ଉପକାରୀ ଚା’ର ଇତିବୃତ୍ତ

ଆମ ଦେଶରେ କୋଟି କୋଟି ଲୋକ ଚା’ ସହିତ ଭାବନାତ୍ମକ ଭାବେ ଜଡ଼ିତ। ସକାଳେ ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଅଧିକାଂଶ ବ୍ୟକ୍ତିଙ୍କ ସକାଳ ଆରମ୍ଭ ହୁଏ କପେ ଚା’ ଓ ଖବରକାଗଜରୁ। ରୋଗୀ ଭୋଗୀ ସମସ୍ତଙ୍କର ଗୋଟିଏ ପସନ୍ଦ ଚା’। ପୁଣି ଶୀତୁଆ ସକାଳ ଅବା ଭିଜା ଶ୍ରାବଣର ସନ୍ଧ୍ୟାରେ ଉଷୁମ ଚା’ କପ୍‌‌କୁ ଚୁମିବାରେ ମଜା କିଛି ନିଆରା। ଖଟି କିମ୍ବା ସାଙ୍ଗସାଥୀ ମେଳରେ ବିନା ଚା’କପ୍‌‌ରେ […]

ଉପକାରୀ ଚା’ର ଇତିବୃତ୍ତ
sakala article

ଆମ ଦେଶରେ କୋଟି କୋଟି ଲୋକ ଚା’ ସହିତ ଭାବନାତ୍ମକ ଭାବେ ଜଡ଼ିତ। ସକାଳେ ପ୍ରତ୍ୟେକ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ଅଧିକାଂଶ ବ୍ୟକ୍ତିଙ୍କ ସକାଳ ଆରମ୍ଭ ହୁଏ କପେ ଚା’ ଓ ଖବରକାଗଜରୁ। ରୋଗୀ ଭୋଗୀ ସମସ୍ତଙ୍କର ଗୋଟିଏ ପସନ୍ଦ ଚା’। ପୁଣି ଶୀତୁଆ ସକାଳ ଅବା ଭିଜା ଶ୍ରାବଣର ସନ୍ଧ୍ୟାରେ ଉଷୁମ ଚା’ କପ୍‌‌କୁ ଚୁମିବାରେ ମଜା କିଛି ନିଆରା। ଖଟି କିମ୍ବା ସାଙ୍ଗସାଥୀ ମେଳରେ ବିନା ଚା’କପ୍‌‌ରେ ଗପ ଅଧୁରା ଲାଗେ। ଆଜି ମଧ୍ୟ ଘରକୁ କେହି ଅତିଥି ଆସିଲେ ପ୍ରଥମେ ଚା’କପ୍‌‌ଟେ ପରଷା ଯାଏ। ତା’ପରେ ଅନ୍ୟାନ୍ୟ ଚର୍ଚ୍ଚା ହୋଇଥାଏ।

ସାଧାରଣ ଭାବେ ଚା’ ପିଇବାର ଇତିହାସ ୭୫୦ ବର୍ଷ ପୂର୍ବରୁ। ପୁରାତନ କାଳରେ ବୌଦ୍ଧଭିକ୍ଷୁମାନେ ଚା’ କୁ ଔଷଧ ରୂପେ ବ୍ୟବହାର କରୁଥିଲେ। ଏହା ପଛରେ ଏକ ହୃଦୟସ୍ପର୍ଶୀ କାହାଣୀ ଅଛି। ୨୦୦୦ ବର୍ଷ ପୂର୍ବେ ଜଣେ ବୌଦ୍ଧଭିକ୍ଷୁ ୭ବର୍ଷର ନିଦ୍ରାକୁ ତ୍ୟାଗ କରି ଜୀବନର ସତ୍ୟକୁ ଜାଣିଲେ ଓ ଗୌତମବୁଦ୍ଧଙ୍କ ଶିକ୍ଷାଗୁଡ଼ିକ ବିଷୟରେ ବିଚାର କରିବା ପାଇଁ ନିଷ୍ପତ୍ତି ନେଲେ। ଭିକ୍ଷୁ ଯେବେ ନିଜ ତପସ୍ୟାର ୫ବର୍ଷ ପୂରଣ କରିଥିଲେ ସେତେବେଳେ ଜଙ୍ଗଲରେ ଥିବା କିଛି ପତ୍ରନେଇ ଚୋବାଇବାକୁ ଆରମ୍ଭ କଲେ। ପତ୍ରଗୁଡ଼ିକ ତାଙ୍କୁ ଜାଗ୍ରତ ରହିବା ପାଇଁ ଶକ୍ତି ଯୋଗାଇବାରେ ସକ୍ଷମ ହେଲା। ଯେତେବେଳେ ତାଙ୍କୁ ନିଦ ଆସୁଥିଲା, ଏହି ପ୍ରକ୍ରିୟାକୁ ବାରମ୍ବାର କରୁଥିଲେ। ଚା’ପତ୍ର ମାଧ୍ୟମରେ ୭ବର୍ଷର ତପସ୍ୟାକୁ ପୂରଣ କରିବା ପାଇଁ ସମର୍ଥ ହୋଇଥିଲେ। ସେତେବେଳେ ସ୍ଥାନୀୟ ଲେକମାନେ ମଧ୍ୟ ଜଙ୍ଗଲରେ ଥିବା ଚା’ପତ୍ରକୁ ଚୋବାଉଥିଲେ।

ପରବର୍ତ୍ତୀ ସମୟରେ ଭାରତରେ ଚା’ର ଉତ୍ପାଦନ ଇଷ୍ଟଇଣ୍ଡିଆ କମ୍ପାନୀ ଦ୍ୱାରା ଉତ୍ତର-ପୂର୍ବ ଭାରତୀୟ ରାଜ୍ୟଗୁଡ଼ିକରେ ଆରମ୍ଭ ହୋଇଥିଲା। ୧୮୨୩ ଓ ୧୮୩୧ ମସିହାରେ ଇଷ୍ଟଇଣ୍ଡିଆର ଜଣେ କର୍ମଚାରୀ ରବର୍ଟବ୍ରୁଶ ଏବଂ ତାଙ୍କ ଭାଇ ଚାର୍ଲସ କୋଲକାତାର ନବନିର୍ମିତ ବଟାନିକାଲ ଗାର୍ଡେନରେ କର୍ମଚାରୀମାନଙ୍କୁ ଏହାର ମଞ୍ଜି ଓ ଚାରା ପଠାଇଲେ। ପରବର୍ତ୍ତୀ ସମୟରେ ଚାର୍ଲସ ବ୍ରୁସଙ୍କୁ ଚା’ ଚାରା ଉତ୍ପାଦନର ଦାୟିତ୍ୱ ଦିଆଗଲା। ଚୀନରୁ ଅଶୀ ହଜାର ଚା’ ମଞ୍ଜି ଏକତ୍ର କରି ଭାରତରେ ଏହି କୃଷି ସମ୍ଭବ କି ନୁହେଁ ଜାଣିବା ପାଇଁ ପରୀକ୍ଷାମୂଳକ ଭାବରେ ବଟାନିକାଲ ଗାର୍ଡେନରେ ଚାଷ ଆରମ୍ଭ କରାଗଲା। ଆସାମରେ ମହଜୁଦ ଥିବା ପୁରୁଣା ଦେଶୀ ଚା’ ଗଛକୁ ବ୍ୟବହାର କରି କଳା ଚା’ ଚାଷ ଆରମ୍ଭ ହେଲା। ଚୀନର ଦୁଇ ବିଶେଷଜ୍ଞଙ୍କ ସହାୟତାରେ ଶୀଘ୍ର ଅମଳ ଓ ଉତ୍ପାଦନ ପ୍ରକ୍ରିୟା ମଧ୍ୟ ବ୍ରିଟିଶ୍‌‌ କର୍ମଚାରୀମାନେ ଶିଖିଲେ। ୧୯୦୦ ମସିହାରେ ଜଣେ ଇଂରେଜ ନିରୀକ୍ଷଣ କଲେ ଯେ, ଆସାମର ଲୋକ ଏକ କଳା ତରଳ ପଦାର୍ଥ ପିଉଛନ୍ତି, ଯେଉଁଥିପାଇଁ ସ୍ଥାନୀୟ ଜଙ୍ଗଲୀ ଗଛର ପତ୍ରକୁ ବ୍ୟବହାର କରାଯାଉଛି। ଏହିଭଳି ଭାବେ ଚା’ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ପ୍ରସାରିତ ହେବାକୁ ଲାଗିଲା। କାଳକ୍ରମେ ଏହା ସାଧାରଣ ପସନ୍ଦଯୋଗ୍ୟ ପାନୀୟ ରୂପେ ପରିଗଣିତ ହେଲା। ଏବେ ଚା’ ଚାଷ ମୁଖ୍ୟତଃ ଭାରତର ଆସାମ, ଦାର୍ଜିଲିଂ, ନୀଲଗିରି, ଆନ୍ନାମଲାଇ, କର୍ଣ୍ଣାଟକ, ମୁନ୍ନାର, ତ୍ରମଣକୋର, ୱାଇନାଡ଼ାରେ ଉତ୍ପାଦନ କରାଯାଉଛି। ସେହିପରି ଭାରରେ ଏବେ ମୁଖ୍ୟତଃ ତିନିକିସମର ଚା’ ଦେଖିବାକୁ ମିଳେ। ଯଥା ଭାରତୀୟ ଚା’, ଚାଇନା ଚା’ ଏବଂ ହାଇବ୍ରିଡ ଚା’।

ଭାରତୀୟ ଚା’ରେ ଅନେକ ପ୍ରକାର ରୋଗର ଉପଶମ ହୋଇଥାଏ। ଏହା ହୃଦ୍‌‌ରୋଗ, କର୍କଟ ଓ ମାନସିକ ତଥା ସ୍ନାୟୁଗତ ରୋଗର ମୁକାବିଲା ପାଇଁ ଫଳପ୍ରଦ ହୋଇଥାଏ। ସ୍ୱାସ୍ଥ୍ୟବର୍ଦ୍ଧକ କ୍ୟାପ୍‌‌ସୁଲ ଓ ସୌନ୍ଦର୍ଯ୍ୟ ପ୍ରସାଧନ ସାମଗ୍ରୀ ମଧ୍ୟ ଚା’ରୁ ପ୍ରସ୍ତୁତ କରାଯାଇଥାଏ। ସାଧାରଣତଃ ଚା’କୁ ଖାଲି ପାଣିରେ ଫୁଟାଇ ପିଆଯାଏ। ମାତ୍ର ଭାରତୀୟମାନେ ଏଥିରେ ପରବର୍ତ୍ତୀ ସମୟରେ କ୍ଷୀର ମିଶାଇ ପିଇବା ଆରମ୍ଭ କଲେ, ଯାହା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ବୋଲି ପ୍ରମାଣିତ ହେଲା। ସକାଳେ ଖାଲି ପେଟରେ କ୍ଷୀର ଚା’ ପିଇବା ଦ୍ୱାରା ଶରୀର ପ୍ରତି ହାନିକାରକ ବୋଲି ଏବେ ବିଶେଷଜ୍ଞମାନେ ଚେତାଇ ଦେଇଛନ୍ତି। ଏବେ ଭରତରେ ଅଶୀ ଶତକଡ଼ା ଲୋକ ନିୟମିତ କ୍ଷୀର ଚା’ ପିଅନ୍ତି। ମାସକୁ ହାରାହାରି ଏକୋଇଶ କପ୍‌‌ ଓ ବାର୍ଷିକ ପ୍ରାୟ ଦୁଇଶହ ପଚାଶ କପ୍‌‌ ଭାରତରେ ବ୍ୟବହାର ହୁଏ। ଚୀନ୍‌‌ ରାଜଧାନୀ ବେଜିଂରେ ପ୍ରାୟ ପାଞ୍ଚହଜାର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସର୍ବେକ୍ଷଣ କରାଯାଇଥିଲା, ଯେଉଁମାନେ କ୍ଷୀର ଚା’ ପ୍ରତି ଅଭ୍ୟସ୍ତ ଥିଲେ। ଅଧିକାଂଶଙ୍କ କ୍ଷେତ୍ରରେ ଡିପ୍ରେସନ, ଆତ୍ମହତ୍ୟା କରିବା ଲକ୍ଷଣ ଦେଖିବାକୁ ମିଳିଥିଲା। କ୍ଷୀର ଚା’କୁ ଯଦି ଅଧିକ ସମୟ ଧରି ଫୁଟାଯାଏ, ତାହା ବିଷ ପାଲଟେ। ତେଣୁ ରାସ୍ତାକଡ଼ରେ ଉପଲବ୍ଧ ଚା’କୁ ବର୍ଜନ କରିବା ଉଚିତ୍‌‌। ପ୍ଲାଷ୍ଟିକ୍‌‌ କପ୍‌‌ ଚା’ ଶରୀର ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ। କ୍ଷୀର ଚା’ରେ ସର୍ବାଧିକ କାଫେନ୍‌‌ ଥାଏ, ଯାହା ଶରୀରରେ ରାସାୟନିକ ଅସନ୍ତୁଳନ ସୃଷ୍ଟି କରିଥାଏ। ଏଥିଯୋଗୁଁ ଥକାପଣ, ଚିଡ଼ଚିଡ଼ା ଆଦି ସ୍ୱଭାବ ବୃଦ୍ଧି ପାଏ। ଶୟନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ। ଦେହରୁ ଜଳୀୟ ଅଂଶ କମିଯାଏ। ଉଚ୍ଚ ରକ୍ତଚାପ ସମସ୍ୟା, ଅଲସର, ମୁଣ୍ଡବ୍ୟଥା ଓ ହାଡ଼ ଦୁର୍ବଳ ଭଳି ସମସ୍ୟା ମଧ୍ୟ ଦେଖାଯାଏ।

କାନ୍ଥରୁ କ୍ୟାଲେଣ୍ଡର ବଦଳିଛି ସତ, ଘଟଣା ପ୍ରବାହକୁ ଦେଖି ସମୟର ଗତି ଅଟକିଯାଇନି କି ନିୟତିର ବିଧାନ କାର୍ଯ୍ୟ ସରିଯାଇନି। ବଦଳିବ ଯଦି ବଦଳିବା ନିଜେ ନିଜକୁ। ଆସନ୍ତୁ ନିଜକୁ ସୁଧାରିବା, ନିଜର ବଦଭ୍ୟାସକୁ ପରିତ୍ୟାଗ କରିବା, ସୁସ୍ଥ ରହିବା, ସୁସ୍ଥତାର ବାର୍ତ୍ତା ପ୍ରଦାନ କରିବା, ଜୀବନରେ ନୂତନ ନିରାମୟ ବାତାବରଣ ଭରିଦେବା, ଉଷୁମ ପାଣି ଗିଲାସରୁ ଜୀବନର ଯାତ୍ରା ଆରମ୍ଭ କରିବା।

ସ୍ମୃତିରେଖା ମହାକୁଡ଼
ବାସୁଦେବପୁର(ଭଦ୍ରକ),
ମୋ: ୯୧୨୪୮୦୦୯୯୬