍ରାଇକ, ହେଜବୋଲ୍ଲାର ବରିଷ୍ଠ କମାଣ୍ଡର ସଫା

ଗାଜାରେ ଘନଘନ ଆକ୍ରମଣ କରୁଥିବା ଇସ୍ରାଏଲ ଏବେ ଦକ୍ଷିଣ ଲେବାନନରେ ଏୟାର ଷ୍ଟ୍ରାଇକ କରିଛି। ଲେବାନନରେ ସକ୍ରିୟ ଥିବା ହେଜବୋଲ୍ଲାର ସ୍ୱତନ୍ତ୍ର ରାଡୱାନ ଫୋର୍ସକୁ ଟାର୍ଗେଟ କରି ଇସ୍ରାଏଲ ମିସାଇଲ ମାଡ଼ କରିଛି। ଏହି ଷ୍ଟ୍ରାଇକରେ ରାଡୱାନର ଜଣେ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଛି।

ମିଳିଥିବା ସୂଚନା ଅନୁସାରେ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ରାଡୱାନ ଫୋର୍ସର ଡେପୁଟି ହେଡ୍‌ ଭାବେ କାମ କରୁଥିବା ୱିସାମ ଅଲ ତାୱିଲ ପ୍ରାଣ ହରାଇଛି। ସେ ଓ ଆଉ ଜଣେ ହେଜବୋଲ୍ଲା ସଦସ୍ୟ କାରରେ ଯାଉଥିଲେ। ସେମାନଙ୍କ ଗାଡ଼ି ଲେବାନନର ମଜଦାଲ ସେଲ୍ମ ଅତିକ୍ରମ କରୁଥିଲା।

ଏହି ସମୟରେ ହଠାତ ଏୟାର ଷ୍ଟ୍ରାଇକ ହୋଇଥିଲା। ମିସାଇଲ ସିଧା କାରରେ ମାଡ଼ ହେବା ସହ ଗାଡ଼ି ସହ ୱିସାମ ଓ ତା’ର ସହଯୋଗୀ ପୂରା ଛିନଛତ୍ର ହୋଇଯାଇଛନ୍ତି।

ଅକ୍ଟୋବର ୭ରୁ ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ସେବେଠାରୁ ଲେବାନନର ଦକ୍ଷିଣ ପ୍ରାନ୍ତରୁ ମଧ୍ୟ ହେଜବୋଲ୍ଲା ପକ୍ଷରୁ ଗୁଳି ମାଡ଼ କରାଯାଉଛି। ଏହାର ଜବାବ ଇସ୍ରାଏଲ ଦେବା ସହ ଅନେକ ସମୟରେ କାଉଣ୍ଟର ଷ୍ଟ୍ରାଇକ କରୁଛି। ଇସ୍ରାଏଲର ଷ୍ଟ୍ରାଇକରେ ଏଯାଏ ୧୩୦ରୁ ଅଧିକ ହେଜବୋଲ୍ଲା ସଦସ୍ୟ ପ୍ରାଣ ହରାଇ ସାରିଲେଣି।

ଏହାକୁ ଦେଖି ହେଜବୋଲ୍ଲା ମହାସଚିବ ସୟିଦ ହାସନ ନସରାଲ୍ଲା ଦୁଇ ଥର ଇସ୍ରାଏଲକୁ ଲେବାନନ ସହ ପୂର୍ଣ୍ଣ ଯୁଦ୍ଧ ଆରମ୍ଭ ନ କରିବାକୁ ଚେତାବନୀ ଦେଇ ସାରିଛନ୍ତି।

ଯଦି କେହି ଆମ ସହ ଯୁଦ୍ଧ କରିବାକୁ ଚାହୁଁଛି, ତା’ହେଲେ ସେମାନଙ୍କ ପାଇଁ ଗୋଟିଏ କଥା କହିବି- ଯୁଦ୍ଧ କରୁଥିବା ଦେଶ ପରବର୍ତ୍ତୀ ଅବସ୍ଥାରେ ନିଶ୍ଚିତ ଏଥିପାଇଁ ଅନୁତାପ କରିବ।