ସଂଖ୍ୟା ଥାଇ ବି କାହିଁକି ଆସ୍ଥା ପ୍ରସ୍ତାବ ଆଣିଲେ ଅରବିନ୍ଦ କେଜ୍ରିୱାଲ?

କିଛି ସପ୍ତାହ ତଳେ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ପକ୍ଷରୁ ଆପ୍‌ର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରାଯାଉଛି। ଆପ୍‌ ବିଧାୟକଙ୍କୁ ଟଙ୍କା ଦେଇ ବିଜେପି ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା କେଜ୍ରିୱାଲ ଅଭିଯୋଗ କରିଥିଲେ।

ସଂଖ୍ୟା ଥାଇ ବି କାହିଁକି ଆସ୍ଥା ପ୍ରସ୍ତାବ ଆଣିଲେ ଅରବିନ୍ଦ କେଜ୍ରିୱାଲ?

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଜ ଆଡ଼ୁ ଆସ୍ଥା ଭୋଟର ସମ୍ମୁଖୀନ ହେବେ ବୋଲି ଗୋଟିଏ ପ୍ରସ୍ତାବ ଆଣିଛନ୍ତି। ତାଙ୍କ ଦଳ ଆପ ପାଖରେ ୬୨ ଜଣ ବିଧାୟକ ଥିଲେ ମଧ୍ୟ ସେ ଆସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଦିଲ୍ଲୀ ବିଧାନସଭାରେ ମୋଟ ଆସନ ସଂଖ୍ୟାର ହେଉଛି ୭୦। ଏହା ମଧ୍ୟରୁ ଆପ୍‌ ୬୨ଟିରେ ଜିତିଥିଲା।

ସାଧାରଣତଃ ବିରୋଧୀ କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣନ୍ତି। ଏପରି ସ୍ଥିତିରେ ସରକାର ବିଧାନସଭା କିମ୍ବା ସଂସଦରେ ଅନାସ୍ଥା ଭୋଟର ସମ୍ମୁଖୀନ ହୁଅନ୍ତି। ସରକାରଙ୍କ ସପକ୍ଷରେ କେତେ ଜଣ ସଦସ୍ୟ ରହିଛନ୍ତି, ସେକଥା ଅନାସ୍ଥା ଭୋଟ ପରେ ସ୍ପଷ୍ଟ ହୋଇଥାଏ। ହେଲେ କେଜ୍ରିୱାଲ ନିଜ ଆଡ଼ୁ ହିଁ ଆସ୍ଥା ଭୋଟର ସମ୍ମୁଖୀନ ହେବ ବୋଲି ପ୍ରସ୍ତାବ ଆଗତ କରିଛନ୍ତି।

ଆସ୍ଥା ପ୍ରସ୍ତାବ ଆଗତ କରି କେଜ୍ରିୱାଲ କହିଛନ୍ତି ଯେ ଆପ୍‌ର କୌଣସି ବିଧାୟକ ଦଳରୁ ଅଲଗା ହୋଇ ନଥିବା ସେ ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି।

ବିଧାନସଭାରେ କେଜ୍ରିୱାଲ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ଆପଣମାନେ ସମସ୍ତେ ଦେଖିପାରୁଥିବେ ଯେ ଦଳଗୁଡ଼ିକୁ ଭଙ୍ଗା ଯାଉଛି। ମିଥ୍ୟା କେସ୍‌ ସବୁ କିଛି ଅନ୍ୟ ରାଜ୍ୟରେ ସରକାରକୁ ଭାଙ୍ଗି ଦିଆଯାଉଛି। ଦିଲ୍ଲୀରେ ସେମାନେ ଆପ ନେତାମାନଙ୍କୁ ଗୋଟିଏ ଅବକାରୀ ନୀତି ମାମଲାରେ ଗିରଫ କରିବାକୁ ଉଦ୍ୟମ ଜାରି ରଖିଛନ୍ତି।

ବିଜେପି ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚାହୁଁଛି। କାରଣ ସେମାନେ ଭଲ ଭାବେ ଜାଣିଛନ୍ତି ଯେ ଦିଲ୍ଲୀରେ ସେମାନେ କେବେ ବି ନିର୍ବାଚନ ଜିତି ପାରିବେ ନାହିଁ। ଆପର କୌଣସି ବିଧାୟକ ବିଦ୍ରୋହ ଘୋଷଣା କରି ନଥିବା ଆମେ ଲୋକଙ୍କୁ ଦେଖାଇବାକୁ ଚାହୁଁଛୁ। ସେମାନେ ସମସ୍ତେ ଏକାଠି ରହିଛନ୍ତି। ତେଣୁ ମୁଁ ଗୃହରେ ଆସ୍ଥା ପ୍ରସ୍ତାବ ଆଗତ କରୁଛି।” କେଜ୍ରିୱାଲ ଆଣିଥିବା ଆସ୍ଥା ପ୍ରସ୍ତାବ ଉପରେ ଆସନ୍ତାକାଲି ଦିଲ୍ଲୀ ବିଧାନସଭାରେ ଆଲୋଚନା ହେବ।

କିଛି ସପ୍ତାହ ତଳେ କେଜ୍ରିୱାଲ ଅଭିଯୋଗ କରିଥିଲେ ଯେ ବିଜେପି ପକ୍ଷରୁ ଆପ୍‌ର କିଛି ବିଧାୟକଙ୍କୁ ଟଙ୍କା ଦେଇ କିଣିବାକୁ ଚେଷ୍ଟା କରାଯାଉଛି। ଆପ୍‌ ବିଧାୟକଙ୍କୁ ଟଙ୍କା ଦେଇ ବିଜେପି ଦିଲ୍ଲୀ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା କେଜ୍ରିୱାଲ ଅଭିଯୋଗ କରିଥିଲେ।

କେଜ୍ରିୱାଲ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ୍‌ ନିଜ ଆଡ଼ୁ ଘୋଡ଼ା ବେପାରର ତଦନ୍ତ ଆରମ୍ଭ କରି ଦେଇଛି। ପୁଲିସ୍‌ ପକ୍ଷରୁ କେଜ୍ରିୱାଲଙ୍କୁ ନୋଟିସ ମଧ୍ୟ କରାଯାଇଛି। ଏସବୁ ଭିତରେ କେଜ୍ରିୱାଲ ଆସ୍ଥା ପ୍ରସ୍ତାବ ଆଣିଛନ୍ତି।