ଉତ୍ତରାଖଣ୍ଡରେ ୧୬ ବର୍ଷରେ ବାଘ ସଂଖ୍ୟାରେ ୩୧୪% ବୃଦ୍ଧି
ରାଜ୍ୟରେ ୨୦୦୬ରେ ୧୭୮ଟି ବାଘ ଥିଲେ। ୨୦୨୨ ବେଳକୁ ଏହି ସଂଖ୍ୟା ୫୬୦କୁ ବୃଦ୍ଧି ପାଇଥିଲା।
ଗତ ୧୬ ବର୍ଷରେ ଉତ୍ତରାଖଣ୍ଡରେ ବାଘଙ୍କ ସଂଖ୍ୟାରେ ୩୧୪% ବୃଦ୍ଧି ଘଟିଛି। ୨୦୦୬ରୁ ୨୦୨୨ ମଧ୍ୟରେ ରାଜ୍ୟରେ ବାଘଙ୍କ ସଂଖ୍ୟାରେ ଏହି ବୃଦ୍ଧି ଘଟିଛି। ଶନିବାର ଉତ୍ତରାଖଣ୍ଡର ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସମୀର ସିହ୍ନା ଏହି ସୂଚନା ଦେଇଛନ୍ତି।
ଶ୍ରୀ ସିହ୍ନା ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡର ବାଘ ସଂଖ୍ୟା ଘନତ୍ୱ ସାରା ପୃଥିବୀରେ ସର୍ବାଧିକ। ରାଜ୍ୟରେ ୨୦୦୬ରେ ୧୭୮ଟି ବାଘ ଥିଲେ। ୨୦୨୨ ବେଳକୁ ଏହି ସଂଖ୍ୟା ୫୬୦କୁ ବୃଦ୍ଧି ପାଇଥିଲା। ରାଜ୍ୟ ବନ ବିଭାଗର ପ୍ରୟାସ ଯୋଗୁ ଏହା ସମ୍ଭବ ହୋଇପାରିଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ବାଘ ଆକ୍ରମଣରେ ୨୦୨୩ରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ ୨୦୨୧ ବାଘ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୨୨ରେ ୧୬ ଜଣ ଓ ୨୦୨୩ରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ୨୦୨୧ରେ ବାଘ ଆକ୍ରମଣରେ ୮ ଜଣ ଆହତ ହୋଇଥିବା ବେଳେ ୨୦୨୨ରେ ୧୦ ଓ ୨୦୨୩ରେ ୯ ଜଣ ଆହତ ହୋଇଛନ୍ତି।