ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ଘଟଣା:ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର,୧୯ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ଅର୍ଥନୀତି ବିଭାଗର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ମାସକ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ବୁଧବାର ନିଲମ୍ବନ କରାଯାଇଛି। ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ସୁପାରିସ ଆଧାରରେ କୁଳପତି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହ କୁଳପତିଙ୍କ ବିନା ଅନୁମତିରେ ହେଡ୍‌କ୍ୱାର୍ଟର୍ସ ନ ଛାଡିବାକୁ କୁହାଯାଇଛି। ସେପଟେ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ମଧ୍ୟ ଘଟଣା ସମ୍ପର୍କିତ ତଥ୍ୟ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ଏହା […] The post ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ଘଟଣା:ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ appeared first on Dharitri Odia News.

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ଘଟଣା:ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ

ଭୁବନେଶ୍ୱର,୧୯ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଉତ୍କଳ ବିଶ୍ୱବିଦ୍ୟାଳୟ ପିଜି ଅର୍ଥନୀତି ବିଭାଗର ଜଣେ ଛାତ୍ରୀଙ୍କୁ ଅସଦାଚରଣ ଘଟଣାର ମାସକ ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସମ୍ପୃକ୍ତ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ବୁଧବାର ନିଲମ୍ବନ କରାଯାଇଛି। ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)ର ସୁପାରିସ ଆଧାରରେ କୁଳପତି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିସହ କୁଳପତିଙ୍କ ବିନା ଅନୁମତିରେ ହେଡ୍‌କ୍ୱାର୍ଟର୍ସ ନ ଛାଡିବାକୁ କୁହାଯାଇଛି। ସେପଟେ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ମଧ୍ୟ ଘଟଣା ସମ୍ପର୍କିତ ତଥ୍ୟ ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମାଗିଛନ୍ତି। ଏହା ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାକୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାରକୁ ନେବାକୁ କୁଳାଧିପତିଙ୍କ ଓଏସ୍‌ଡି ଲେଖିଥିବା ଚିଠିରେ ଉଲ୍ଲେଖ କରାଯାଇଛି।
ଅଗଷ୍ଟ ୧୬ ତାରିଖ ଅପରାହ୍ନରେ ପିଜି ବିଭାଗର ଛାତ୍ରୀ ପ୍ରଫେସରଙ୍କ କ୍ୟାବିନକୁ ବହି ଆଣିବାକୁ ଯାଇଥିଲେ। ସେଠାରେ ପ୍ରଫେସର ତାଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣା ସମ୍ପର୍କରେ କାହାକୁ ନ କହିବାକୁ ମଧ୍ୟ ଧମକ ଦେଇଥିଲେ। ଏ ନେଇ ପୀଡ଼ିତା ଛାତ୍ରୀ ୧୮ ତାରିଖରେ ବିଶ୍ୱବିଦ୍ୟାଳୟ ସେକ୍ସୁଆଲ ହାରାସ୍‌ମେଣ୍ଟ ସେଲ୍‌ରେ ଅଭିଯୋଗ କରିବା ସହ କୁଳପତିଙ୍କୁ ଚିଠି ଲେଖି ଜଣାଇଥିଲେ। ଘଟଣାର ମାସେ ବିତିଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା, ଯାହାକୁ ନେଇ ଅସନ୍ତୋଷ ବଢିଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ମାନବାଧିକାର କର୍ମୀଙ୍କ ହସ୍ତକ୍ଷେପ ପରେ ବିଶ୍ୱବିଦ୍ୟାଳୟରେ ବାରମ୍ବାର ବୈଠକ ବସି ଘଟଣାର ଅନୁସନ୍ଧାନ କରାଯାଇଥିଲା। ପରେ ବିଶ୍ୱବିଦ୍ୟାଳୟ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ତନାଘନା ଆରମ୍ଭ କରିଥିଲା। ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ ସୂଚନା ଅଧିକାର କର୍ମୀ ଜୟନ୍ତ ଦାସ। ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ତାଙ୍କ ପିଟିଶନରେ କମିଶନଙ୍କୁ ନିବେଦନ କରିଥିଲେ। ଏଥିସହ ରାଜ୍ୟପାଳଙ୍କୁ ଭେଟି ମଧ୍ୟ ଘଟଣା ସମ୍ପର୍କରେ ଜଣାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଜାଣିଶୁଣି ମାମଲା ଚପାଇଥିବା ଆବେଦନରେ ସେ ଉଲ୍ଲେଖ କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ସମସ୍ତ ପ୍ରଫେସରଙ୍କ ଚ୍ୟାମ୍ବରରେ ସିସିଟିଭି ଲଗାଇବାକୁ ମଧ୍ୟ ଆବେଦନ କରିଥିଲେ। ଏ ସମ୍ପର୍କରେ କୁଳପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

The post ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଅସଦାଚରଣ ଘଟଣା:ଆସିଷ୍ଟାଣ୍ଟ ପ୍ରଫେସର ନିଲମ୍ବିତ appeared first on Dharitri Odia News.